
ଭଞ୍ଜନଗର: ଝରଣାର କୁଳୁ କୁଳୁ ଶଦ୍ଦ। ଚାରିପଟେ ନିଘଞ୍ଚ ସବୁଜ ବନାନୀ ଓ ସବୁଜିମା ପରିବେଶ। ସହରର କୋଳାହଳ ପରିବେଶ ଠାରୁ ବହୁ ଦୂରରେ। ଇଏ ହେଉଛି ଇଂରେଜ ମାନଙ୍କ ଦମନଲୀଳା ବିରୋଧରେ ବିଦ୍ରୋହ କରି ଦେଶପ୍ରେମୀ ତଥା କ୍ରାନ୍ତି ପୁରୁଷ ଭାବେ ନିଜକୁ ପ୍ରତିଷ୍ଠା କରିଥିବା ମହାନ ବିପ୍ଳବୀ ଯୋଦ୍ଧା ଚକରା ବିଷୋୟୀଙ୍କ ସମର ପ୍ରଶିକ୍ଷଣ କ୍ଷେତ୍ର ‘ଚକ୍ରଘାଟି’ର ପ୍ରକୃତ ପରିଚୟ। ଘୁମୁସର ମାଟିର ଗର୍ବ ଗୌରବ ଓ ଏହି ଅଞ୍ଚଳର ବୀର ଯୋଦ୍ଧାଙ୍କ ବୀରତ୍ବର ମୂକସାକ୍ଷୀ ଚକ୍ରଘାଟି ଆଜି ଅନାଲୋଚିତ ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ। ପ୍ରାକୃତିକ ଶୋଭାରାଜିରେ ଭରପୂର ରହିଥିଲେ ମଧ୍ୟ ଏହାର ଆବଶ୍ୟକ ଉନ୍ନତୀକରଣ ହୋଇପାରୁନି। କେବଳ କିଛି ହାତଗଣତି ସାହିତ୍ୟିକ, ଐତିହାସିକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହିଁ ଏହି ଅଞ୍ଚଳ ସୀମିତ ହୋଇ ରହିଛି। ପାହାଡ଼ ଉପରେ ଦେବୀ ଚକ୍ରଘାଟିଙ୍କ ଭବ୍ୟ ମନ୍ଦିର ଥିବା ବେଳେ ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଗନ୍ତୁକଙ୍କୁ ଆକର୍ଷିତ କରିଥାଏ। ହେଲେ ଦୁଃଖର କଥା ହେଲା, ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ଭାବନା ଥିଲେ ବି ଏହା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଡ଼ୁଆଳରେ ରହିଯାଇଛି। କାରଣ ଏହାର ଉନ୍ନତିକରଣ ସହ ବହୁଳ ଭାବେ ପ୍ରଚାରପ୍ରସାର ହୋଇପାରିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ଘୁମୁସର ମାଟିର ବୀରତ୍ବର କାହାଣୀ ସଂର୍ପକରେ ଅନକେ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସିପାରିବ।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ଠାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଯିବା ରାସ୍ତାରେ ତିଳିସିଂ ନିକଟରେ ଏହି ଐତିହ୍ୟ କୀର୍ତ୍ତିରାଜି ରହିଛି। କରଡ଼ାବଣି ଛକ ଠାରୁ ନିଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ମାଟି ରାସ୍ତାରେ ଏହି ଘାଟିକୁ ଯିବାକୁ ପଡ଼ିଥାଏ। ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳର ଚନ୍ଦ୍ରଗିରି ଜଙ୍ଗଲ ମଧ୍ୟରେ ଏହି ଚକ୍ରଘାଟି ରହିଛି। ଏହା ଏକ ବିସ୍ତୀର୍ଣ୍ଣ ଜଙ୍ଗଲ। ଘାଟିରେ ଦେବୀଙ୍କ ମୂର୍ତ୍ତି ରହିଛି। ଏହି ମୂର୍ତ୍ତି ଖୋଲା ଆକାଶ ତଳେ ଥିବା ବେଳେ ବନବିଭାଗ ପକ୍ଷରୁ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇଛି। ସେହି ପାହାଡ଼ ଦେଇ କତରା ନାଳକୁ ଝରଣା ବୋହିଯାଇଛି।

