ଫୁଲବାଣୀ: କନ୍ଧମାଳର ମାଓପ୍ରବଣ ଇଲାକାରେ ପୁଲିସର କମ୍ବିଂ ଅପରେସନ୍ ଜାରି ରହିଛି। ବିଭିନ୍ନ ସମୟରେ କ୍ୟାମ୍ପ୍ ଠାବ ସହ ପୁଲିସ ଗୁଳିରେ ମାଓବାଦୀ ନିହତ ହେଉଛନ୍ତି। ତଥାପି ପଛକୁ ହଟୁନାହାନ୍ତି ଲାଲ୍‌ବାହିନୀ। ପ୍ରତିଶୋଧପରାୟଣ ହୋଇ ଜଙ୍ଗଲରେ ମେଳି କରିବା ସହ ବଡ଼ଧରଣର ହିଂସା ଘଟାଇବାକୁ ଯୋଜନା କରୁଛନ୍ତି। ଗତ ୧୧ ତାରିଖରେ ଗୋଛାପଡ଼ା ଥାନା ଅଧୀନ ପାଦରପଡା ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା। ପୁଲିସ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ୨୦ରୁ ୨୫ଜଣ ଛତ୍ରଭଙ୍ଗ ଦେଇ ପଳାଇଥିଲେ।

ଆଜି ପାଦରପଡ଼ା ନିକଟ ବିରେଣି ଜଙ୍ଗଲରେ ପୁଣି ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଉପରକୁ ମାଓବାଦୀ ‌ଗୁଳି ସହ ଗ୍ରେନେଡ଼୍ ମାଡ଼ କରିଥିଲେ। ତଥାପି ଗୁଳି ମାଡ଼ ନ କରି ଆତ୍ମସମର୍ପଣ ଲାଗି ମାଓବାଦୀଙ୍କୁ କୁହାଯାଇଥିଲା। କିନ୍ତୁ ମାଓବାଦୀମାନେ ଗୁଳି ଚାଳନା ଜାରି ରଖିଥିଲେ। ଗ୍ରେନେଡ୍‌ ବି ମାଡ଼ କରିଥିଲେ। ପୁଲିସ ପାଲଟା ଗୁଳି ଚାଳନା କରିବାରୁ ମାଓବାଦୀମାନେ ଭ‌ୟରେ କ୍ୟାମ୍ପ୍ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ଏଠାରେ ୮ରୁ ୧୦ ଜଣ ମାଓବାଦୀ ଥିବା ବେଳେ କ୍ୟାଡ଼ର୍ ମାଓନେତା ଦସୁର୍ ବି ଥିଲା। ତେବେ ଗତଥର ଭଳି ଏଥର ମଧ୍ୟ ଦସୁର୍ ଖସିଯିବାରେ ସକ୍ଷମ ହୋଇଥିଲା। ପୁଲିସ ଉକ୍ତ କ୍ୟାମ୍ପରୁ ୨ଟି ଦେଶୀ ବନ୍ଧୁକ, ଗୋଟିଏ ରେଡିଓ, ଔଷଧ, ପୋଷାକ ପତ୍ର ଏବଂ ରାସନ ସାମଗ୍ରୀ ଠାବ କରିଥିବା ନେଇ ଏସ୍‌.ପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

The post ପୁଣି ଖସିଗଲା ମାଓନେତା ଦସୁର୍, ପୁଲିସ ଉପରକୁ ଗୁଳି ଓ ଗ୍ରେନେଡ୍‌ ମାଡ଼ first appeared on Sambad.



from ଜିଲ୍ଲା – Sambad https://ift.tt/2Wziqva