ନିଆଳି: କଟକ ଜିଲ୍ଲାର ନିଆଳି ବ୍ଲକ୍ ଅନ୍ତର୍ଗତ ବାହାରଣା ପଞ୍ଚାୟତର ବରିମୁଣ୍ଡେଇ ଗାଁ ନିକଟରେ କେନାଲ ପାଣି ପଶି କୃତ୍ରିମ ବନ୍ୟା ପରିସ୍ଥିତି ଦେଖା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, କାକଟପୁର ବ୍ରାଞ୍ଚ କେନାଲର ବାମପାର୍ଶ୍ଵ ବନ୍ଧ ଭାଙ୍ଗିଯାଇଛି। ବନ୍ଧ ଭାଙ୍ଗିବା ଦ୍ୱାରା ବିଳମ୍ବିତ ରାତିରେ ସେଠାରେ ପ୍ରାୟ ୧୫ ଫୁଟ ଓସାରର ଘାଇ ହୋଇଥିଲା। ବରିମୁଣ୍ଡେଇ ଗାଁ ମଧ୍ୟରେ କେନାଲ ପାଣି ପଶି କୃତ୍ରିମ ବନ୍ୟା ପରିସ୍ଥିତି ଦେଖା ଦେଇଛି।

ଗ୍ରାମରେ ଥିବା ପୋଖରୀଗୁଡ଼ିକ ବୁଡ଼ିଯିବା ଫଳରେ ମାଛ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏପରିକି ପାଣି ବଢୁଥିବାରୁ ଗ୍ରାମବାସୀଙ୍କ ମନରେ ଭୟର ଆତଙ୍କ ଖେଳିଯାଇଛି। ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ ରହିଛନ୍ତି। ଜଳସଂପଦ ବିଭାଗ ପକ୍ଷରୁ ଜେସିପି ଯୋଗେ ପାଣି ରୋକିବାକୁ ଚେଷ୍ଟା ଜାରି ରହିଥିବାର ସୂଚନା ମିଳିଛି। କେନାଲ ବନ୍ଧ ଦୁର୍ବଳ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ହେଁ, ଏଥିପ୍ରତି ଜଳସଂପଦ ବିଭାଗ ଧ୍ୟାନ ଦେଇ ନ ଥିବା କୁହାଯାଉଛି।

The post ନିଆଳି: କାକଟପୁର ବ୍ରାଞ୍ଚ କେନାଲର ବନ୍ଧ ଭାଙ୍ଗିଲା, ଗାଁରେ ପାଣି ପଶି କୃତ୍ରିମ ବନ୍ୟା ପରିସ୍ଥିତି first appeared on Sambad.



from ଜିଲ୍ଲା – Sambad https://ift.tt/3nsrrS9