
ବାରିପଦା: ବାରିପଦା ଅର୍ବାନ ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଦାଲତ ଅବମାନନା ନିମନ୍ତେ ସରକାରଙ୍କୁ କୈଫିୟତ ତଲବ କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ପରେ ବି କ’ଣ ପାଇଁ ଏଯାଏ ଜମାକାରୀଙ୍କୁ ସେମାନଙ୍କର ଅର୍ଥରାଶି ଫେରସ୍ତ କରାଯାଇନାହିଁ, ସେ ନେଇ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ।
ସୂଚନାଯୋଗ୍ୟ, ୨୦୧୨ ମସିହାରୁ ବାରିପଦା ଅର୍ବାନ ବ୍ୟାଙ୍କର ୩୬୯୮୪ ଜମାକାରୀ ସେମାନଙ୍କ ଜମାରାଶି ଉଠାଇ ନପାରି ହୀନସ୍ତା ହେଉଛନ୍ତି। ଜମାଟଙ୍କା ଫେରସ୍ତ ପାଇଁ ପୂର୍ବତନ ପରିଚାଳନା ପରିଷଦର ପ୍ରଚେଷ୍ଟା କ୍ରମେ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ମିସ୍ କେସ୍ ନମ୍ବର ଆଇଏ ୬୯୫/୨୦୨୦ର ବିଚାର କରି ଅଦାଲତ ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅର୍ବାନ୍ ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କୁ ପ୍ରାୟ ୩ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ ଦିଆଯାଇଥିଲା। ତେବେ ଏହି ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଟଙ୍କା ଫେରସ୍ତ ଉପରେ ସ୍ଥଗିତାଦେଶ ଜାରି କରାଯିବାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ବନ୍ଦ ରହିଥିଲା।
ପୁନଶ୍ଚ ଉଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ଗତ ସେପ୍ଟେମ୍ବର ୧୫ରେ ଉକ୍ତ ମାମଲାର ଶୁଣାଣି କରି ୮ ସପ୍ତାହ ମଧ୍ୟରେ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଅର୍ବାନ୍ ବ୍ୟାଙ୍କ ଟଙ୍କା ଫେରସ୍ତ ଦେବାର ନାଁ ଧରିଲାନାହିଁ। ଏହା ବିରୋଧରେ ବ୍ୟାଙ୍କର ପୂର୍ବତନ ସଭାପତି ଗିରିଧାରୀ ପୃଷ୍ଟିଙ୍କ ଉଦ୍ୟମରେ କରଞ୍ଜିଆ ଅଞ୍ଚଳର ଜମାକାରୀ ପଙ୍କଜ କୁମାର ଶାହା ଓ ଅନ୍ୟ କିଛି ଜମାକାରୀ ଉଚ୍ଚ ନ୍ୟାୟାଳୟରେ କେସ୍ ନମ୍ବର ୫୫୭୬/୨୦୨୦ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଆଜି ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଏହାର ଶୁଣାଣି କରି ଅଦାଲତର ନିର୍ଦ୍ଦେଶ ସତ୍ତ୍ବେ ଜମାକାରୀଙ୍କୁ କାହିଁକି ଟଙ୍କା ଦିଆଯାଇନି ବୋଲି ପ୍ରଶ୍ନ କରି ସରକାରଙ୍କୁ କୈଫିୟତ ତଲବ କରିଥିଲେ। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ଜାନୁଆରି ୭କୁ ଧାର୍ଯ୍ୟ କରାଯାଇଛି। ଜମାକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ତ୍ରିପାଠୀ ଓ ରାକେଶ କୁମାର ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି।
The post ସରକାରଙ୍କୁ ଜବାବ ମାଗିଲେ ଉଚ୍ଚ ନ୍ୟାୟାଳୟ, ବାରିପଦା ଅର୍ବାନ ବ୍ୟାଙ୍କ୍ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମାମଲା first appeared on Sambad.
from ଜିଲ୍ଲା – Sambad https://ift.tt/2K6oMji
0 Comments