କବିସୂର୍ଯ୍ୟନଗର: ସିକିମ୍ ରାଜ୍ୟ ଭାରତ-ଚୀନ୍ ସୀମାନ୍ତ ନାଥୁଲାରେ ଗତକାଲି ସକାଳେ ସେନା ବାହିନୀର ଏକ ଜିପ୍ ବରଫାବୃତ୍ତ ପାହାଡ଼ିଆ ଇଲାକାରୁ ଖାତକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ସେନା ଯବାନ ସହିଦ୍ ହୋଇଛନ୍ତି। ଏହାସହ ଜିପରେ ବସିଥିବା କମାଣ୍ଡିଂ ଅଫିସରଙ୍କ ଏକ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଜଣେ ଯବାନ ଗୁରୁତର ହୋଇଛନ୍ତି। ମୃତକ ଯବାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆଠଗଡ଼ପାଟଣା ବଣିଆସାହିର ଯଜ୍ଞନାରାୟଣ କର (୨୭) ଅଛନ୍ତି। ଏହି ଖବର ଆଜି ଗ୍ରାମରେ ପ୍ରଚାର ହେବା କ୍ଷଣି ଶୋକର ଛାୟା ଖେଳିଯାଇଛି। ବରଫାବୃତ୍ତ ଇଲାକାରେ ସେନାର ଜିପ୍‌ଟି ଆସୁଥିବା ବେଳ‌େ ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକ ଶିଶୁଜଣକ କମାଣ୍ଡିଂ ଅଫିସରଙ୍କ ପୁଅ ବୋଲି ଜଣାପଡ଼ିଛି।

ପ୍ରଫୁଲ୍ଲ ଚନ୍ଦ୍ର କର ଓ କବିତାଙ୍କ ଏକ ମାତ୍ର ପୁଅ ଯଜ୍ଞ ୧୪ ମାସ ତଳେ ବାହା ହୋଇଥିବା ବେଳେ ପତ୍ନୀ ସାତମାସର ଗର୍ଭବତୀ। ୩ ଭଉଣୀଙ୍କ ମଧ୍ୟରେ ଗୋଟିଏ ଭାଇ ଥିଲେ ଯଜ୍ଞ। ବାପା ପ୍ରଫୁଲ୍ଲ ସୁରତରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବୃଦ୍ଧାବସ୍ଥା ‌କାରଣରୁ ଘରକୁ ଫେରି ଆସିଥିଲେ। କଷ୍ଟେ ମଷ୍ଟେ ଗୋଟିଏ ଝିଅକୁ ବାହା ଦେଇଥିଲେ। ବାପାଙ୍କ ବାର୍ଦ୍ଧକ୍ୟ ଅବସ୍ଥା ପରେ ପରିବାରର ପ୍ରତିପୋଷଣ ଦାୟିତ୍ବ ଯଜ୍ଞ ନିଜେ ମୁଣ୍ଡାଇଥିଲେ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଭୋଜିରେ ରୋଷେୟା ଭାବେ କାମ କରୁଥିଲେ। ଆଉ ଦୁଇ ଭଉଣୀଙ୍କୁ କଷ୍ଟେ ମଷ୍ଟେ ଶାଶୂଘର ପଠାଇବା ସହ ବାପା ମା’ଙ୍କ ଏକ ମାତ୍ର ସାହା ଭରସା ଥିଲେ। ଅଢ଼େଇ ବର୍ଷ ତଳେ ସେ ସେନାରେ (ଇଞ୍ଜିନିୟର୍ ରେଜିମେଣ୍ଟ୍) ଚାକିରି ପାଇ ଯୋଗ ଦେଇଥିଲେ। ଘରର ସବୁ ଦୁଃଖ ଦୂର ହୋଇ ଯାଇଥିଲା। ଆଉ ଗତବର୍ଷ ଜୁନ୍ ମାସ ୧୯ ତାରିଖରେ ଆସିକା ବ୍ଲକ୍ ହୁମୁକି ଗ୍ରାମର ଆରତି ପଣ୍ଡାଙ୍କ ସହ ଯଜ୍ଞଙ୍କ ବିବାହ ହୋଇଥିଲା।

ହେଲେ ଦଇବ ପୁଣି ଦାଉ ସାଧିଲା। ଗତକାଲି ମର୍ମନ୍ତୁଦ ଦୁର୍ଘଟଣାରେ ଯଜ୍ଞଙ୍କ ମୃତ୍ୟୁ ପରେ ମା’ କବିତା ଓ ବାପା ପ୍ରଫୁଲ୍ଲ ନିର୍ବାକ୍ ପାଲଟିଯାଇଛନ୍ତି। ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇବା ପରେ ସେମାନଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଆଉ କିଛି ମାସ ଗ‌ଲେ ଯଜ୍ଞ ବାପା ଡାକ ଶୁଣିଥାନ୍ତେ। ଏହା ଭାବି ପତ୍ନୀ ଆରତୀଙ୍କ ଆଖିରୁ ଲୁହ ଶୁଖୁନି। ଗାଁରେ ଜଣେ ମେଳାପୀ ଓ ପରୋପକାରୀ ଯୁବକ ଭାବେ ଯଜ୍ଞ ପରିଚିତ ଥିଲେ। ପୂରା ଆଠଗଡ଼ପାଟଣା ଗାଁ ତାଙ୍କୁ ଝୁରୁଛି। ଆସନ୍ତାକାଲି ଶବ ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନର ସହ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

The post ନାଥୁଲାରେ ବରଫ ଖାତରେ ଖସିଲା ସେନା ଜିପ୍‌: ସହିଦ୍ ୩ ଯବାନଙ୍କ ମଧ୍ୟରେ ଆଠଗଡ଼ ପାଟଣାର ଯଜ୍ଞ first appeared on Sambad.



from ଜିଲ୍ଲା – Sambad https://ift.tt/3h8xcCu