
କଟକ: ଜାତୀୟ ଓଡ଼ିଆ ଟାଇକୋଣ୍ଡୋ ଦଳରେ ଓଡ଼ିଶାର ପ୍ରଥମ ଝିଅ ଭାବେ ସ୍ଥାନ ପାଇଛନ୍ତି ଡାକ୍ତର ନିଲିମା କଟ୍ଟି। କଟକ ବଡ଼ ମେଡିକାଲର ଦନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଡାକ୍ତର ନିଲିମାଙ୍କୁ ଏବେ ୪୦ ବର୍ଷ। ଦୀର୍ଘ ୫ ବର୍ଷ ଧରି ତାଲିମ ଓ ଅଭ୍ୟାସ ତାଙ୍କୁ ଜାତୀୟ ଟାଇକୋଣ୍ତୋ ଦଳରେ ସ୍ଥାନ ଦେଇ ପାରିଛି। କଟକ ମହତାବ ରୋଡ଼ ଅଞ୍ଚଳରେ ବାସ କରୁଥିବା ଅଶୋକ କୁମାର କଟ୍ଟି ଓ ନାଗବେଣି କଟ୍ଟିଙ୍କ ଝିଅ ଡାକ୍ତର ନିଲିମା ନିଜର ଦୃଢ଼ ମନୋବଳ ଓ ସ୍ବାମୀ ଡକ୍ଟର ଦେବପ୍ରତୀମ ମହାନ୍ତିଙ୍କ ସହଯୋଗରେ ଏଭଳି କୃତିତ୍ବ ହାସଲ କରି ପାରିଥିବା କହିଛନ୍ତି। ଡାକ୍ତର ନିଲିମା ଓଡ଼ିଶାର ପ୍ରଥମ ଝିଅ ଭାବେ ସିନିୟର ୧୮ ଜଣିଆ ଦଳରେ ସାମିଲ ହୋଇଥିବା ବେଳେ ୫୦ ବର୍ଷରୁ କମ୍ ବର୍ଗରେ ସେ ସୁଯୋଗ ପାଇବେ। ଏହାସହ ଆଗାମୀ ଦିନରେ ହେବାକୁ ଥିବା ଅନ୍ଲାଇନ୍ ବିଶ୍ବ ଟାଇକୋଣ୍ତୋ ଓ ଏସିଆନ୍ ଟାଇକୋଣ୍ତୋ ପ୍ରତିଯୋଗିତାରେ ସେ ଭାରତୀୟ ଦଳରେ ମଧ୍ୟ ଦେଖିବାକୁ ମିଳିବେ। ଡାକ୍ତର ନିଲିମାଙ୍କୁ ଜାତୀୟସ୍ତରର କୋଚ୍ ଅମରେନ୍ଦ୍ର ପୃଷ୍ଟି ଏବେ ତାଲିମ ଦେଉଛନ୍ତି।
ଡାକ୍ତର ନିଲିମା କହିବା ଅନୁଯାୟୀ ତାଙ୍କର ପିଲାବେଳୁ ଏହି କ୍ରୀଡ଼ା ପ୍ରତି ଆଗ୍ରହ ରହିଆସିଛି। ବାହାଘର ପରେ ସ୍ବାମୀ ଓ ଦୁଇ ପୁଅ ପ୍ରଥମମେଶ, ପ୍ରଣବେଶଙ୍କ ସହ ସୁସ୍ଥ ଶରୀର ପାଇଁ ପ୍ରତ୍ୟେକ ଦିନ ଚାଲିବାକୁ ସତ୍ୟବ୍ରତ ଷ୍ଟାଡ଼ିୟମ ଯାଉଥିଲେ। ସେଠାରେ କୋଚ୍ ପିଲାମାନଙ୍କୁ ଟାଇକୋଣ୍ତୋ ତାଲିମ ଦେଉଥିବା ବେଳେ ସେଥିପ୍ରତି ତାଙ୍କର ଆଗ୍ରହ ଦେଖି ସ୍ବାମୀ ଦେବପ୍ରତୀମ ତାଙ୍କୁ ତାଲିମ ନେବାକୁ ଉତ୍ସାହିତ କରିଥିଲେ। ଫଳରେ ସେମାନେ ପୂରା ପରିବାର ଟାଇକୋଣ୍ଡୋ ତାଲିମ ନେବା ଆରମ୍ଭ କରିଥିଲେ। ଶେଷରେ ତାଙ୍କର ସ୍ବପ୍ନ ସାକାର ହୋଇଛି ଏବଂ ସେ ଜାତୀୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ବିଶ୍ବ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଚାମ୍ପିଅନ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଚେଷ୍ଟା କରିବେ ବୋଲି ଡାକ୍ତର ନିଲିମା କହିଛନ୍ତି।
The post କଟକ ପାଇଁ ଗୌରବ; ଟାଇକୋଣ୍ତୋ ଜାତୀୟ ଦଳରେ ସ୍ଥାନ ପାଇଲେ ପ୍ରଥମ ଓଡ଼ିଆ ଝିଅ ଡାକ୍ତର ନିଲିମା first appeared on Sambad.
from ଜିଲ୍ଲା – Sambad https://ift.tt/3nJPuMD
0 Comments