ଟାଙ୍ଗୀ/ଗଡ଼ିଶାଗଦା : ଧୀରେଧୀରେ ଉପକୂଳ ଓଡ଼ିଶାରେ ଶୀତ ଅନୁଭୂତ ହେଲାଣି। ଶୀତଋତୁର ଆଗମନ ସହ ଏସିଆର ସର୍ବବୃହତ ଲୁଣି ହ୍ରଦ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଭିଡ଼ ବଢ଼ିଲାଣି। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କାକଳିରେ ଚିଲିକା ମୁଖରିତ ହୋଇ ଉଠିଥିବାବେଳେ ପକ୍ଷୀ ମାଂସଲୋଭୀ ଶିକାରୀଙ୍କ ଉପଦ୍ରବ ବି ଚିଲିକା ବକ୍ଷରେ ଆରମ୍ଭ ହୋଇଯାଇଛି। ଚଳିତବର୍ଷ ପ୍ରଥମଥର ବନ୍ୟପ୍ରାଣୀ ବିଭାଗ ଦୁଇଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୨ଟି ମୃତ ପକ୍ଷୀ ଜବତ କରିଛି।

ଚିଲିକାକୁ ଆସୁଥିବା ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା,ଟାଙ୍ଗୀ, ବ୍ରହ୍ମଗିରି, ରମ୍ଭାରେ ଥିବା ବନବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ପକ୍ଷୀ ଶିକାରୀଙ୍କ ଉପରେ କଡ଼ା ନଜର ରଖି ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କଡ଼ା ପଦକ୍ଷେପ ନେଇଥିଲେ ମଧ୍ୟ ପକ୍ଷୀ ଶିକାର ଆରମ୍ଭ ହୋଇଯାଇଛି। ଆଜି ବନବିଭାଗ ପକ୍ଷରୁ ଭୁଷଣ୍ଡପୁର ବରପୂଲିଆ ଆଳିପୋଡ଼ା ନାଳ ନିକଟରେ ଚଢ଼ଉ କରାଯାଇ ୧୨ ଟି ମୃତ ଲାର୍ଜ ହୁଇସ୍‌ଲିଙ୍ଗ ଟିଲ୍‌ ପକ୍ଷୀଙ୍କୁ ଏକ ଜରି ବସ୍ତାରେ ଚାଲାଣ କରାଯାଉଥିବା ବେଳେ ଜବତ କରାଯାଇଛି। ଏହି ଘଟଣାରେ ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅଧୀନସ୍ଥ ଆଳିପଡ଼ା ନୂଆଗାଁର ହରିବନ୍ଧୁ ରାଉତଙ୍କ ପୁଅ ଗୁରୁ କୁମାର ରାଉତ ଓ ସେହି ଗ୍ରାମର ଜଗୁ ରାଉତଙ୍କ ପୁଅ ଫକିର ରାଉତଙ୍କୁ ଗିରଫ କରାଯାଇଥିବା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୂଡାରାଣୀ ମୂର୍ମୂ ସୂଚନା ଦେଇଛନ୍ତି।ଏହି ପକ୍ଷୀ ଗୁଡିକୁ ଫୁରାଡିନ୍‌ ବିଷ ଦେଇ ମରାଯାଇଥିବା ସୂଚନା ମିଳିଛି। ପେଷାଦାର ଶିକାରୀମାନେ ପକ୍ଷୀ ଶିକାର ପାଇଁ କଇଁ ଫୁଲ ନାଡ଼ରେ ଖାଦ୍ୟ ସହ ବିଷ ମିଶାଇ ଅପେକ୍ଷା କରିଥାନ୍ତି। ବିଷମିଶା ଖାଦ୍ୟ ଖାଇବା ପରେ ପକ୍ଷୀଗୁଡ଼ିକ ମୃତ୍ୟୁ ବରଣ କରିଥାନ୍ତି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ବନବିଭାଗ ତରଫରୁ ୧୩ ଟି ମୋକବ୍ଦମା କରାଯାଇ ୨୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ଏହି ଶିକାରୀମାନଙ୍କଠାରୁ ସମୁଦାୟ ୧୧୫ ଟି ମୃତ ପକ୍ଷୀ, ୫ ଟି ମେସିନ ବୋଟ୍‌ , ୫ଟି ବୋଟ୍‌ ଇଞ୍ଜିନ ,ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଥିଲା।

The post ଚିଲିକାରେ ବିଦେଶୀ ପକ୍ଷୀ ଶିକାର: ଦୁଇ ଶିକାରୀ ଗିରଫ, ୧୨ ମୃତ ପକ୍ଷୀ ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/38tdrUc