
ବ୍ରହ୍ମପୁର: ଏମ୍କେସିଜି ମେଡିକାଲ ଟ୍ରମା କେୟାର୍ ସେଣ୍ଟର୍ ରୋଗୀଙ୍କୁ ଶତପ୍ରତିଶତ ସେବା ଯୋଗାଇବାରେ ଏବେ ବି ବିଫଳ। ଏହି ସେଣ୍ଟର୍ର ଉଦ୍ଘାଟନକୁ ୧୧ବର୍ଷ ବିତିଛି। ଅଥଚ ଏହା ପୂର୍ଣ୍ଣାଙ୍ଗ ରୂପ ନେଇ ପାରି ନାହିଁ। ଯେଉଁ ଉଦ୍ଦେଶ୍ୟ ନେଇ ଟ୍ରମା କେୟାର୍ ସେଣ୍ଟର୍ ତିଆରି କରାଯାଇଥିଲା ତାହା ବିଭିନ୍ନ କାରଣ ଯୋଗୁଁ ପୂରଣ ହୋଇପାରୁ ନାହିଁ। ତନ୍ମଧ୍ୟରୁ ମୁଖ୍ୟ କାରଣ ହେଲା ମାନବ ସମ୍ବଳ ଅଭାବ। ଏହାର ଉଦ୍ଘାଟନ ପରଠୁ ଏଠାରେ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ସୁପର୍ସ୍ପେସାଲିଟି ବିଭାଗ ଡାକ୍ତର, ଟେକ୍ନିସିଆନ୍ ନିଯୁକ୍ତି ହୋଇପାରି ନାହାନ୍ତି। ଏହା ସତ୍ବେ ଏହି ସେଣ୍ଟର୍କୁ ଅପଗ୍ରେଡ଼ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୧.୮କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରି ସରକାରଙ୍କୁ ଅପଗ୍ରେଡ଼େସନ୍ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ସବୁଜ ସଂକେତ ମିଳିବ ପରେ ସେଣ୍ଟର୍ର ପ୍ରଥମ ମହଲାରେ ନୂତନ କୋଠା ତିଆରି ହେବ ବୋଲି ବଡ଼ ମେଡିକାଲ ଅଧୀକ୍ଷକ ପ୍ରଫେସର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି।
ବ୍ରହ୍ମପୁର ବଡ଼ ମେଡିକାଲର ଏମିତି ଏକ ବିଭାଗ ହେଲା ଟ୍ରମା କେୟାର୍ ସେଣ୍ଟର୍ ତଥା ଦୁର୍ଘଟଣା ଜନିତ ଆଶୁ ଚିକିତ୍ସା କେନ୍ଦ୍ର। ଉଦ୍ଘାଟନ ଠାରୁ ଏହି ବିଭାଗ ଠିକ୍ ଭାବେ କାର୍ଯ୍ୟକ୍ଷମ ହେବା ତ ଦୂର କଥା, ଏଠି ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇପାରୁ ନାହାନ୍ତି। ସେଣ୍ଟରକୁ ପଶିଲେ ତାହା ଭୂତକୋଠି ଭଳି ମନେ ହେଉଛି। ଅଧିକାଂଶ ବିଭାଗରେ ଝୁଲୁଛି ତାଲା। ଆଧୁନିକ ବୈଷୟିକ କୌଶଳର ସମସ୍ତ ମେସିନ୍ ଅଛି। କିନ୍ତୁ ସେଗୁଡ଼ିକ ବ୍ୟବହାର ହୋଇପାରୁ ନାହିଁ। ପୁଣି ଆବଶ୍ୟକ ଫାର୍ମାସିଷ୍ଟ, ରେଡ଼ିଓଗ୍ରାଫର୍, ଟେକ୍ନିସିଆନ୍ ମଧ୍ୟ ନାହାନ୍ତି। ବ୍ରହ୍ମପୁର ସମେତ ଆଖପାଖ ଅ˚ଚଳରେ ଓ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ୁଥିବା ବେଳେ ଆହତଙ୍କୁ ତ୍ବରିତ ଚିକିତ୍ସା ପ୍ରଦାନ ପାଇଁ ଟ୍ରମା କେୟାର୍ ସେଣ୍ଟାର୍ ଖୋଲା ଯାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନ ସହାୟତାରେ ଟ୍ରମା କେୟାର୍ ସେଣ୍ଟର୍ ପ୍ରତିଷ୍ଠା ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ରମେଶ ଚନ୍ଦ୍ର ପଟ୍ଟନାୟକ ଗତ ୨୦୦୯ ମାର୍ଚ୍ଚ ମାସରେ ଏହାର ଉଦ୍ଘାଟନ କରିଥିଲେ। ଏହି ସ୍ବତନ୍ତ୍ର