ବ୍ରହ୍ମପୁର : ଅବିଭକ୍ତ ଗଞ୍ଜାମ ଜିଲ୍ଲାର ସମବାୟ ସଂସ୍ଥାଗୁଡ଼ିକ ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି। ଗୋଟିଏ ପରେ ଗୋଟିଏ ସମବାୟ ସଂସ୍ଥାରେ କୋଟିକୋଟିର ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ଏବେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ (ବିସିସି ବ୍ୟାଙ୍କ୍‌)ର ପାରଳାଖେମୁଣ୍ଡି ମହିଳା ଶାଖାରେ ବଡ଼ ଘୋଟଲା ପଦାକୁ ଆସିଛି। ନକଲି ସୁନା ଅଳଙ୍କାର ବନ୍ଧକ ରଖି ଗୋଟିଏ କି ଦୁଇଟି ନୁହେଁ, ଜଣଙ୍କ ନାମରେ ୪ଟି ଋଣ ଆକାଉଣ୍ଟ୍‌ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ଏହାର ମୂଳ ଓ ସୁଧ ମିଶି ୧୧ଲକ୍ଷ ୫୩ହଜାର ୬୬୧ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ବିସିସି ବ୍ୟାଙ୍କ୍‌ ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଅନିୟମିତତା ଧରିବା ପରେ ତାଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଡିଭିଜନ ଡିଆର୍‌ସିଏସ୍‌ ଆଜି ପୂର୍ବାହ୍ନରେ ଅଚାନକ ବ୍ୟାଙ୍କ୍‌ରେ ଶାଖାରେ ଚଢ଼ଉ କରିଥିଲେ। ଲକର୍‌ ଯାଞ୍ଚ ପରେ ଏହି ହେରଫେର ପଦାକୁ ଆସିଛି।

ସବୁଠାରୁ ବିସ୍ମୟକର ଘଟଣା ହେଲା, ବ୍ୟାଙ୍କ୍‌ର ଅଧିକୃତ ସୁନାରୀ ହିଁ ନିଜେ ଋଣଗ୍ରହୀତା। ଏହା ପରେ ସଂପୃକ୍ତ ସୁନାରୀ ଏବଂ ତତ୍‌କାଳୀନ ବ୍ୟାଙ୍କ୍‌ ମ୍ୟାନେଜର୍‌ଙ୍କ ନାମରେ ଥାନାରେ ଏତଲା ଦେବାକୁ ପାରଳାଖେମୁଣ୍ଡି ଏଆର୍‌ସିଏସ୍‌ଙ୍କୁ ଡିଆର୍‌ସିଏସ୍‌ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଏଆର୍‌ସିଏସ୍‌ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସ୍ଥିତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ର ପାରଳାଖେମୁଣ୍ଡିରେ ମହିଳା ବ୍ୟାଙ୍କ୍‌ ଶାଖା ରହିଛି। ଏହି ବ୍ୟାଙ୍କ୍‌ରେ ସୁନା ବନ୍ଧକ ରଖି ଋଣ ଦେବା ବ୍ୟବସ୍ଥା ରହିଛି। ବିସିସି ବ୍ୟାଙ୍କ୍‌ ଦ୍ବାରା ଅଧିକୃତ ବଣିଆ ଭା‌ବେ କୋରୁକୋଣ୍ଡା(କେ) ଗୋପୀ କାର୍ଯ୍ୟ କରୁଥିଲେ। ୨୦୧୬ ଠାରୁ ଇତିମଧ୍ୟରେ ସେ ନିଜେ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଉକ୍ତ ଶାଖାରୁ ସୁନା ବନ୍ଧକ ରଖି ଋଣ ନେଇଥିଲେ। ରଣ ମୂଳ ଓ ସୁଧ ମିଶି ପ୍ରାୟ ୨୫ଲକ୍ଷ ଟଙ୍କା ରହିଥିଲା। ତେବେ ନକଲି ଓ ବ୍ରୋଞ୍ଜ୍‌ ଅଳଙ୍କାର ରଖି ସୁନା ଋଣ ଦିଆ ଯାଇଥିବା ସଂକ୍ରାନ୍ତରେ ଗତ କିଛି ଦିନ ତଳେ ବିସିସି ବ୍ୟାଙ୍କ୍‌ର ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ସଙ୍ଗିନ ଅଭିଯୋଗ ଆସିଥିଲା। ଏହାକୁ ତନଖି କରିବା ପରେ ଉକ୍ତ ଶାଖାରେ ଆଚାନକ ଚଢ଼ଉ କରି ତଦନ୍ତ ଲାଗି ବ୍ରହ୍ମପୁର ଡିଭିଜନ୍‌ ଡିଆର୍‌ସିଏସ୍‌ ବିଶ୍ବରଞ୍ଜନ ଦାସଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜି ଡିଆର୍‌ସିଏସ୍‌ ବ୍ରହ୍ମପୁରରୁ ବଣିଆ ଏବଂ ଭିଡ଼ିଗ୍ରାଫର୍‌ଙ୍କୁ ସାଥିରେ ନେଇ ଅତର୍କିତ ଚଢ଼ଉ କରିଥିଲେ। ସମ୍ପୂର୍ଣ୍ଣ ଚଢ଼ଉର ଭିଡିଓଗ୍ରାଫି କରା ଯାଇଥିଲା।

