
ଜଗତସିଂହପୁର ଟାଉନ୍: ଜଗତସିଂହପୁର ହାଟବଜାର ସୋମନାଥ ହାଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୫୦ ବଖରାରୁ ଊର୍ଦ୍ଧ୍ବ ଚାଳଛପର ଘର ପୋଡି ପାଉଁସ ହୋଇ ଯାଇଛି। ଖବରପାଇ ଜଗତସିଂହପୁର ଅଗ୍ନିଶମ ବିଭାଗ ପକ୍ଷରୁ ହାଟ ବଜାରରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ହାଟ ବଜାର ଅଳ୍ପକେ ବର୍ତ୍ତି ଯାଇଥିଲା। ଅନ୍ୟଥା ପୂରା ବଜାର ଛାରଖାର ହୋଇ ଯାଇଥାନ୍ତା।
ତେବେ କେମିତି ନିଆଁ ଲାଗିଲା ତାକୁ ନେଇ ଖୋଳତାଡ଼ ବେଳେ କିଛି ଅଭ୍ୟସ୍ତ ନିଶାଡ଼ିଙ୍କ ଯୋଗୁଁ ଗଞ୍ଜେଇ ନିଆଁରେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଉଠାଇଛନ୍ତି। ଜଗତସିଂହପୁର ସୋମନାଥ ହାଟ ସପ୍ତାହକୁ ମଙ୍ଗଳବାର ଓ ଶନିବାର ଦୁଇ ଦିନ ହୋଇଥାଏ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଏଠାକୁ କାରବାର କରିବାକୁ ଆସିଥାନ୍ତି।
ତେବେ ଦୁଇ ଦିନ ହାଟ ଛାଡ଼ିଲେ ଅନ୍ୟଦିନ ଏଠାରେ ମଦୁଆ, ବ୍ରାଉନସୁଗାର, ଗଞ୍ଜଡଙ୍କ ଆଡ୍ଡା ଜମୁଛି। ବ୍ରାଉନସୁଗାର, ମଦ ଓ ଗଞ୍ଜେଇ ହାଟ ବଜାରରେ ଅବାଧରେ ବିକ୍ରି କରାଯାଉଛି। ସେଠାରେ ଥିବା ଚାଳିଆ ଘରେ ନିଶାଡିଙ୍କ ଆସର ଜମୁଛି। ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କିଛି ଲାଭ ହେଉ ନାହିଁ। ବାରମ୍ବାର ଚୋରି ଓ ନିଶାକାରବାର ହେବା ଯୋଗୁଁ ହାଟ ବଜାରରେ ଏକ ପୁଲିସ ଏଡ୍ ପୋଷ୍ଟ କରାଯାଇଛି। ସେଠାରେ ଦିନ ରାତି ପୁଲିସ କର୍ମଚାରୀ ରହୁଛନ୍ତି। ହେଲେ ପୋଷ୍ଟ ପଛ ପାଖରେ ଏଭଳି ନିଶା କାରବାର କେମିତି ଚାଲିଛି ତାହା ତଦନ୍ତ ସାପେକ୍ଷ। ଅଗ୍ନିଶମ ବିଭାଗ ଅଧିକାରୀ ଏଏଫ୍ଓ ତେଜ୍ କୁମାର ଏକ୍କା, ଏଲ୍ଏଫ୍ଏମ୍ ଦରିଦ୍ର ମୋହନ ପରିଡ଼ା, ପ୍ରତୀକ ବେହେରା, ସୀମନ୍ତ ସାମଲ, ସନ୍ତୋଷ ନାୟକଙ୍କ ସମେତ ୨୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ତେବେ କରୋନା ସମୟରେ ଗରିବ ବ୍ୟବସାୟୀମାନେ ବହୁତ କଷ୍ଟରେ ଘର ତିଆରି କରିଥିଲେ। ଏବେ ସେମାନଙ୍କ ମୁଣ୍ତରେ ଯେମିତି ଚଡ଼କ ପଡ଼ିଛି। କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ନିବଦେନ କରିଛନ୍ତି।
The post ଅଳ୍ପକେ ବର୍ତିଲା ହାଟବଜାର; ସୋମନାଥ ହାଟରେ ଅଗ୍ନିକାଣ୍ତ, ଜଳିଗଲା ପଚାଶ ବଖରା first appeared on Sambad.
from ଜିଲ୍ଲା – Sambad https://ift.tt/3mQGDZw
0 Comments