ୟୁନିଟ୍ ତିଆରି ପାଇଁ କେନ୍ଦ୍ର ସରକାର ୧କୋଟି ୫୦ଲକ୍ଷ ଟଙ୍କା ଓ ବିଭିନ୍ନ ମେସିନ୍ କ୍ରୟ ବାବଦରେ ୬୭ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ। ଏଠାରେ ଅପରେସନ୍ ଥିଏଟର୍, ଏକ୍ସରେ ରୁମ୍, ଡାର୍କ ରୁମ୍, ଆଇସିୟୁ, ଆଇସିୟୁ ବର୍ନ ରୁମ୍ ଭଳି ବହୁ ବିଭାଗ ଏଠାରେ ରହିଛି। ହେଲେ ଉଦ୍ଘାଟନ ପରଠାରୁ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷ ହୋଇପାରୁ ନାହିଁ।
ବର୍ତ୍ତମାନ ଟ୍ରମା କେୟାର୍ ସେଣ୍ଟରରେ କେବଳ ଏକ୍ସରେ ମେସିନ୍ କାମ କରୁଛି। ତାହା ବି ପୁଣି ରାତି ସମୟରେ। ଆଉ ବାକି ସବୁ ବିଭାଗ କାମଚଳା ଅବସ୍ଥାରେ ରହିଛି। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ହିଁ ଏହି ସେଣ୍ଟର୍କୁ ବଞ୍ଚାଇ ରଖିଛନ୍ତି। ବିଭିନ୍ନ ଦୁର୍ଘଟଣାରେ ହାତ, ଗୋଡ଼ କିମ୍ବା ଶରୀରର ଅନ୍ୟ କିଛି ହାଡ଼ ଭାଙ୍ଗି ଆସୁଥିବା ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଉଛି। ରେଡ଼ିଓ ଡାଇଗ୍ନୋଷ୍ଟିକ୍ ବିଭାଗ କୋଠାରେ ଏମ୍ଆରଆଇ, ସିଟି ସ୍କାନ୍ ବ୍ୟବସ୍ଥା ରହିଛି। ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ ସେଠାକୁ ନିଆଯାଉଛି। ସବୁଠାରୁ ଗୁୁରୁତ୍ବପୂର୍ଣ୍ଣ ନ୍ୟୁରୋସର୍ଜରୀ ବିଭାଗ ଡାକ୍ତର ପଦବି ଖାଲି ପଡ଼ିଛି। ଯାହାକି ଟ୍ରମା କେୟାର୍ ସେଣ୍ଟର୍ର ମୁଖ୍ୟ ବିଭାଗ। ସେହିପରି ଏହି ସେଣ୍ଟର୍ ପାଇଁ ରହିଥିବା ଆମ୍ବୁଲାନ୍ସ ମଧ୍ୟ ବ୍ୟବହାର ହୋଇପାରୁ ନାହିଁ। ଏହି ବିଭାଗକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଡାକ୍ତରଙ୍କ ସହିତ ୫ଜଣ ଏସ୍ଆର୍, ୬ଜଣ ଆଇସିୟୁ ମେଡିକାଲ ଅଫିସର୍, ୪ଜଣ ଫାର୍ମାସିଷ୍ଟ୍, ୪ଜଣ ରେଡ଼ିଓ ଗ୍ରାଫର୍ ପ୍ରଭୃତି ଆବଶ୍ୟକ। ବର୍ତ୍ତମାନ ୩ଜଣ ଏସ୍ଆର୍ ଓ ଜଣେ ରେଡ଼ିଓଗ୍ରାଫର୍, ୧୦ଜଣ ନର୍ସ ରହିଥିବା ବେଳେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଏଠାରେ ଦାୟିତ୍ବ ତୁଳାଉଛନ୍ତି। ବର୍ତ୍ତମାନ ଏହାକୁ ଅପଗ୍ରେଡ଼ କରିବା ପାଇଁ ଯୋଜନା ରଖାଯାଇଛି। କିନ୍ତୁ ମାନବ ସମ୍ବଳ ଅଭାବ ରହିଥିବାରୁ ଏଠାରୁ ରୋଗୀ ଶତପ୍ରତିଶତ ଚିକିତ୍ସାସେବା ପାଇବା ନେଇ ପୁଣିଥରେ ସନ୍ଦେହ ପ୍ରକାଶ ପାଇଛି।
The post ଏମ୍କେସିଜି ମେଡିକାଲ ଟ୍ରମା କେୟାର୍ ସେଣ୍ଟର୍ : ମିଳୁ ନାହାନ୍ତି ନ୍ୟୁରୋସର୍ଜରୀ ସ୍ପେସାଲିଷ୍ଟ୍, ଅସ୍ଥିଶଲ୍ୟ ଡାକ୍ତରଙ୍କୁ ନେଇ ଚାଲିଛି କାମ first appeared on Sambad.
from ଜିଲ୍ଲା – Sambad https://ift.tt/3nbL15j
0 Comments