ମାଲକାନଗିରି: ଗୁରୁବାର ସକାଳେ ମାଥିଲି ବ୍ଲକ୍‌ ଅଞ୍ଚଳର ମହୁପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳିଆଗୁଡ଼ା ଗ୍ରାମ ନିକଟରେ ନକ୍ସଲ୍‌ମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ୩ଟି ଗାଡ଼ି ପୋଡ଼ି ପକାଇଛନ୍ତି।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ରାସ୍ତା କାମ ତଦାରଖ କରିବାକୁ ଠିକାଦାର ସୁକୁମାର ମଣ୍ଡଳ ଆଜି ସକାଳ ପ୍ରାୟ ୯ଟା ବେଳେ ଏକ ବୋଲେରୋ ଗାଡ଼ିରେ ସେଠାରେ ପହଞ୍ଚିଥିଲେ। ସେହି ସମୟରେ ନକ୍ସଲ୍‌ମାନେ ତାଙ୍କୁ ଗାଡ଼ିରୁ ବାହାର କରି ଆଣି ହତ୍ୟା କରିଥିଲେ। ତାଙ୍କୁ ହତ୍ୟା କରିବା ପରେ ନକ୍ସଲ୍‌ମାନେ ତାଙ୍କର ତିନୋଟି ଗାଡ଼ିକୁ ମଧ୍ୟ ପୋଡ଼ି ପକାଇଛନ୍ତି।

ଏ ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ।

ଉଲ୍ଲେଖଯୋଗ୍ୟ କି, ଗତ ଏକ ମାସ ମଧ୍ୟରେ ମାଲକାନଗିରି ପୁଲିସ ଦୁଇଟି ଏନ୍‌କାଉଣ୍ଟର୍‌ରେ ୩୦ଜଣ ଦୁର୍ଦ୍ଦାନ୍ତ ନକ୍ସଲ୍‌ଙ୍କୁ ହତ୍ୟା କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି।

‘ଲାଲଗଡ଼’ କୁହାଯାଉଥିବା ଜିଲ୍ଳାର ସ୍ୱାଭିମାନ ଅଞ୍ଚଳରେ ୭ଟି ‘ବିଏସ୍‌ଏଫ୍‌’ କ୍ୟାମ୍ପ୍‌ ସ୍ଥାପନା କରାଯିବା ସହ ‘ଏସ୍‌ଓଜି’ ଏବଂ ଡିଭିଏଫ୍‌ ଯବାନଙ୍କଦ୍ୱାରା ଘନ ଘନ ଚଢ଼ାଉ କରାଯିବା କାରଣରୁ ନକ୍ସଲ୍‌ମାନେ ଏକ ପ୍ରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇ ଘାଇଲା ବାଘ ଭଳି ଆଚରଣ କରୁଛନ୍ତି।

The post ଠିକାଦାରଙ୍କୁ ହତ୍ୟା କରି ୩ଟି ଗାଡ଼ି ପୋଡ଼ି ପକାଇଲେ ନକ୍ସଲ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/34nie6J