କଟକ: କଟକର ଯୁବକ ଝାଡ଼ଖଣ୍ଡରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସେଠାକାର ସରକାର ଓ ଗଣମାଧ୍ୟମର ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ଏମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ସେମାନଙ୍କର ଏଭଳି କାର୍ଯ୍ୟ ପାଇଁ ସେମାନଙ୍କୁ କୁହାଯାଉଛି ଭୂତଳର ସାଥୀ। ଏହି ଟିମ୍‌ର ମୁଖ୍ୟ ହେଉଛନ୍ତି ମହମ୍ମଦ ମୁସ୍‌ତାକିମ୍‌। ଗଲା ପ୍ରାୟ ୧୨ ବର୍ଷ ହେବ ସେମାନେ ଭୂତଳରେ ଏଭଳି ଉଦ୍ଧାର କାର୍ଯ୍ୟ କରି ଆସୁଛନ୍ତି। ରାଜ୍ୟ ତଥା ବାହାରେ ସେମାନେ ଏଯାଏ ୧୨ ଜଣ ବ୍ୟକ୍ତିଙ୍କୁ ଭୂତଳରୁ ଉଦ୍ଧାର କରିସାରିଲେଣି। ବହୁ ଚର୍ଚ୍ଚିତ ଝାଡ଼ଖଣ୍ତ ଖୁଦିଆ ସ୍ଥିତ ମୁଗ୍‌ମା ମାଇନ୍‌ ଭୂତଳରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସେମାନଙ୍କର ସଫଳତା ପାଇଁ ସେ ଏବେ ଚର୍ଚ୍ଚାରେ। ମୁସ୍‌ତାକିମ୍‌ ଏବଂ ତାଙ୍କର ୫ ଜଣିଆ ଏକ ଦଳ ଏହି ଦୁର୍ଘଟଣାର ଖବର ପାଇ ତୁରନ୍ତ ଝାଡ଼ଖଣ୍ତ ଅଭିମୁଖେ ବାହାରିଥିଲେ। ଏବଂ ୮ ଦିନ ସମୟ ମଧ୍ୟରେ ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କ ମୃତଦେହ ଠାବ କରି ଉଦ୍ଧାର କରିଥିଲେ। ଆଜିକୁ ୧୨ ବର୍ଷ ହେବ ସେ ପିଡ଼ିଏସ୍‌ଆଇ(ପ୍ରଫେସ୍‌ନାଲ ଡାଇଭ ସର୍ଭିସ ଆଣ୍ତ ଇନଷ୍ଟିଟ୍ୟୁଟ୍‌) କରି ପିଲାଙ୍କୁ ଏଥିପାଇଁ ତାଲିମ ମଧ୍ୟ ଦେଉଛନ୍ତି।

କଟକ ‌ଝୋଲା ସାହି ଠାରେ ବାସ କରୁଥିବା ମହମ୍ମଦ ସଲିମ ଓ ଜମିଲ୍ଲା ବିବିଙ୍କ ପୁଅ ମହମ୍ମଦ ମୁସ୍‌ତାକିମ୍‌। ବୟସ ଏବେ ୪୧ ବର୍ଷ। ପେସାରେ ଜଣେ ପ୍ରଫେସନାଲ୍‌ ଡାଇଭର। ନେତାଜୀ ସିଟି କଲେଜର ଯୁକ୍ତ ଦୁଇ ପାଠ ପଢ଼ା ପରେ ଆରମ୍ଭ କରି ଦେଇଥିଲେ ସୁଇମିଂ ଶିଖିବା। ନିଜେ ଶିଖି ଅନ୍ୟ ଛାତ୍ରଛାତ୍ରୀଙ୍କୁ ଆଜିକୁ ୨୦ ବର୍ଷ ହେବ ତାଲିମ ଦେଇ ଆସୁଛନ୍ତି। ଏହା ସହିତ ଡାଇଭିଂ ନିଜ ଉଦ୍ୟମରେ ଶିଖିବା ସହିତ ଆଜିକୁ ୧୨ ବର୍ଷ ହେଲା ଚଳାଇଛନ୍ତି ଡ଼ାଇଭିଂ ଟ୍ରେନିଙ୍ଗ ସେଣ୍ଟର। ତାଲିମ ଦେବା ସହିତ ଯେଉଁଠି ଦୁର୍ଘଟଣା ଘଟିଥାଏ ସେଠାରେ ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ କରନ୍ତି। ଡିସେମ୍ବର ୭ ତାରିଖରେ ଝାଡ଼ଖଣ୍ତ ଖୁଦିଆ ଠାରେ ଥିବା ମୁଗ୍‌ମା ମାଇନ୍‌ସ ଭୂତଳରୁ ପାଣି ଲିକ୍‌ ହୋଇ ୨ କର୍ମଚାରୀ ସେଥିରେ ଫସି ରହିଥିଲେ। ଘଟଣାସ୍ଥଳରେ ଏନ୍‌ଡ଼ିଆରଏଫ୍‌, ଫାୟାର ଦଳ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇଁ ଉକ୍ତ କମ୍ପାନି ମୁସ୍‌ତାକିମ୍‌ଙ୍କ ସହ ଯୋଗାଯୋଗ କରିଥିଲା।

