କେନ୍ଦ୍ରାପଡ଼ା: ପୁରୀ ଶ୍ରୀକ୍ଷେତ୍ରରୁ ବଡ଼ଭାଇ ବଳଦେବଙ୍କ ପାଇଁ ଆସିଲା ପାଟ ଶାଢ଼ି। ତିନି ଖଣ୍ଡ ଏହି ପାଟ ଶାଢ଼ି ମହାପ୍ରଭୁ ଜଗନ୍ନାଥଙ୍କ ପାଖରୁ ଶ୍ରୀକ୍ଷେତ୍ରର ସ୍ବତନ୍ତ୍ର ଅଧିକାରୀ ସରୋଜ ରାୟ, ନାଜିର ବିମଳ କାମ୍ବିଲା ଓ ସହାୟକ ସତ୍ୟନାରାୟଣ ପାତ୍ର ଆସି ତୁଳସୀକ୍ଷେତ୍ର ବଳଦେବଜିଉଙ୍କ ପୀଠରେ ପହଞ୍ଚି ବଡ଼ପଣ୍ଡା ମାଧବାନନ୍ଦ ପତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏହି ଶାଢ଼ି ପ୍ରଭୁ ବଳଦେବଙ୍କ ସହିତ ସାନଭାଇ କାଳିଆ ଓ ଭଉଣୀ ସୁଭଦ୍ରାଙ୍କୁ ଲାଗି ହେବ। ପୁରାଣ ଅନୁଯାୟୀ ଦ୍ବାପର ଯୁଗରେ ବଡ଼ଭାଇ ବଳରାମ ଓ ସାନଭାଇ ଶ୍ରୀକୃଷ୍ଣ(ଜଗନ୍ନାଥ) ଗୋପାଳ ବାଳକଙ୍କ ସହିତ ଖେଳୁଥିବା ବେଳେ କଂସ ମହାରାଜାଙ୍କ ଦ୍ବାରା ପ୍ରେରିତ ରାକ୍ଷସ ପ୍ରଳମ୍ବ ଚକ୍ରାନ୍ତ କରି ବଳରାମଙ୍କୁ କାନ୍ଧରେ ବସାଇ ମାରିଦେବାକୁ ନେଉଥିଲା। ମାତ୍ର ବଳରାମ ଏହା ଜାଣିପାରି ଅସୁର ପ୍ରଳମ୍ବାକୁ ନାଶ କରିଥିଲେ।

ଅସୁର ମରିବା ଦେଖି ଅତି ଆନନ୍ଦିତ ହୋଇ ସାନଭାଇ ଶ୍ରୀକୃଷ୍ଣ ଜ୍ୟେଷ୍ଠଭାତା ବଳରାମଙ୍କ ମସ୍ତକରେ ନିଜ ପାଟ ଉତ୍ତରୀୟ ବାନ୍ଧି ଦେଇଥିଲେ। ଏହି ପୌରାଣିକ କଥାକୁ ନେଇ ସାନଭାଇ ଜଗନ୍ନାଥ(ଶ୍ରୀକୃଷ୍ଣ) ପ୍ରତିବର୍ଷ ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟ ପ୍ରଳମ୍ବାସୁର ବେଶ ପାଇଁ ପଠାଇଥାନ୍ତି। କାର୍ତ୍ତିକମାସ ଏକାଦଶୀ(ଶୁକ୍ଳ)ଦିନ ମହାପ୍ରଭୁ ଶ୍ରୀ ବଳଦେବ ପ୍ରଳମ୍ବାସୁର ବେଶ ହେବାକୁ ଥିବାରୁ ଆଜି ଶ୍ରୀକ୍ଷେତ୍ରରୁ ତିନି ଖଣ୍ଡ ପାଟି ଶାଢ଼ୀ ଆସିଛି। ଏହି କାର୍ଯ୍ୟକ୍ରମରେ ଦେବୋତ୍ତର ନ୍ୟାସୀ ମଣ୍ତଳୀର ସଭ୍ୟ ତଥା ପୂର୍ବତନ ପୈାରପାଳ ଧିରେନ କୁମାର ସାହୁ, ରଞ୍ଜନ କୁମାର ପୃଷ୍ଟି, ଯଯାତି କେଶରୀ ମହାନ୍ତି,  ସେବକ ଟ୍ରଷ୍ଟି ବଳରାମ ସୁଆର, ମନ୍ଦିର ସୁପରଭାଇଜର ନୃସିଂହ ଚରଣ ପତ୍ରୀ, ଦେବୋତ୍ତର  ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଏବଂ ତୁଳସୀକ୍ଷେତ୍ରର ଗବେଷକ ନିରଞ୍ଜନ ମେକାପ ପ୍ରମୁଖ ଉପସ୍ଥିତ ଥିଲେ।

The post ଶ୍ରୀକ୍ଷେତ୍ରରୁ ଆସିଲା ପାଟଶାଢ଼ି; ୨୫ରେ ପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ first appeared on Sambad.



from ଜିଲ୍ଲା – Sambad https://ift.tt/3lQRl1D