
ଯୁଯୁମୁରା: ପରୀ ଘଟଣା ଓ ଏବେ ଢେଙ୍କାନାଳର ଶିଶୁ ନିଖୋଜ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବା ସମୟରେ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛି ୪ ବର୍ଷ ତଳର ସମ୍ବଲପୁରର ଶିଶୁ ଚୋରି ଘଟଣା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ସଦ୍ୟ ଜନ୍ମିତ ଶିଶୁପୁତ୍ରକୁ ଚୋରି କରିନିଆଯିବା ଘଟଣାକୁ ଇତି ମଧ୍ୟରେ ୩ ବର୍ଷ ୯ ମାସ ପୂରିଲାଣି। ସିସିଟିଭିରେ ଶିଶୁ ଚୋରିର ତମାମ୍ ଘଟଣା ସ୍ପଷ୍ଟ ଭାବେ ବାରି ହେଉଥିଲେ ହେଁ ପୁଲିସ୍ ଘଟଣାକୁ ଗୁରୁତର ସହ ନେଇନଥିଲା। ଏବେ ବି ଉକ୍ତ ଶିଶୁର ମା’ ଗୀତାଞ୍ଜଳି ମାଝୀ ଓ ବାପା ଅନିରୁଦ୍ଧ ମାଝୀ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। କିନ୍ତୁ ଶିଶୁକୁ କିଏ ନେଲା, କେଉଁ ଉଦ୍ଦେଶ୍ୟରେ ନେଲା ସେହି ଘଟଣା ରହସ୍ୟମୟ ହୋଇ ରହିଯାଇଛି। ଏହି ଘଟଣା ପରଠାରୁ ୩ ଟି ଏସ୍ପିଙ୍କ ବଦଳି ହୋଇସାରିଲାଣି କିନ୍ତୁ ଶିଶୁର ପତ୍ତା ମିଳିପାରୁନି।
କେବଳ ଯେ ଏହି ଗୋଟିଏ ଘଟଣା ନୁହେଁ, ବରଂ ଗତ ୧୧ ମାସର ରିପୋର୍ଟକୁ ଦେଖିଲେ ସମ୍ବଲପୁର ଜିଲ୍ଲାରୁ ୭୭ ଜଣ ନାବାଳକ ଶିଶୁପୁତ୍ର ଓ କନ୍ୟା ନିଖୋଜ ହେବା ଘଟଣା ସାମ୍ନାକୁ ଆସିଥିବା ସମୟରେ ଏମାନଙ୍କ ମଧ୍ୟରୁ ହାତଗଣତି କେଇଜଣଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କୁ ପୁଲିସ୍ ଚିହ୍ନଟ କରିବାରେ ବି ସଫଳ ହୋଇପାରିନାହିଁ।
ସ୍ମରଣଯୋଗ୍ୟ, ୨୦୧୭ ମସିହା ମାର୍ଚ୍ଚ ୨୩ ତାରିଖରେ ଯୁଯୁମୁରା ବ୍ଲକ ଆମଲୀପାଣିର ଗୀତାଞ୍ଜଳିଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିଦିନ ମଧ୍ୟାହ୍ଣରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିନ୍ତୁ ଶିଶୁ ଜନ୍ମର କେଇ ଘଣ୍ଟା ପରେ ମା’ ଗୀତାଞ୍ଜଳିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ରାତି ପ୍ରାୟ ୨ ଟା ସମୟରେ ଗୀତାଞ୍ଜଳିଙ୍କ ଶାଶୂ ମାଳତୀ ତାଙ୍କ ନାତି ପାଖରେ ଶୋଇଥିବା ଅବସ୍ଥାରେ ଜଣେ ମହିଳା ଆସି ନିଜକୁ ଡାକ୍ତରଖାନାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ମାଳତୀ ମଧ୍ୟ ଉକ୍ତ ମହିଳାଙ୍କୁ ବିଶ୍ବାସ କରି ଶିଶୁପୁତ୍ର ପାଖକୁ ଆସିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହାରି ଭିତରେ ମାଳତୀଙ୍କ ନିକଟରୁ କୌଶଳପୂର୍ବକ ଉକ୍ତ ମହିଳା ଶିଶୁ ପୁତ୍ରକୁ ନେଇ ଫେରାର୍ ହୋଇଯାଇଥିଲା। ଗୀତାଞ୍ଜଳିଙ୍କ ଚେତା ଫେରିବା ପରେ ପାଖରେ ପୁଅକୁ ନପାଇ ସେ ବିଚଳିତ ହୋଇପଡ଼ିଥିଲେ। ବହୁ ଖୋଜାଖୋଜି ପରେ ନମିଳିବାରୁ ପୁଅ ଚୋରି ହୋଇଥିବା ଘଟଣା ଜଣାପଡ଼ିଥିଲା।
ଏନେଇ ସମ୍ବଲପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ୨ଟି ଟିମ୍ ଗଠନ କରି ଚଢ଼ଉ କରିଥିଲା। ସେପଟେ, ଏହି ଘଟଣା ସିସିଟିଭିରେ କଏଦ୍ ହୋଇଥିବାରୁ ଭିଡିଓରେ ଥିବା ମହିଳାଙ୍କ ଫଟୋ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉକ୍ତ ଶିଶୁର ପତ୍ତା ମିଳିପାରିଲା ନାହିଁ। ସେପଟେ, ଉକ୍ତ ଦମ୍ପତି ୧ ବର୍ଷ କାଳ ଡାକ୍ତରଖାନାରେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ହେଁ ପୁଅକୁ ନପାଇ ଘରକୁ ଫେରିଥିଲେ। ପୂର୍ବରୁ ସେମାନଙ୍କର ଗୋଟିଏ ସନ୍ତାନ ରହିଥିବା ସମୟରେ ଚୋରି ହୋଇଥିବା ପୁଅ ତାଙ୍କର ଦ୍ବିତୀୟ ସନ୍ତାନ ଥିଲା। ଇତି ମଧ୍ୟରେ ସେମାନଙ୍କର ତୃତୀୟ ସନ୍ତାନ ମଧ୍ୟ ଜନ୍ମ ହୋଇସାରିଥିବା ଜଣାପଡ଼ିଛି।
The post ପିଲା ଚୋରିକୁ ୪ ବର୍ଷ ହେଲାଣି, ତଥାପି ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍ first appeared on Sambad.
from ଜିଲ୍ଲା – Sambad https://ift.tt/37uRd31
0 Comments