ଐତିହାସିକ ମାନଙ୍କ ଗବେଷଣା ଅନୁଯାୟୀ ଏହି ସ୍ଥାନଟିକୁ ଘୁମୁସର ମାଟିର ମହାନ୍ ବିପ୍ଳବୀ ଓ ଯୋଦ୍ଧା ବୀର ଚକରା ବିଷୋୟୀ ନିଜର ସାମରିକ ପ୍ରଶିକ୍ଷଣ ପାଇଁ ଚୟନ କରିଥିଲେ। ଗଞ୍ଜାମ,କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ମଧ୍ୟବର୍ତ୍ତୀ ଇଲାକା ହୋଇଥିବାରୁ ଏହାକୁ ଚକରା ସମର କ୍ଷେତ୍ର ଭାବେ ବ୍ୟବହାର କରୁଥିଲେ। ଘୁମୁସର ଅଞ୍ଚଳ ବଛା ବଛା ଯୁବକ ମାନଙ୍କୁ ନେଇ ସେ ଇଂରେଜ ଶାସନ ବିରୋଧରେ ଲଢ଼ିବାକୁ ଯୁଦ୍ଧ କୌଶଳ ଶିଖାଉଥିଲେ। କୁସ୍ତି, ମଲ୍ଲଯୁଦ୍ଧ, ଆଖଡ଼ା, ଧନୁତୀର ନିକ୍ଷେପ, ଖଣ୍ଡା ଚାଳନା ଓ ଟାଙ୍ଗିଆ, ଫାର୍ସା ଭଳି ଦେଶୀ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷା ସହ ଗିରିପଥ ପାର କରିବା ଓ ଦୌଡ଼ିବା ଆଦି ଉପରେ ଶିକ୍ଷା ଦିଆଯାଉଥିଲା। ଏହାସହ ଏଠାରୁ ହିଁ ଗୁପ୍ତ ଯୋଜନା ପ୍ରସ୍ତୁତ ହେଉଥିଲା। କାରଣ ଏହି ଘଞ୍ଚ ଓ ଦୁର୍ଗମ ରାସ୍ତାରେ ବ୍ରିିଟିଶ୍ ସେନା ପଶିବା ଏକ ପ୍ରକାର ଅସମ୍ଭବ ଥିଲା। ଖାଲି ଏତିକି ନୁହେଁ, ଚକରା ଏଠାରେ ଦୁଇଟି ଘଣ୍ଟି ମଧ୍ୟ ସ୍ଥାପନ କରିଥିଲେ। ଯାହାକି ଶତ୍ରୁଙ୍କ ଆଗମନରେ ବାଜି ଉଠୁଥିଲା। ଏହାସହ ଚକରା ରତାଗଡ, ଗାଲେରି ନିକଟସ୍ଥ ଘାଟିଶୂଳ, କଳାକାଠି ଜଙ୍ଗଲ ଡୁମାକୁମ୍ପା ନିକଟ ହାତୀମୁଣ୍ଡା ପାହାଡ ମଧ୍ୟ ଚକରା ଇଂରେଜ ମାନଙ୍କୁ ଦମନ କରିବା ନିମନ୍ତେ କର୍ମକ୍ଷେତ୍ର ଭାବେ ଚୟନ କରିଥଲେ। ଚକରା ହିଁ ଏଠାରେ ମା’ ବନ ଦୁର୍ଗାଙ୍କୁ ରଖି ପୂଜାର୍ଚ୍ଚନା କରୁଥିବା ଶୁଣାଯାଏ।
ପ୍ରାକୃତିକ ଶୋଭା ସହ ଐତିହାସିକ କୀର୍ତ୍ତିରେ ଭରପୂର ରହିଥିଲେ ମଧ୍ୟ ଏହା ଆଜି ସଂପୂର୍ଣ୍ଣ ଅବହେଳିତ ହୋଇ ରହିଛି। ବୀର ଚକରାଙ୍କ ସ୍ମୃତି ରକ୍ଷା ସହ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ କଲେ ଘୁମୁସର ମାଟିର ଗାରିମା ଆହୁରି ବୃଦ୍ଧି ପାଇ ପାରିବ ବୋଲି ମତ ପ୍ରକାଶ ପାଇଛି।
The post ଘୁମୁସରର ଅନାଲୋଚିତ ଐତିହ୍ୟ କୀର୍ତ୍ତିରାଜି 'ଚକ୍ରଘାଟି' first appeared on Sambad.
from ଜିଲ୍ଲା – Sambad https://ift.tt/3rqUHMb
0 Comments