ବୈପାରିଗୁଡା(ଅମରେନ୍ଦ୍ର ପରିଚ୍ଛା): ଅବିଭକ୍ତ କୋରାପୁଟ ଜିଲ୍ଲା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସବୁ ସମୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି। ଏହାର ଘଂଚ ଜଂଗଲ, ସୁଉଚ୍ଚ ପର୍ବତଶ୍ରେଣୀ, ଖରସ୍ରୋତ ନଦୀ ତଥା ଜଳପ୍ରପାତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ଯଦିଓ ଏହାର ପ୍ରାକୃତିକ ପରିବେଶର ଅବକ୍ଷୟ ଆରମ୍ଭ ହୋଇସାରିଛି, ତଥାପି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନ ଏବେ ମଧ୍ୟ ପର୍ଯ୍ୟଟକଙ୍କୁ ସ୍ୱର୍ଗୀୟ ଆନନ୍ଦ ଦେଇଥାଏ। ଏଭଳି ଏକ ଆକର୍ଷଣୀୟ ତଥା ପ୍ରାକୃତିକସ୍ଥଳୀ ବୈପାରିଗୁଡାର ଗୁପ୍ତେଶ୍ୱର ପଞ୍ଚାୟତର ଶିରିବେଡା।

ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରୁ ଚାରି କିଲୋମିଟର ଦୂରରେ ଶିରିବେଡା ଅବସ୍ଥିତ। ପ୍ରାଚୀନ ଜନଜାତି ଦୁରୁଆ ସଂପ୍ରଦାୟର ଲୋକେ ଏଠାରେ କେଉଁ କାଳରୁ ବସବାସ କରି ଆସୁଛନ୍ତି। ଶିରିବେଡାକୁ ଲାଗି ବୋହି ଯାଉଛି କୋଲାବ ନଦୀ। କୋଲାବ ଏକ ପାହାଡିଆ ନଦୀ ହୋଇଥିବାରୁ ପାହାଡ କାଟି ଗୁପ୍ତେଶ୍ୱର ଜଂଗଲ ଦେଇ ଆଗକୁ ବୋହିଯାଇଛି। ନଦୀର ଦୁଇ କୂଳରେ ଘଂଚ ସବୁଜ ଅରଣ୍ୟ, ତାରି ଭିତରେ ବହୁ ପକ୍ଷୀଙ୍କର ଆବାସ। କୋଲାବର ଗୁରୁଗର୍ଜନ ସହ ବିଭିନ୍‌ ଜାତିର ବଣୁଆ ପକ୍ଷୀଙ୍କ କଳରବ ସମସ୍ତଙ୍କ ମନରେ ଆନନ୍ଦ ଭରିଥାଏ। ନଦୀର ଦୁଇ କୂଳରେ ଅନେକ ଦୂରଯାଏ ବାଲିର ଶେଜ, ଯାହା ଉପରେ ସୂର୍ଯ୍ୟ କିରଣ ପଡିଲେ ଝଲସି ଉଠେ।

ତେବେ ଶୀତ ଋତୁର ଆରମ୍ଭରୁ ଏହି ସ୍ଥାନର ସୌନ୍ଦର୍ଯ୍ୟ ଖୁବ ଆକର୍ଷଣୀୟ ହୋଇଥିବାରୁ ବାହାର ଜିଲ୍ଲାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ପିକନିକ ସ୍ଥଳୀ। କିନ୍ତୁ ଏବେ ମଧ୍ୟ ଏହା ପର୍ଯ୍ୟଟକଙ୍କର ଦୃଷ୍ଟି ଆଢୁଆଳରୁ ରହିଯାଇଥିବାରୁ ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିବାରୁ ବଂଚିତ ହେଉଛନ୍ତି। କିନ୍ତୁ ଯେଉଁମାନେ ଥରେ ଏଠାକୁ ଆସିଛନ୍ତି ସେମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲି ପାରିନାହାନ୍ତି।

