ଯାଜପୁର/ଚଢ଼େଇଧରା: କଟକ ଡିଭିଜନ୍ ଅଧୀନସ୍ଥ ଯାଜପୁର ଜିଲ୍ଲାର ୪ଟି ରେଞ୍ଜରେ କୋଟି କୋଟି ଟଙ୍କାର ବନୀକରଣ ହୋଇଛି। ଏହି ବନୀକରଣରେ ହୋଇଥିବା କେଳେଙ୍କାରୀକୁ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ପର୍ଦ୍ଦାଫାସ କରିବା ପରେ ଅଧିକାରୀମାନଙ୍କ ନିଦ ହଜିଯାଇଛି। ଏବେ ଦିନରାତି ଲାଗି ଗଛ ପୋତା ଚାଲିଛି। ବର୍ଷାଦିନରେ ବନୀକରଣ ହୋଇଥିବା ଗଛ ବଞ୍ଚିପାରିଲା ନାହିଁ। ଏବେ କିପରି ଗଛ ବଞ୍ଚିବ? ନା ତଦନ୍ତକୁ ଦିଗହରା କରିବା ପାଇଁ କେବଳ ଗଛ ପୋତା ଚାଲିଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।

ଡାଳିଯୋଡ଼ା(ବୈରୀ) ରେଞ୍ଜ ଅନ୍ତର୍ଗତ ଗଡମଧୁପୁର ବନପାଳ କାର୍ଯ୍ୟାଳୟ ଅଧୀନ ପନ୍ତୁରୀ ପାହାଡ଼ରେ କାମ୍ପା ଅର୍ଥରେ ବନୀକରଣ କରାଯାଇଥିଲା। ସୂଚନା ଅନୁସାରେ କାମ୍ପା ଏପିଓ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଲଣ୍ଡାପାହାଡ଼ରେ ଚାରା ରୋପଣ କରିବାକୁ ପନ୍ତୁରୀ ପାହାଡ଼ରେ ୩୯.୩୫୬ହେକ୍ଟର ସ୍ଥାନରେ ୬୨ହଜାର ୯୭୦ଚାରା ରୋପଣ କରାଯାଇଥିବା ଫଳକରେ ଦର୍ଶାଯାଇଛି। ଏଠାରେ କେତେ ଅନୁଦାନ ବିନିଯୋଗ ହୋଇଛି ବା ପ୍ରସ୍ତାବ ରହିଛି, ତାହାର ସୂଚନା ଦିଆଯାଇନାହିଁ। ବାସ୍ତବରେ ପାହାଡ଼ରେ ସେତିକି ସ୍ଥାନରେ ସେହି ପରିମାଣର ଗଛ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଗାତ ଖୋଳା ଯାଇଛି କିନ୍ତୁ ଗଛ ନାହିଁ। ସେହିପରି କିଛି ସ୍ଥାନରେ ସିମେଣ୍ଟ ଖୁଣ୍ଟି ଅଛି କିନ୍ତୁ କଣ୍ଟା ତାର କି ଜାଲି ବାଡ଼ ନାହିଁ। ‘ସମ୍ବାଦ’ରେ ଖବର ପ୍ରକାଶ ପରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଉଚ୍ଚସ୍ତରୀୟ ତଦନ୍ତକୁ ବାଟବଣା କରିବାକୁ ଲାଗିପଡ଼ିଛନ୍ତି।

ବର୍ଷା ଦିନ ଜୁନ ଓ ଜୁଲାଇ ମାସରେ ଲାଗିଥିବା ଚାରାକୁ ସୁରକ୍ଷା ଦେଇପାରିଲାନି ବିଭାଗ। ଅଥଚ ଡିସେମ୍ବର ମାସରେ ନିମ୍ବ ଗଛ ଲଗାଇ‌ବାରେ ମାତିଛି। ସେତେ ବେଳେ ବନ୍ୟା ପାଇଁ ଜଙ୍ଗଲ ନଷ୍ଟ ହୋଇଗଲା ବୋଲି ସଫେଇ ଦେଇଛନ୍ତି। ତେବେ ଏହି ପାହାଡ଼ରେ ସ୍ବାଭାବିକ ଭାବେ ବିଭିନ୍ନ ପ୍ରଜାତିର ଗଛ ସୃଷ୍ଟି ହେଉଥିବା ବେଳେ ତାକୁ ନଷ୍ଟ କରି ବର୍ତମାନ ନିମ୍ବ ଚାରା ରୋପଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ବରିଷ୍ଠ ଆଇଏଫଏସ ଅଭୟକାନ୍ତ ପାଠକ ଗିରଫ ପରେ ବନୀକରଣରେ ଚାଲିଥିବା କଳା କାରନାମା ଫର୍ଦ୍ଦ ଖୋଲିବାରେ ଲାଗିଛି। ଡାଲି‌ଯୋଡ଼ା ରେଞ୍ଜ କେଳେଙ୍କାରୀ ଭଳି ସୁକିନ୍ଦା ରେଞ୍ଜରେ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ବନୀକରଣ ଓ ଅନ୍ୟାନ୍ୟ ବାବଦରେ ବ୍ୟୟ ଦର୍ଶାଇ ବ୍ୟାପକ ଦୁର୍ନୀତି କରାଯାଇଛି। ଯଦି ଭିଜିଲାନ୍ସ ତଦନ୍ତ କରାଯାଏ ବନୀକରଣ କେଳେଙ୍କାରୀ ସହିତ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

The post ବନୀକରଣ ଦୁର୍ନୀତି: ଅଧିକାରୀ ଛାନିଅ‌ା, ତଦନ୍ତ ପୂର୍ବରୁ ତରବରିଆ ଗଛ ପୋତା first appeared on Sambad.



from ଜିଲ୍ଲା – Sambad https://ift.tt/3pkSiAF