Sambad

ଏବଂ ଖବର ପାଇ ମୁସ୍‌ତାକିମ୍‌ଙ୍କ ସମେତ ତାଙ୍କର ୪ ଜଣିଆ ଦଳ ତଥା- ନୌସେନାର ଅବସରପ୍ରାପ୍ତ ଅଧିକାରୀ ପ୍ରଣବ ବିଶ୍ବାଳ, ଡାଇଭିଂ ପ୍ରଶିକ୍ଷଣ ନେଉଥିବା ମନୋଜ ଦେଉରୀ, ରଶ୍ମୀ ରଞ୍ଜନ ଦାଶ ଓ ଚେଙ୍ଗୁ ଦେଉରୀ ଝାଡ଼ଖଣ୍ତ ଅଭିମୁଖେ ବାହାରିଥିଲେ। ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଦୁଇ କର୍ମଚାରୀଙ୍କ ସନ୍ଧାନ। ପ୍ରତ୍ୟେକ ଦିନ ୮ ରୁ ୧୦ ଘଣ୍ଟା ମାଇନ୍‌ସର ଭୂତଳରେ ରହି ସନ୍ଧାନ ଜାରି ରଖିଥିବା‌େବଳେ ୮ ଦିନ ମଧ୍ୟରେ ଦୁଇ କର୍ମଚାରୀଙ୍କ ଶବ ଉଦ୍ଧାର କରିଥିଲେ। ଏମାନଙ୍କର ଏହି ଉଦ୍ଧାର କାର୍ଯ୍ୟକୁ ସେଠାରେ ଅନେକ ପ୍ରଶଂସା ମିଳିଥିଲା।

ଏ ସଂପର୍କରେ ମୁସ୍ତାକିମ କହନ୍ତି ଯେ ସେ ୧୨ ବର୍ଷ ହେବ ଡ଼ାଇଭିଂ କରି ଆସୁଛନ୍ତି। କିନ୍ତୁ ଏତେ କ‌ଷ୍ଟ ପରେ ଫସି ରହିଥିବା ବ୍ୟକ୍ତିଙ୍କ ମୃତଦେହ ‌ଯେତେବେଳେ ଉଦ୍ଧାର ‌ହୁଏ ସେତେବେଳେ କଷ୍ଟ ବଢିଯାଏ। ହେଲେ ସେମାନଙ୍କ ପରିବାର ଲୋକଙ୍କ କଥା ଭାବି ଏହି କାମ କରିବାକୁ ଆଗେଇ ଯାଉ। ଝାଡ଼ଖଣ୍ତ ମାଇନ୍‌ସ ଘଟଣା ବହୁତ ଜଟିଳ ରହିଥିଲା। ସେଠାରେ ଠିକ୍‌ ଭାବେ ନିଶ୍ବାସ ନେବା ମଧ୍ୟ କଷ୍ଟକର ହେଉଥିଲା। ସବୁ କିଟ ସହି ଦିନକୁ ୮ ରୁ ୧୦ ଘଣ୍ଟା ମୁଁ ଏବଂ ମୋର ସହଯୋଗୀ ମାନେ କାମ କରି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିପାରିଥିଲୁ। ପ୍ରତ୍ୟେକଟି ପିଲାକୁ ଏହି ଡ଼ାଇଭିଂ ପ୍ରିଶକ୍ଷଣ ଦିଆଯିବା ଉଚିତ୍‌। ଯାହାଦ୍ବାରା କୌଣସି ବି ଅଘଟଣ ଘଟିଲେ ବିନା ସମୟ ନଷ୍ଟ କରି ଅ‌ାମେ ଗୋଟେ ଜୀବନ ବଞ୍ଚାଇବାକୁ ପଦକ୍ଷେପ ନେଇ ପାରିବା।

The post ଭୂତଳର ସାଥୀ ମହମ୍ମଦ ମୁସ୍‌ତାକିମ୍‌; ଝାଡ଼ଖଣ୍ଡ ମୁଗ୍‌ମା ମାଇନ୍‌ସ ଉଦ୍ଧାର କାର୍ଯ୍ୟରେ କଟକ ଯୁବକଙ୍କ ବୀରତ୍ବ first appeared on Sambad.



from ଜିଲ୍ଲା – Sambad https://ift.tt/3mKMBdq