ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍‌ କ୍ଲବ ପକ୍ଷରୁ ଚଳିତବର୍ଷ ଆୟୋଜିତ ସୁନ୍ଦରୀ ଶ୍ରୀମତି ପ୍ରତିଯୋଗିତା (୬ଷ୍ଠ ମୁମ୍ବାଇ ଗ୍ଲୋବାଲ୍‌ ଇଣ୍ଡିଆ ବିୟୁଟି ପିଜାଣ୍ଟ-୨୦୨୦)ରେ ଅଂଶଗ୍ରହଣ କରିଥିବା ବ୍ରହ୍ମପୁରର ରାମେଶ୍ବରୀ ନନ୍ଦ ଦ୍ବିମୁକୁଟ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ ଫାଇନାଲ୍‌ରେ ସାରା ଭାରତର ବିଭିନ୍ନ ପ୍ରାନ୍ତରୁ ମୋଟ ୧୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତିନିଟି ରାଉଣ୍ଡରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବେଷ୍ଟ ବଡି ବିୟୁଟି କ୍ରାଉନ୍‌ ହାସଲ କରିଥିଲେ। ଏଥିସହ ‘ବ୍ରାଣ୍ଡଆମ୍ବାସେଡର୍‌ ଅଫ୍ ମୁମ୍ବାଇ ଗ୍ଲୋବାଲ୍ ଫର୍‌ ଓଡ଼ିଶା-୨୦୨୦’ ଭାବେ ଆଉ ଏକ କ୍ରାଉନ୍‌ ହାସଲ କରିଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ଏକ ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ଏଭଳି ସଫଳତା ହାସଲ କରିବା ପରେ ନିଜର ଖୁସି ପ୍ରକଟ କରିଛନ୍ତି।

ରାମେଶ୍ବରୀଙ୍କ ନିଜ ଘର ବାଲୁଗାଁ ହୋଇଥିବା ବେଳେ ବ୍ରହ୍ମପୁର ଅନନ୍ତନଗରରେ ତାଙ୍କର ଶାଶୂଘର। ପିଲା ବେଳୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଗୀତ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି। ବିବାହ ପରେ ବ୍ରହ୍ମପୁରରେ କଳାଞ୍ଜଳି ନାମରେ ଏକ ସାଂସ୍କୃତି ଅନୁଷ୍ଠାନ ଗଡ଼ିଛନ୍ତି। ସେଥିରେ ତାଲିମ୍‌ପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ବାରା କୁନିକୁନି ପିଲାଙ୍କୁ ଓଡ଼ିଶୀ ସମେତ ଆଧୁନିକ ନୃତ୍ୟରେ ପ୍ରଶିକ୍ଷଣ ‌ଦିଆଯାଉଛି। ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକତା ମଧ୍ୟ କରୁଛନ୍ତି। ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରି ସମ୍ମାନିତ ହୋଇଛନ୍ତି। କରୋନା ପାଇଁ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ ମିସେସ୍‌ ଇଣ୍ଡିଆ ଭଳି ଏକ ଜାତୀସ୍ତରର ପ୍ରତିଯୋଗିତାରେ ଅନ୍‌ଲାଇନ୍‌ରେ ଅଂଶଗ୍ରହଣ କରିଥିଲେ। ଫାଇନାଲକୁ ଉନ୍ନୀତ ହେବାପରେ ସଫଳତା ହାସଲପାଇଁ ମାସାଧିକ କାଳ ନିଜକୁ ପ୍ରସ୍ତୁତ କରିଥିଲେ। ଯାହାର ସୁଫଳ ପାଇଥିବା ପ୍ରକାଶ କରିଛନ୍ତି। ସ୍ବାମୀ ଅର୍ଦ୍ଧେନ୍ଦୁ ଶେଖର ପାଣିଗ୍ରାହୀଙ୍କ ସମେତ ତାଙ୍କ ପରିବାରବର୍ଗ, ବନ୍ଧୁପରିଜନଙ୍କୁ ଏହି ସଫଳାତାର ଶ୍ରେୟ ଦେଇଛନ୍ତି।

The post ଜାତୀୟସ୍ତରର ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ରାମେଶ୍ବରୀଙ୍କୁ ଦ୍ବିମୁକୁଟ  first appeared on Sambad.



from ଜିଲ୍ଲା – Sambad https://ift.tt/3p7Uyv3