
ବ୍ରହ୍ମପୁର: ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ସବୁଠି ଭୟ ସୃଷ୍ଟି ହୋଇଛି। ବ୍ରିଟେନ୍ରୁ ରାଜ୍ୟକୁ ଫେରିଥିବା ୬୧ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ୫ଜଣ ଥିବା ଜଣାପଡ଼ିଛି। ଏହି ୫ଜଣଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଓ ୨ଜଣ ଭୁବନେଶ୍ବର ଓ ହାଇଦ୍ରବାଦ୍ରେ ଅଛନ୍ତି। ବ୍ରହ୍ମପୁର ଆସିଥିବା ୩ଜଣଙ୍କ ମଧ୍ୟରେ ଧର୍ମନଗରର ତୃତୀୟ ଲେନ୍ ଓ ଶ୍ରୀରାମନଗର ଜଗନ୍ନାଥ ବିହାରର ଜଣେ ଲେଖାଏଁ ଯୁବକ ଓ କମାପଲ୍ଲୀ ଅଞ୍ଚଳରର ଜଣେ ମହିଳା ଅଛନ୍ତି। ଏହି ୩ ଜଣଙ୍କର ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାବ୍ ସଂଗ୍ରହ କରାଯାଇ ଆର୍ଟି-ପିସିଆର୍ ଟେଷ୍ଟ୍ ନିମନ୍ତେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ପଠା ଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବ୍ରିଟେନ୍ ଫେରନ୍ତାଙ୍କୁ ଘରୋଇ ସଙ୍ଗରୋଧରେ ରହିବା ସହ କାହା ସହିତ ମିଳାମିଶା ନ କରିବା ଲାଗି ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଦେଶ ବାହାରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ତାଲିକା ରାଜ୍ୟ ସରକାର ପ୍ରଶାସନକୁ ଦେଉଛନ୍ତି। ଯେଉଁମାନେ ବିଟ୍ରେନ୍ରୁ ଫେରିଛନ୍ତି ସେମାନଙ୍କ ଭୁବନେଶ୍ବର ବିମାନ ବନ୍ଦରରେ କୋଭିଡ଼୍ ଟେଷ୍ଟ୍ ହୋଇଛି। ସେମାନେ ବର୍ତ୍ତମାନ ଘରୋଇ ସଙ୍ଗରୋଧରେ ଅଛନ୍ତି। ଗଞ୍ଜାମରେ କରୋନା ନିୟନ୍ତ୍ରଣରେ ରହିଛି। ଗତ ଅଗଷ୍ଟ ମାସ ଠାରୁ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଜିଲ୍ଲାରେ ସକ୍ରିୟ ମାମଲା ମାତ୍ର ୨୧ ରହିଛି। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଟାଟା କୋଭିଡ଼୍ ହସ୍ପିଟାଲକୁ ବନ୍ଦ କରା ଯାଇଥିଲା। ଆସନ୍ତା ୩୦ତାରିଖ ଠାରୁ ଅଶ୍ବିନୀ କୋଭିଡ଼୍ ହସ୍ପିଟାଲ ବନ୍ଦ ହେବ। ତେବେ, ୧୫୦ ଶଯ୍ୟା ବିଶିଷ୍ଟ ଏମ୍କେସିଜି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ରହିବ। ଜନସାଧାରଣ ସାମଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ଓ ନିୟମିତ ବ୍ୟବଧାନରେ ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ। ଗଞ୍ଜାମ ଜିଲ୍ଲାରେ କରୋନାର ଦ୍ବିତୀୟ ପ୍ରବାହ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।
ଦିନକୁ ଦିନ ଶୀତ ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣାଧୀନ ଥିବା ବେଳେ ଲୋକ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଭୁଲି ଗଲେଣି। କାଁ ଭାଁ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଦୋକାନ ବଜାରରେ ପ୍ରବଳ ଭିଡ଼ ଜମୁଛି। ଏଥିସହ ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। କରୋନା ଅଛି ବୋଲି ଲୋକେ ଏକରକମ ଭୁଲିଗଲେଣି। ପ୍ରଶାସନ ପକ୍ଷରୁ ମାସ୍କ୍ ଓ ସାମାଜିକ ଦୂରତ୍ବ ଉଲଂଘନକୁ ନେଇ କୌଣସି ଚଢ଼ଉ ହେଉଥିବା ମଧ୍ୟ ଦେଖିବାକୁ ମିଳୁନାହିଁ
The post ବ୍ରିଟେନରୁ ବ୍ରହ୍ମପୁର ଫେରିଛନ୍ତି ୫, ୩ ଜଣଙ୍କ ସ୍ବାବ ସଂଗ୍ରହ first appeared on Sambad.
from ଜିଲ୍ଲା – Sambad https://ift.tt/3mSHN5Q
0 Comments