
ନୟାଗଡ଼: ନୟାଗଡ଼ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ (ପରୀ) ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ(୧୮) ଏବେ ଅନୁତାପ କରୁଛି। କେବେ ରାଗିଯାଉଛି ତ ପୁଣି କେବେ ପୁଲିସ ଉପରେ ଚିଡ଼ି ଉଠୁଛି। ୩ ଦିନିଆ ରିମାଣ୍ଡ୍ରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍ଆଇଟି) ହେପାଜତରେ ଥିବା ସମୟରେ ସରୋଜର ଏଭଳି ଆଚରଣ ସମ୍ପର୍କରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଶ୍ରୀ ବୋଥ୍ରା ଯଦୁପୁର ଗ୍ରାମରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି।
ଶ୍ରୀ ବୋଥ୍ରାଙ୍କ କହିଛନ୍ତି , ‘ ଘଟଣାକୁ ୫ ମାସ ବିତି ଯାଇଥିବାରୁ ସରୋଜ ଖସିଯିବ ବୋଲି ଭାବିଥିଲା। ଯେତେବେଳେ ଏସ୍ଆଇଟି ଗଠନ ସମ୍ପର୍କରେ ଘୋଷଣା କରାଯାଇଥିଲା, ସେ ଛାନିଆ ହୋଇପଡ଼ିଥିଲା। ଏସ୍ଆଇଟି ଯଦୁପୁରରେ ଆସି ତଦନ୍ତ କରିବାବେଳେ, ସେ ଛାତ ଉପରେ ରହି ଆମ କାର୍ଯ୍ୟକୁ ନିରୀକ୍ଷଣ ମଧ୍ୟ କରୁଥିବା କହିଛି। ତଦନ୍ତ ପୂର୍ବରୁ ଆମେ ଯଦୁପୁର ଗ୍ରାମବାସୀଙ୍କ ସହ ବୈଠକ କରିଥିଲୁ। ତଦନ୍ତରେ ସହଯୋଗ ପାଇଁ ନିବେଦନ କରିଥିଲୁ। ସମସ୍ତେ ସହଯୋଗ କରିବା ସହ ଆବଶ୍ୟକ ପରୀକ୍ଷା କରିବାକୁ ରାଜି ହୋଇଥିଲେ। କିନ୍ତୁ ଉକ୍ତ ଅଭିଯୁକ୍ତ ଆମକୁ ସହଯୋଗ କରିନଥିଲା, ବିଭିନ୍ନ ଘଟଣା ନେଇ କ’ଣ ପ୍ରମାଣ ରହିଛି ବୋଲି ଆମକୁ ପ୍ରଶ୍ନ କରୁଥିଲା। ଯେଉଁଥିପାଇଁ ଏସ୍ଆଇଟିର ସରୋଜ ଉପରେ ସନ୍ଦେହ ବଢ଼ିଥିଲା,’ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।
ତେବେ ବୋଥ୍ରା ଆଜି ଆଉ ଏକ ସାଂଘାତିକ କଥା ଉନ୍ମୋଚନ କରିଛନ୍ତି। ସରୋଜର ମା’ ଶୈଳବାଳା ସେଠୀ ଓ ଭଉଣୀ କାନ୍ଦିକାନ୍ଦି ତାଙ୍କ ଭାଇ ନିର୍ଦ୍ଦୋଷ, ପରୀ ହତ୍ୟାକାଣ୍ଡ ବିଷୟରେ କିଛି ଜାଣିନଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ହେଲେ ବାସ୍ତବରେ ସରୋଜର ଏହି ପାପ କାହାଣୀ ସମ୍ପର୍କରେ ତା’ର ମା’ ଓ ପରିବାରର ଅନ୍ୟମାନେ ଜାଣିଥିବା ଶ୍ରୀ ବୋଥ୍ରା କହିଛନ୍ତି। ରୋଚକ କଥା ହେଲା, ଏସ୍ଆଇଟିର ମୁଖ୍ୟ ଭାବେ ଅରୁଣ ବୋଥ୍ରାଙ୍କ ନିଯୁକ୍ତି ପରେ ସରୋଜ ଭୟଭୀତ ହୋଇପଡ଼ିଥିଲା। ତାଙ୍କ ସମ୍ପର୍କରେ ସେ ଗୁଗୁଲ୍ରେ ସର୍ଚ୍ଚ କରି ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ଶ୍ରୀ ବୋଥ୍ରା କେଉଁ କେଉଁ ମାମଲାରେ ସଫଳତା ପାଇଛନ୍ତି, ସେ ବାବଦରେ ତଥ୍ୟ ସଂଗ୍ରହ କରିଥିବା ସରୋଜ ସ୍ବୀକାର କରିଛି। ଶ୍ରୀ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଘରେ ଥିବା ବେଳେ, ଟିଭିରେ ପରୀ ସମ୍ପର୍କିତ ସମସ୍ତ ନ୍ୟୁଜ୍ ସରୋଜ ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିବା। ଏପରିକି ଟିଭିର ବାଲାନ୍ସ ସରିଯାଇଥିବାରୁ, ସେ ଯେ କୌଣସିମତେ ଜଣେ ବ୍ୟକ୍ତିଙ୍କୁ ରିଚାର୍ଜ କରିବାକୁ କହିଥିଲା।
ଅନ୍ୟପକ୍ଷରେ, ପରୀ ମାମଲାରେ ସାଧାରଣରେ ଉଠିଥିବା କେତେକ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଶ୍ରୀ ବୋଥ୍ରା ଦେଇ ନ ଥିଲେ। ପରୀ ନିଖୋଜ ପରେ କୁକୁର କିଭଳି ଶବ ପଡ଼ିଥିବା ସ୍ଥାନକୁ ଗଲା ନାହିଁ। ଶବ କିଭଳି ଗନ୍ଧ ହେଲା ନାହିଁ, ଅନ୍ୟ ସବୁ ହାଡ଼ କୁଆଡ଼େ ଗଲା ସେସବୁରର ଉତ୍ତର ସେ ଦେଇନଥିଲେ। ଜବତ୍ ହୋଇଥିବା ହାଡ଼ ଏଫ୍ଏମ୍ଟି ନିକଟରେ ରହିଛି। ସେମାନେ ଗୋଟିଏ ପିଲା ଦେହରେ କେତେ ହାଡ଼ ଥାଏ, ନଥାଏ ସେମାନେ କହିପାରିବେ। ‘ ଶବ କାହିଁକି ଗନ୍ଧ ହେଲାନି, କୁକୁର କାହିଁକି ସେ ଜାଗାକୁ ଗଲା ନାହିଁ, ସେ ସମ୍ପର୍କରେ ମୁଁ କହିପାରିବିନି। ଜିଲ୍ଲା ପୁଲିସ ସନ୍ଧାନୀ କୁକୁର ଆଣିଥିଲା, ଆମେ ଆଣିନଥିଲୁ। ପରୀ ମାମଲାକୁ ନେଇ କରାଯାଉଥିବା ସମସ୍ତ ସନ୍ଦେହର ଉତ୍ତର ମୁଁ ସାଧାରଣରେ ଦେଇ ପାରିବିନି। ଆମ ନିକଟରେ ହତ୍ୟା ଅଭିଯୁକ୍ତ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ରହିଛି। ମାନ୍ୟବର କୋର୍ଟଙ୍କୁ ସମସ୍ତ ପ୍ରମାଣ, ସମସ୍ତ ପ୍ରଶ୍ନର ଉତ୍ତର ଦେବି,’ ବୋଲି ଶ୍ରୀ ବୋଥ୍ରା କହିଛନ୍ତି। ଏହାକୁ ଠିକ୍ ଭାବିଲେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସଜାଇ ପାରନ୍ତି, ନ ହେଲେ ନାହିଁ ବୋଲି ଶ୍ରୀ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି।
The post ଏସ୍ଆଇଟି ଆଗରେ ସତ ବଖାଣୁଛି ସରୋଜ: କେବେ ରାଗି ଯାଉଛି, ପୁଣି କେବେ ଅନୁତାପ କରୁଛି first appeared on Sambad.
from ଜିଲ୍ଲା – Sambad https://ift.tt/3aD8tFr
0 Comments