
କଟକ : କେନ୍ଦ୍ର ସରକାରଙ୍କ କୃଷି ଆଇନ ଓ ଚାଷୀମାରଣ ନୀତିକୁ ବିରୋଧ କରି ଆଜି କ୍ଷେତ ବଞ୍ଚାଅ ରାଲିର ଆୟୋଜନ କରିଛି କଂଗ୍ରେସ। ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ଟ୍ରାକ୍ଟର ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ବେଳେ ରାଲିକୁ କିନ୍ତୁ ପୁଲିସ ଗୋପାଳପୁର ଛକରେ ଅଟକାଇ ଦେବା ସହିତ କେବଳ କିଛି ନେତୃବୃନ୍ଦଙ୍କୁ କଟକ ସହର ଅଭିମୁଖେ ଯିବାକୁ ଅନୁମତି ଦେଇଛି। ପରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ପିସିସି ପ୍ରଭାରି ତଥା ସାଂସଦ ଡକ୍ଟର ଏ. ଚେଲ୍ଲାକୁମାର ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ପିସିସି ପ୍ରଭାରୀ ଡକ୍ଟର ଚେଲ୍ଲାକୁମାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ଆଇନ କୃଷକ ବିରୋଧୀ। ଏହା ଇଂରେଜ ଶାସନ ସମୟର ନୀତି ସହିତ ସମାନ। ଓଡ଼ିଶାରେ ଯାହା କିଛି ଜଳସେଚନ ପ୍ରକଳ୍ପ ହୋଇଛି ସବୁ କଂଗ୍ରେସ ସରକାର ସମୟରେ ହୋଇଥିଲା। ଗଲା ୨୦ ବର୍ଷର ଶାସନକାଳରେ ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ କରିନାହାନ୍ତି। ନବୀନ ସରକାର ରାଜ୍ୟକୁ କେବଳ ଲୁଟି ଚାଲିଛନ୍ତି।

ସେହିଭଳି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ବିଜେପି ଓ ବିଜେଡି ଏବେ ଏକ ହୋଇଯାଇଛନ୍ତି। ଏଠି ରାଜ୍ୟ ସରକାରଙ୍କର ମଧ୍ୟ ଚାଷୀଙ୍କ ପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ। ଛତିଶଗଡ ଭଳି ଓଡ଼ିଶା ସରକାର ଧାନର ସର୍ବନିମ୍ନ ସହାୟକ ରାଶି ୨୫ଶହ ଟଙ୍କା କରନ୍ତୁ ଏବଂ ତା’ଠାରୁ ଯିଏ କମ୍ରେ କିଣିବ, ତା ପାଇଁ ଜେଲ୍ ଓ ଅର୍ଥଦଣ୍ଡ ନିୟମ କରି ଚାଷୀଙ୍କ ପ୍ରତି ସେମାନଙ୍କ ଦରଦର ପ୍ରମାଣ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ଯେ କଂଗ୍ରେସର ପତିଆରାକୁ ପ୍ରତିହତ କରିବା ପାଇଁ ପୁଲିସ ଆଜି ସରକାରର ଇଙ୍ଗିତରେ ଗୋପାଳପୁର ନିକଟରେ କର୍ମୀଙ୍କୁ ଅଟକାଇଛି। ସାମ୍ବାଦିକ ସମ୍ମିଳନୀରେ ପିଆଜ ଦର ପ୍ରସଙ୍ଗ ଉଠାଇ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି।
ଆଜିର ଏହି ଶୋଭାଯାତ୍ରା ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ଆରମ୍ଭ ହୋଇ କଟକ ଫୁଲନଖରା ଛକ ଦେଇ ଲିଙ୍କ୍ ରୋଡ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବା ବେଳେ ଏଥିରେ ଶତାଧିକ ଟ୍ରାକ୍ଟର, ବାଇକ ଓ ଚାରି ଚକିଆ ଗାଡି ସାମିଲ ହୋଇଥିଲେ। କିନ୍ତୁ ବାଲିକୁଦା ନିକଟରେ ରାଲିକୁ ପୁଲିସ ଅଟକାଇ ଦେଇଥିଲା। ସେଠାରୁ ପିସିସି ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟ ନେତୃବୃନ୍ଦ ଲିଙ୍କରୋଡକୁ ଯାଇ ଜିଲ୍ଲା କଂଗ୍ରେସର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଜେନା, ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ପ୍ରକାଶ ଲେଙ୍କା, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡା, ସଂଗ୍ରାମ ଜେନା, ସୁରେଶ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ଉମାବଲ୍ଲଭ ରଥ, ଅଭିଷେକ ମହାନନ୍ଦ, ରବୀନ୍ଦ୍ର କର, ଦେବେନ୍ଦ୍ର ସାହୁ, ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ, ପିସିସି ମୁଖପାତ୍ର ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ପିସିସି ସମ୍ପାଦକ ଶାନ୍ତାୟନ ମିଶ୍ର, ଜିଲ୍ଲା ଓବିସି ସେଲ୍ ଅଧ୍ୟକ୍ଷ ଅଶୋକ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ସାହାଣୀ, ମହିଳା ସଭାପତି ଶୋଭା ସିଂହ, ବିଶ୍ବଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ।
The post କଟକରେ କଂଗ୍ରେସର କ୍ଷେତ ବଞ୍ଚାଅ ରାଲି : କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନିରଂଜନ, ଚେଲ୍ଲାକୁମାର first appeared on Sambad.
from ଜିଲ୍ଲା – Sambad https://ift.tt/3n2faDM
0 Comments