
କଟକ: ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନା ଭିତରେ ନିର୍ଯାତନା ଦିଆଯାଇଛି। ଦିନରାତି ଅଟକ ରଖି ନିର୍ଯାତନା ଦିଆଯିବା ସହିତ ବିଭିନ୍ନ ପ୍ରକାର ଧମକଚମକ ଦିଆଯାଇଛି। ଏପରିକି, ବିନା ମହିଳା ପୁଲିସ୍ରେ ତାଙ୍କର ଗର୍ଭ ପରୀକ୍ଷା କରାଯାଇଛି। ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ମିଛ ମାମଲାରେ ତାଙ୍କ ବାପାମା’ଙ୍କୁ ଜେଲ୍ ହାଜତକୁ ପଠାଇବାର ଧମକ ମଧ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ, ଥାନା ଭିତରେ ମାମଲାକୁ ରଫାଦଫା କରିବା ପାଇଁ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ଉପସ୍ଥିତିରେ ଚାପ ପ୍ରୟୋଗ କରାଯାଇଛି। କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ଥାନା ପୁଲିସ୍ ବିରୋଧରେ ଏହିଭଳି ସଙ୍ଗୀନ ଅଭିଯୋଗ ଆସିଛି। ଚାଇଲ୍ଡଲାଇନ୍ ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ ଘଟଣାର ତଦନ୍ତ ପାଇଁ କଟକ ଗ୍ରାମାଚଂଳ ଏସ୍ପିଙ୍କ ନିର୍ଦ୍ଦେଶ ପରେ ଆଠଗଡ଼ ଏସ୍ଡିପିଓ ବସୁନ୍ଧରାରେ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି। ଘଟଣାର ତଦନ୍ତ କରି ଏସ୍ପିଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି।
ଚାଇଲ୍ଡ୍ଲାଇନ୍ର ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ନରସିଂହପୁର ଥାନାରେ ଏକ ମାମଲାରେ ପୀଡ଼ିତା ୧୭ବର୍ଷର ନାବାଳିକାଙ୍କୁ ଗତ ଅକ୍ଟୋବର ୧୮ତାରିଖ ଦିନ କଟକ ଅଣାଯାଇ ଚାଇଲ୍ଡ୍ଲାଇନକୁ ହସ୍ତାନ୍ତର କରାଯିବା ପରେ ବସୁନ୍ଧରାରେ ରଖାଯାଇଥିଲା। ତେବେ ବସୁନ୍ଧରାରେ ରହିବା ସମୟରେ ନାବାଳିକାର ମାନସିକ ସ୍ଥିତି ଓ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଯାଂଚ କରାଯାଉଥିଲା। ସେଠାରେ ରହିବା ସମୟରେ ନାବାଳିକା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ନରସିଂହପୁର ଥାନାର ଏଏସ୍ଆଇ ଶ୍ରୀ ନାୟକ ଡାକ୍ତରୀମାଇନା ନାଁରେ ଦୁଇଦିନ ଧରି ଥାନାରେ ଅଟକ ରଖିବା ସହିତ ମାମଲା ରଫାଦଫା କରିବା ପାଇଁ ଚାପ ପ୍ରୟୋଗ କରିଥିଲେ। ଏପରିକି, ତାଙ୍କୁ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ। ନାବାଳିକା ଏହିଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସୁଶ୍ରୀ ମନ୍ଦାକିନୀ ଜେନା ଘଟଣା ସଂପର୍କରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କୁ ଅବଗତ କରିବା ସହ ଘଟଣା ସଂପର୍କରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ମଧ୍ୟ ଜଣାଇଛନ୍ତି। ଏ ନେଇ ଚାଇଲ୍ଲାଇନ୍ ପକ୍ଷରୁ ଥାନାରେ ଏତଲାଦିଆଯାଇଛି। ଏତଲା ପରେ ଆଜି ଆଠଗଡ଼ ଏସ୍ଡିପିଓ ଆଲୋକ ରଂଜନ ରାୟ ବସୁନ୍ଧରାରେ ପହଞ୍ଚି ଚାଇଲ୍ଡ୍ଲାଇନ୍ର ସଂଯୋଜକ ନାରାୟଣ ଶୁକ୍ଳା ଓ ଇତିଶ୍ରୀ ରାଉତ୍ଙ୍କ ଉପସ୍ଥିତିରେ ପୀଡ଼ିତା ନାବାଳିକାଙ୍କ ବୟାନ ରେକର୍ଡ କରିଥିଲେ। ଘଟଣା ସଂପର୍କରେ ଗ୍ରାମାଞ୍ଚଳ ଏସ୍ପି ବି. ଯୁଗଳ କିଶୋରଙ୍କୁ ଯୋଗାଯୋଗ କରିବାରୁ, ଆଠଗଡ଼ ଏସ୍ଡିପିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ୨ମାସ ତଳେ ଅର୍ଥାତ୍ ଅକ୍ଟୋବର ମାସରେ ନାବାଳିକା ମାଟ୍ରିକ୍ ସାର୍ଟିଫିକେଟ ଆଣିବା ପାଇଁ ସ୍କୁଲକୁ ଯାଇଥିବାବେଳେ ସେଠାରେ ଶରଧାପୁର ଗ୍ରାମର ଜଣେ ଯୁବକ ବଳପୂର୍ବକ ଶାରୀରିକ ସଂପର୍କ ରଖିବା ସହ ମୋବାଇଲରେ ସେହି ସମୟର ଭିଡିଓ ଉତ୍ତୋଳନ କରିଥିଲା। ସେହି ଭିଡିଓ ଦେଖାଇ ବାରମ୍ବାର ଘରକୁ ଡାକି ଶାରୀରିକ ସଂପର୍କ ରଖୁଥିଲା। ଯାଫଳରେ ନାବାଳିକା ଗର୍ଭବତୀ ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ଭୟରେ ନାବାଳିକା ଘରୁ ଲୁଚି ପଳାଇଥିଲା। ଅଭିଯୁକ୍ତ ଯୁବକ ତାକୁ ଏକ ଭଡ଼ାଘରେ ରଖିଥିଲା ଓ ଗର୍ଭପାତ ପାଇଁ ଔଷଧ ଆଣି ଦେଇଥିଲା। ତେବେ, ନରସିଂହପୁର ପୁଲିସ ଯୁବକର ମାମୁଁଘରୁ ନାବାଳିକାକୁ ଉଦ୍ଧାର କରି ଥାନା ଆଣି ମାମଲାକୁ ରଫାଦଫା କରିବା ପାଇଁ ଚେଷ୍ଟା କରିଥିଲେ। ପୁଲିସ ବାବୁଙ୍କ ସହ ଯୁବକଙ୍କ ସଂପର୍କୀୟ ଥାନା ଭିତରେ ନାବାଳିକାକୁ ନିର୍ଯାତନା ବି ଦେଇଥିଲେ। ଯାହାକୁ ନେଇ ନାବାଳିକା ମୁହଁ ଖୋଲିବା ସହ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
The post ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ଥାନାରେ ନିର୍ଯାତନା! ମାମଲା ରଫାଦଫା ପାଇଁ ଥାନାରେ ଚାପ first appeared on Sambad.
from ଜିଲ୍ଲା – Sambad https://ift.tt/37u0rwB
0 Comments