
ଫୁଲବାଣୀ: କନ୍ଧମାଳରେ ବଡ଼ଦିନ ପାଳନ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡା.ବୃନ୍ଦା ଡି ବୈଠକରେ ଅଧ୍ୟକ୍ଷତା କରି ଶାନ୍ତିପୂର୍ଣ୍ଣ ଓ ନିରାଡ଼ମ୍ବରରେ ବଡ଼ଦିନ ପାଳନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କରୋନାର ଲହରୀ ଏବେ ବି ରହିଛି। ତେଣୁ ଅସାବଧାନ ହେଲେ କରୋନା ପୁଣି କାୟା ବିସ୍ତାର କରିବା ଆଶଙ୍କା ରହିଛି। ଚର୍ଚ୍ଚ ସାଜସଜ୍ଜା ଓ ଡାକବାଜି ବ୍ୟବହାରରେ କୌଣସି ସମସ୍ୟା ନାହିଁ। ହେଲେ ୧୦ରୁ ୧୫ ଜଣ ମଧ୍ୟରେ ବଡ଼ଦିନ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏସ୍.ପି ଭିନୀତ୍ ଅଗ୍ରୱାଲ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଭାଇମାନେ ଚଳିତ ବର୍ଷ ନିଜ ନିଜ ଘରେ ବଡ଼ଦିନ ପାଳନ କରିବାକୁ ଅନୁରୋଧ କରିଥିଲେ।
ଆସନ୍ତା ଫେବ୍ରୁଆରି ମାସ ଯାଏ ଶୀତ ପଡ଼ିବ। ଏଥର ଉତ୍ସବ ପାଳନ ନ ହେଲେ ଆସନ୍ତା ବର୍ଷ ହେବ। ହେଲେ କରୋନାରେ କାହାର ଜୀବନ ଗଲେ ଆଉ ଫେରାଇ ଆଣିହେବ ନାହିଁ ବୋଲି ସେ କହିବା ସହ ନିରାଡ଼ମ୍ବରରେ ବଡ଼ଦିନ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଖ୍ରୀଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ବିଶେଷ ସଂପ୍ରତି କନ୍ଧମାଳରେ କରୋନା ନିୟନ୍ତ୍ରଣରେ ରହିଛି ବୋଲି କହିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୦-୧୦୦ ଲୋକ ଏକତ୍ରିତ ହୋଇ ବଡ଼ଦିନ ପାଳନ କରି ପାରିବେ ବୋଲି ସେଠାକାର ପ୍ରଶାସନ ଅନୁମତି ଦେଇଛନ୍ତି। ତେଣୁ କନ୍ଧମାଳରେ ଏଭଳି ଅନୁମତି ଦେବାକୁ ସେମାନେ ଅନୁରୋଧ କରିଥିଲେ। ଏମାନଙ୍କ ମତାମତକୁ ଗୁରୁତ୍ବ ଦେବାକୁ ବରିଷ୍ଠ ସାମ୍ବଦିକ ଡ.ଅରୂପ କୁମାର ଜେନା କହିଥିଲେ। କୋଭିଡ ନିୟମକୁ ପାଳନ କରିବା ସ୍ବରୂପ ଯାହା କିଛି ପ୍ରଶାସନ ନିଷ୍ପତ୍ତି ନେବାକୁ କୁଇ ସମାଜ ସମନ୍ବୟ ସାଧାରଣ ସମ୍ପାଦକ ଲମ୍ବୋଦର କହଁର କହିଥିଲେ। ଶେଷରେ ଜିଲ୍ଲାପାଳ ସବୁ ଦିଗକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।
ଖ୍ରୀଷ୍ଟ ଉତ୍ସବ ପାଳନ ନିଷ୍ପତ୍ତି ପ୍ରଶାସନ ଝୁଲାଇ ରଖିଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ .ପି ବିପିନ ବିହାରୀ ବେହେରା, ଫୁଲବାଣୀ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଆଇପିଏସ୍ ପ୍ରୋବେସନର ଅଭିନବ ଶଙ୍କର, ସମସ୍ତ ବ୍ଳକର ବିଡିଓ, ତହସିଲଦାର, ଉପଖଣ୍ଡ ପୁଲିସ ଅଧିକାରୀ, ସବୁ ଥାନାର ଥାନାଧିକାରୀ ଏବଂ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତ ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଫୁଲବାଣୀ ସମନ୍ବୟିତ ଅଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
The post କନ୍ଧମାଳରେ ବଡ଼ଦିନ ପାଇଁ ଶାନ୍ତି କମିଟି ବୈଠକ, ଚର୍ଚ୍ଚ ସାଜସଜ୍ଜା ଓ ଡାକବାଜି ବ୍ୟବହାରକୁ ଅନୁମତି first appeared on Sambad.
from ଜିଲ୍ଲା – Sambad https://ift.tt/3mJYxw6
0 Comments