ଏହି ଚଢ଼ଉରୁ ବଡ଼ ଧରଣର କେଳେଙ୍କାରୀ ଚାଲିଥିବା ପଦାକୁ ଆସିଛି। ଗତ କିଛି ଦିନ ମଧ୍ୟରେ କେ. ଗୋପୀ ଏବଂ ତାଙ୍କ ସମ୍ପର୍କୀୟ ପ୍ରାୟ ୧୪ଲକ୍ଷ ଟଙ୍କା ଋଣ ପରିଶୋଧ କରି ସାରିଛନ୍ତି। କେ. ଗୋପୀ ସୁନା ବନ୍ଧକ ରଖି ନିଜ ନାମରେ ନେଇଥିବା ୪ଟି ଋଣ ଆକାଉଣ୍ଟର ସୁଧ ଓ ମୂଳ ମିଶି ୧୧ଲକ୍ଷ ୫୩ ହଜାର ୬୬୧ଟଙ୍କା ବକେୟା ରହିଛି। ସେ ୨୦୧୬ ସେପ୍ଟେମ୍ବର ମାସରେ ୮୦ଗ୍ରାମ ସୁନା ଅଳଙ୍କାର ରଖି ଦେଢ଼ ଲକ୍ଷ ଟଙ୍କ ରଣ ନେଇଥିଲେ। ଆଜିର ଚଢ଼ଉ ବେଳେ ସୁନା ନକଲି ବୋଲି ଜଣା ପଡ଼ିଥିଲା। ନିର୍ଦ୍ଧାରିତ ଓଜନର ଅଳଙ୍କାର ନ ଥିଲା। ମାତ୍ର ୬୧ ଗ୍ରାମ ଅଳଙ୍କାର ରହିଥିଲା। ସେହିପରି ସେ ୨୦୧୭ ଜୁନ୍‌ ମାସରେ ୧୩୫ ଗ୍ରାମ ଅଳଙ୍କାର ରଖି ୧ଲକ୍ଷ ୯୦ହଜାର ଟଙ୍କା ରଣ ନେଇଥିଲେ। ଉକ୍ତ ସୁନା ଅଳଙ୍କାର ମଧ୍ୟ ନକଲି ଥିବା ବେଳେ ଅଳଙ୍କାର ଓଜନ ମାତ୍ର ୩୫ ଗ୍ରାମ ରହିଛି। ସେହିପରି ୨୦୧୭ ଏପ୍ରିଲରେ ୧୧୫ଗ୍ରାମ ଅଳଙ୍କାର ରଖି ୧ଲକ୍ଷ ୬୪ ହଜାର ଟଙ୍କା ଋଣ ନେଇଥିଲେ। ଆଜି ଚଢ଼ଉ ବେଳେ ମାତ୍ର ୧୬ଗ୍ରାମ ଅଳଙ୍କାର ରହିଥିବା ଜଣାପଡ଼ିଛି। ସେ ୨୦୧୭ ଏପ୍ରିଲରେ ୧୧୫ଗ୍ରାମ ସୁନା ଅଳଙ୍କାର ବନ୍ଧକ ରଖି ୧ଲକ୍ଷ ୬୪ହଜାର ଟଙ୍କା ଋଣ ନେଇଥିଲେ। ଆଜି ଯାଞ୍ଚ ବେଳେ ତାହା ମାତ୍ର ୧୬ଗ୍ରାମ ବୋଲି ଜଣାପଡ଼ିଛି ଏବଂ ସମସ୍ତ ଅଳଙ୍କାର ବ୍ରୋଞ୍ଜ୍‌ ଓ ନକଲି ରୋଲ୍‌ଡ ଗୋଲ୍‌ଡ ବୋଲି ଜଣାପଡ଼ିଛି। ‌ଚଢ଼ଉ ପରେ ଏହି ଘୋଟାଲା ପଦାକୁ ଆସିଥିଲା ବେଳେ ସେତେବେଳେ ମହିଳା ବ୍ୟାଙ୍କ୍‌ ଶାଖାର ମ୍ୟାନେଜର୍‌ ତଥା ବର୍ତ୍ତମାନର କାଶୀନଗର ବିସିସି ବ୍ୟାଙ୍କ୍‌ ଶାଖା ପରିଚାଳକ ଆର.ଭୁଜଙ୍ଗ ରାଓ ଏବଂ ବଣିଆ ତଥା ଋଣୀ କେ. ଗୋପୀଙ୍କ ନାମରେ ଥାନାରେ ଏତଲା ହୋଇଛି।

The post ବିସିସି ବ୍ୟାଙ୍କ୍‌ ପାରଳାଖେମୁଣ୍ଡି ମହିଳା ଶାଖାରେ ବଡ଼ କେଳେଙ୍କାରୀ : ନକଲି ସୁନା ରଖି ୧୧.୫ ଲକ୍ଷ ଋଣ ହଡ଼ପ first appeared on Sambad.



from ଜିଲ୍ଲା – Sambad https://ift.tt/342E1QL