ଶିରିବେଡାକୁ ଯିବାକୁ ହେଲେ ଜିଲ୍ଲା ସଦର ମହକୁମାରୁ ଜୟପୁର ବାଟ ଦେଇ ବୈପାରିଗୁଡା ପହଞ୍ଚିବାକୁ ପଡେ। ବୈପାରିଗୁଡା ଠାରୁ ଏହା ୪୦ କିଲୋମିଟର ଦୂର ପଡେ। ପର୍ଯ୍ୟଟକମାନେ ନିଜ ଗାଡିରେ କିମ୍ବା ଜୟପୁର ବା କୋରାପୁଟରୁ ଭଡା ଗାଡିରେ ଶିରିବେଡା ପର୍ଯ୍ୟନ୍ତ ଯାଇପାରନ୍ତି। ସେଠାରୁ ଚାଲି ଚାଲି କିଛି ଦୂର ଯିବା ପରେ ପଡେ ଏହି ସୌନ୍ଦର୍ଯ୍ୟ ଭରା ସ୍ଥାନ। କୋଲାବ ନଦୀ କୂଳରେ ପିକନିକ ମନାଇବା ସହ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏଥିସହ ନଦୀରେ ଭେଳାରେ ବସି ଦୁଃସାହସିକ ଜଳକ୍ରୀଡା କରି ମଜା ଉଠାଇପାରିବେ।

ଏଠାରେ ବସବାସ କରୁଥିବା ଦୁରୁଆ ଜାତିର ଲୋକେ କୋଲାବ ନଦୀରେ ଯିବା ଆସିବା କରିବା ପାଇଁ ସ୍ୱତନ୍ତ୍ର ଭାବେ ବାଉଁଶରେ ଭେଳା କରିଥାନ୍ତି। ଏହି ଭେଳାରେ ବସି ପର୍ଯ୍ୟଟକମାନେ ନଦୀର ଗୋଟିଏ କୂଳରୁ ଅନ୍ୟ କୂଳକୁ ଯାଇ ମଜା ଉଠାଇଥାନ୍ତି। ଏହାଛଡା ଏଠାରେ ମିଳୁଥିବା ବହୁ ମୂଲ୍ୟବାନ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ ମଧ୍ୟ କରିପାରିବେ। ସରଳ ଓ ନୃତ୍ୟ ସଂଗୀତ ପ୍ରିୟ ଦୁରୁଆମାନଙ୍କର ପାରଂପାରିକ ନୃତ୍ୟର ମଧ୍ୟ ମଜା ଉଠାଇପାରିବେ। ଏତଦ୍‌ ବ୍ୟତୀତ ଶିରିବେଡାରେ ରହିଥିବା ଦୁରୁଆ ସଂଗ୍ରହାଳୟ ପରିଦର୍ଶନ କରି ସେମାନଙ୍କର ଜୀବନଶୈଳୀ ସଂପର୍କରେ ବହୁ ତଥ୍ୟ ସଂଗ୍ରହ କରିପାରିବେ।

ଏଥିସହ ଓଡିଶାର ଅନ୍ୟତମ ଶୈବପୀଠ ଗୁପ୍ତେଶ୍ୱର ଠାରେ ପର୍ବତ ଗୁମ୍ଫା ଭିତରେ ବହୁ କାଳରୁ ପୂଜା ପାଇ ଆସୁଥିବା ଗୁପ୍ତେଶ୍ୱର ମହାପ୍ରଭୁଙ୍କର ଦର୍ଶନ କରିପାରିବେ। ଲୋକଲୋଚନରୁ ଦୁରରେ ରହିଥିଲେ ମଧ୍ୟ ଶିରିବେଡା ଯେ ଏକ ମନ ମୁଗ୍ଧକର ପ୍ରାକୃତିକ ପରିବେଶର ଗନ୍ତାଘର ଏହାକୁ ଆଖିରେ ଦେଖିଲେ ହିଁ ଜାଣିହୁଏ। ପ୍ରକାଶ ଥାଉକି ବିଭିନ୍ନ ଦେଶରୁ ଆସୁଥିବା ପର୍ଯ୍ୟଟକମାନେ କୋରାପୁଟ ଜିଲ୍ଲାରେ ପାଦ ଦେବା ମାତ୍ରେ ଗୁପ୍ତେଶ୍ୱର ଏବଂ ଶିରିବେଡା ଆସି ଦୁରୁଆମାନଙ୍କର ଜୀବନଜିବିକା ସଂପର୍କରେ ବହୁ ଅଜଣା ତଥ୍ୟ ସଂଗ୍ରହ କରିବା ସହ ଶିରବେଡେରେ ରହିଥିବା ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି। ଏବେ ପିକନିକ ଋତୁ ଚାଲିଥିବା ବେଳେ ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ପ୍ରାକୃତିକ ବିହାରସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ।

The post ଏକ ଅନନ୍ୟ ପିକନିକ୍‌ ସ୍ଥଳୀ: ସୌନ୍ଦର୍ଯ୍ୟରେ ଭରା ଶିରିବେଡା first appeared on Sambad.



from ଜିଲ୍ଲା – Sambad https://ift.tt/3oy7WrN