ନୟାଗଡ଼/କଣ୍ଟିଲୋ : ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଜଗନ୍ନାଥ ଧାମ ଭାବେ ପୁରୀ ପରିଚିତ ହେଉଥିବା ବେଳେ, ଜଗନ୍ନାଥଙ୍କ ଆଦିପୀଠ ଭାବେ ନୟାଗଡ଼ ଜିଲ୍ଲା କଣ୍ଟି‌ଲୋର ନୀଳମାଧବ ସୁପରିଚିତ। ଜଗନ୍ନାଥଙ୍କ ମୂଳକ୍ଷେତ୍ର ଭାବ‌େ ପରିଚିତ କଣ୍ଟିଲୋ ନୀଳମାଧବ ମନ୍ଦିର ବର୍ତ୍ତମାନ ଅବ୍ୟବସ୍ଥା‌ ଘେରରେ। ବର୍ଷ ବର୍ଷ ଧରି ଏହ‌ି ମନ୍ଦିର ପ୍ରତି ରାଜ୍ୟ ସରକାରଙ୍କ ନିଘା ନାହିଁ। ମୁଖ୍ୟ ମନ୍ଦିରର ପାର୍ଶ୍ବକୁ ଲାଗି ରହିଥିବା ମନ୍ଦିରର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଏହି କାରଣରୁ ଯଦି ପାର୍ଶ୍ବ ମନ୍ଦିର କେ‌ବେ ଭୁଶୁଡ଼ି ଯାଏ, ତେବେ ମୁଖ୍ୟମନ୍ଦିର ପ୍ରତି ଏହ‌ା ବିପଦ ଡାକି ଆଣିବ। ଏହାକୁ ନେଇ ମନ୍ଦିରର ସେବାୟତଙ୍କଠାରୁ ଆରମ୍ଭ କରି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଖାଲି ଉପରୋକ୍ତ ସମସ୍ୟା ନୁହେଁ, ଏହିଭଳି ଅନେକ ସମସ୍ୟାରେ ଛନ୍ଦି ହୋଇଛି ନୀଳମାଧବ ମନ୍ଦିର। ନୀଳମାଧବଙ୍କ ମୁଖ୍ୟ ମନ୍ଦିରର ପ୍ରାୟ ୨୦ ବର୍ଷ ହେବ ରଙ୍ଗ କାର୍ଯ୍ୟ ହୋଇ ନଥିବା ବେଳେ ମନ୍ଦିର ଚତୁଃପାର୍ଶ୍ବରେ ଥିବା ସୁରକ୍ଷା ପ୍ରାଚୀରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଚନ୍ଦନ ପୋଖରୀ ପୋତି ହୋଇପଡ଼ିଥିବାରୁ ୫ ବର୍ଷ ହେବ ଠାକୁରଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇପାରିନାହିଁ। ଏ ନେଇ ଜିଲ୍ଲାର ଦେବୋତ୍ତର ବିଭାଗର ନିଘା ନାହିଁ। ପୂଜକ ସମାଜ ଅନେକ ଥର ଫେରାଦ ହୋଇଥିଲେ ମଧ୍ୟ ସଭିଏଁ ନିଦାବିଷ୍ଣୁ ପାଲଟିଛନ୍ତି। ଏହି ପରିପ୍ରେକ୍ଷୀରେ ଚନ୍ଦନ ପୋଖରୀର ଉଦ୍ଧାର ପାଇଁ ପୂଜକ ସମାଜ ସଭାପତି ନିହାର ରଞ୍ଜନ ମିଶ୍ର ମୁଖ୍ୟମନ୍ତ୍ରୀ, ଉନ୍ନୟନ କମିସନରଙ୍କୁ ଏଥିନେଇ ମେଲ୍‌ ଯୋଗେ ସମସ୍ୟା ଜଣାଇଥି‌ଲେ ମଧ୍ୟ ଫଳ ଶୂନ୍ୟ। ପାହାଡ଼ ଉପରେ ନୀଳମାଧବ ମନ୍ଦିର ଅବସ୍ଥିତ ହୋଇଥିବାରୁ ତୀକ୍ଷ୍‌ଣ ପାହାଚ ଚଢ଼ି ଏଠାକୁ ଯିବାକୁ ପଡ଼ିଥାଏ। ଏଣୁ ବୟସ୍କଙ୍କ ପାଇଁ ପାହାଡ଼ ଚଢ଼ି ଯିବା ସମ୍ଭବ ହେଉନଥିବାରୁ ଅନେକ ସମୟରେ ଦୂରଦୂରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ଏଣୁ ମନ୍ଦିରରେ ପହଞ୍ଚିବା ଲାଗି ରୋପ୍‌ୱେର ଆବଶ୍ୟକତା ଅଛି। ଏଥିନେଇ ୨୦୧୪ରେ ସର୍ଭେ ହୋଇଥିଲେ ମଧ୍ୟ ରୋପ୍‌ୱେ ପ୍ରସ୍ତାବ ଶୀତଳଭଣ୍ଡାରରେ ପଡ଼ି ରହିଛି। ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନ ଥିବା ବେଳେ ରାତ୍ରୀକାଳୀନ ରହଣି ପାଇଁ କୌଣସି ଆଶ୍ରୟସ୍ଥଳୀର ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଦୂରଦୂରାନ୍ତରରୁ ଏଠାକୁ ଅଧିକ ମା‌ତ୍ରାରେ ଶ୍ରଦ୍ଧାଳୁ ଆସିବାକୁ ଆଗ୍ରହୀ ହେଉନାହାନ୍ତି।

