ରଣପୁର : ପରୀ ନିଖୋଜ ଓ ହତ୍ୟା ଘଟଣା ପରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ବଧିପାଟଣା ଗାଁ’ର ଜଣେ ଶିଶୁ ସ୍ବାତୀର ନିଖୋଜ ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ନିଖୋଜ ହେବାର ୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲିଥିବା ଜଣାଯାଇଛି। ପୁଲିସ୍‌ ଓଡ୍ରାଫ୍‌ ଟିମ୍‌ ସହାୟତାରେ ପୋଖରୀରେ ଖୋଜାଖୋଜି କରିଥିଲା। ‌ନପାଇବାରୁ ଏବେ କମ୍ବଳ ବିକ୍ରି କରୁଥିବା ଫେରିବାଲା ଉପରେ ନଜର କେନ୍ଦ୍ରୀଭୂତ କରିବା ସହ ଆଜି ସନ୍ଧ୍ୟାରେ ଖାନ୍‌ତଲାସ୍‌ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପୁଲିସ ୨ଟି ଦିଗରେ ଅନୁସନ୍ଧାନ ଜାରି ରଖିଛି। ପ୍ରଥମେ, ସ୍ବାତୀ ପୋଖରୀରୁ ବୁଡ଼ି ଯାଇଥିବା ନେଇ ଆଶଙ୍କା କରୁଥିଲା। ଗତକାଲି ସନ୍ଧାନୀ କୁକୁର ପୋଖରୀ ହୁଡ଼ା ଯାଏଁ ବାରମ୍ବାର ଦୌଡ଼ିବାରୁ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ମାତ୍ର, ଓଡ୍ରାଫ୍ ଟିମ୍ ପୋଖରୀ ଭିତରେ ପଶି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଏବେ କମ୍ବଳ ବିକ୍ରି କରୁଥିବା ଫେରିବାଲା ଉପରେ ନଜର କେନ୍ଦ୍ରୀଭୂତ କରିଛି। ପ୍ରଥମରୁ ସ୍ବାତୀର ମା’ ସବିତା କମ୍ବଳ ବିକାଳି ଫେରିବାଲାଙ୍କ ଉପରେ ସନ୍ଦେହ କରି ଆସୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କିଛିଦିନ ଧରି ଏଣେତେଣେ ବୁଲି ବିକ୍ରି କରୁଥିବା କମ୍ବଳ ଫେରିବାଲାଙ୍କୁ ବି ଆଉ ଦେଖିବାକୁ ମିଳୁନାହିଁ। ସ୍ବାତୀକୁ ଉକ୍ତ ଫେରିବାଲା ରେଳଲାଇନ୍‌ ନିକଟସ୍ଥ ମନ୍ଦିର ବାଟ ଦେଇ ନେଇଯାଇଥାଇପାରିଥାନ୍ତି ବୋଲି ସବିତା ଗଣମାଧ୍ୟମ ଆଗରେ କହିଛନ୍ତି। ସବିତାଙ୍କ ବୟାନ ଆଧାରରେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ଦ୍ବାରା ଗଠିତ ୨ ଜଣିଆ ଏକ ସ୍ବତନ୍ତ୍ର ଟିମ୍ ନୟାଗଡ଼ ଥାନା ଅଧୀନ ସିନ୍ଦୁରିଆସ୍ଥିତ ସମସ୍ତ ଫେରିବାଲାଙ୍କ ରହଣିସ୍ଥଳ ଉପରେ କଡ଼ା ନଜର ରଖିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ତା, ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାଶ, ସୁନାଖଳା ଫାଣ୍ତି ଏସ୍‌ଆଇ ଭୀମସେନ ମଲ୍ଲୀକ ଓ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଦ୍ବାରା ବଧିପାଟଣା ଗାଁ’ର ସମସ୍ତ ଘର ଗୋଟି ଗୋଟି କରି ଖାନ୍‌ତଲାସି କରାଯାଇଥିବା ଜଣାପଡ଼ିଛି।

ଅପରପକ୍ଷେ, ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସଂପାଦିକା ରଶ୍ମିରେଖା ଦାଶଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଉକ୍ତ ଗାଁ’ ପରିଦର୍ଶନ କରିବା ସାଙ୍ଗକୁ ସ୍ବାତୀଙ୍କ ପରିବାରକୁ ଭେଟିଛନ୍ତି। ଏହି ଟିମ୍‌ରେ ନରେନ୍ଦ୍ରପୁର ସରପଞ୍ଚ ଗୀତାଞ୍ଜଳି ବଳିୟାରସିଂହ, ବ୍ଲକ୍‌ ଉପାଧ୍ୟକ୍ଷ ପ୍ରଶାନ୍ତ ନାୟକ, ଚମ୍ପାପେଡ଼ି ସରପଞ୍ଚ ନିର୍ମଳ ମତ୍ତଗଜସିଂହ ପ୍ରମୁଖ ସାମିଲ ହୋଇଥିଲେ। ତେବେ ସ୍ବାତୀଙ୍କ ଫେରିବା ବାଟକୁ ଚାହିଁ ଘରେ ଚୁଲି ଜଳୁନଥିବା ଜଣାଯାଇଛି।

The post ଶିଶୁକନ୍ୟା ସ୍ବାତୀ ନିଖୋଜ ଘଟଣା : ଫେରିବାଲା ଉପରେ ପୁଲିସ୍‌ର ନଜର first appeared on Sambad.



from ଜିଲ୍ଲା – Sambad https://ift.tt/3oGL4qm