ଶ୍ରଦ୍ଧାଳୁମାନେ ରହିବା ପାଇଁ ଘରୋଇ ହୋଟେଲ, ଲଜ୍‌ ବ୍ୟବସ୍ଥା ନାହିଁ। ଶ୍ରୀ‌‌କ୍ଷେତ୍ର ପୁରୀ ଭଳି ନୀଳମାଧବଙ୍କ ନିକଟରେ ମଧ୍ୟ ବାରମାସରେ ତେର ଯାତ ପାଳନ କରାଯାଇଥାଏ। ପୌଷ ପୂର୍ଣ୍ଣମୀରେ ସୁନାବେଶ, କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ସ୍ୱତନ୍ତ୍ର ବେଶ ସହ ମାଘମେଳା ଓ ଚନ୍ଦନ ଯାତ୍ରା ଆଦି ଏଠାରେ ମହାସମାରୋହରେ ପାଳନ କରାଯାଇଥାଏ। ମାତ୍ର ପରିଚାଳନା ସଂସ୍ଥା ଦେବୋତ୍ତର ପ୍ରଶାସନ ଏହି ପୀଠ ପ୍ରତି ଗୁରୁତ୍ୱ ଦେଇନଥିବାରୁ ଭିତ୍ତିଭୂମି ଅସଜଡ଼ା ହେବା ସହ ମେଳା ପରମ୍ପରା ସଂକୁଚିତ ହେବାରେ ଲାଗିଛି। ଏହି ପୀଠର ବିକାଶ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନ ନେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଆଦିକ୍ଷେତ୍ରର ପରିଚୟ ବହନ କରୁଥିବା ଏହି ପୀଠର ସାମଗ୍ରୀକ ବିକାଶ କରାଗଲେ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ବିକାଶ ହୋଇପାରନ୍ତା। ଏଥିନେଇ ସରକାର ଧ୍ୟାନ ଦେବାକୁ ପୂଜକ ସମାଜ ଦାବି କରିଛି।

The post ନୀଳମାଧବ ମନ୍ଦିରକୁ ବିପଦ : ପାର୍ଶ୍ବମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ first appeared on Sambad.



from ଜିଲ୍ଲା – Sambad https://ift.tt/2Kne2wm