
ପୁରୀ: କଟକଣାଯୁକ୍ତ ଦର୍ଶନକୁ ନାପସନ୍ଦ କରିଛନ୍ତି ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠା ଥିଲେ ବି ଜଟିଳ ବ୍ୟବସ୍ଥା ଆଜି ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଛି। ଯେଉଁଥିପାଇଁ ଆଜି ଶ୍ରୀମନ୍ଦିର ଖାଁଖାଁ ଦୃଶ୍ୟମାନ ହୋଇଛି। ହାତଗଣତି ଭକ୍ତ ମହପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଜିଲ୍ଲା ପ୍ରଶାସନ ଚାହିଁଥିଲେ ପୁରୀ ସହରବାସୀଙ୍କୁ ସେବାୟତଙ୍କ ଭଳି ଦର୍ଶନ ସୁବିଧା ଦେଇପାରିଥାନ୍ତା। କିନ୍ତୁ ସେଭଳି ନକରି ମାର୍କେଟ୍ ଛକରୁ ବାରିକେଡ୍ରେ ଦର୍ଶନ ପାଇଁ ଛାଡ଼ି ଭକ୍ତଙ୍କ ମନରେ ଅସନ୍ତୋଷ ଭରି ଦେଇଛି। ଜିଲ୍ଲା ପ୍ରଶାସନର ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ବାରିକେଡ୍ ଅପେକ୍ଷା ବାହାରେ ରହି ଅନେକ ଭକ୍ତ ପତିତପାବନଙ୍କୁ ଦର୍ଶନ କରି ଫେରିଥିବା ଦେଖିବାକୁ ମିଳିଛି।
ପ୍ରାୟ ୨୦୦ ଦିନ ପରେ ଶ୍ରୀମନ୍ଦିର ଖୋଲିଥିଲା। ଏତେ ଦିନ ହେଲାଣି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଅନାଇ ବସିଥିଲେ। ଶ୍ରୀମନ୍ଦିର ଖୋଲିଲେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ବହୁ ଆଶା କରିଥିଲେ। ଶ୍ରୀମନ୍ଦିର ଖୋଲିଲା ଓ ଦର୍ଶନ ଆରମ୍ଭ ହେଲା ସତ, କିନ୍ତୁ ଯେଉଁ ବ୍ୟବସ୍ଥା କରାଗଲା, ତାହା ଭକ୍ତଙ୍କୁ ଯାତନା ଦେଇଛି। ଯେଉଁଥିପାଇଁ ଆଜି ବହୁ କମ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ ସାମାନ୍ୟ ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ମଧ୍ୟାହ୍ନରୁ ଅପରାହ୍ଣ ପୂରା ଫାଙ୍କା ପଡ଼ିଥିଲା ବାରିକେଡ୍। ଅପରାହ୍ଣରୁ ରାତି ପର୍ଯ୍ୟନ୍ତ ବି ସମାନ ସ୍ଥିତି ଲାଗି ରହିଥିଲା। ସଂଧ୍ୟାରେ କିଛି ଭକ୍ତଙ୍କୁ ଦର୍ଶନ ପାଇଁ ଯିବାର ଦେଖିବାକୁ ମିଳିଥିଲା। ବାକି ସମୟ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଲାଗିଥିବା ବାରିକେଡ୍ ପୂରା ଖାଲି ପଡ଼ିଥିଲା। ସାଧାରଣ ଭକ୍ତଙ୍କ କହିବା କଥା, ଶ୍ରୀମନ୍ଦିର ପାଖ ଲୋକେ ଜଗନ୍ନାଥବଲ୍ଲଭକୁ ଆସି ମାର୍କେଟ୍ ଛକରୁ ବାରିକେଡ୍ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ଜଟିଳ। କାରଣ ଶ୍ରୀମନ୍ଦିର ପାଖ ଲୋକେ ବାରିକେଡ୍ରେ ଯାଇ ଦର୍ଶନ ପରେ ପୁନର୍ବାର ଜଗନ୍ନାଥ ବଲ୍ଲଭକୁ ଫେରିବାକୁ ପଡ଼ିବ। ପରେ ଗାଡ଼ି ନେଇ ଘରକୁ ଫେରିବେ।
ୱାର୍ଡ଼ୱାରି ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଣୁ ଭିଡ଼ ବି ସେତେଟା ରହିବନି। ଜିଲ୍ଲା ପ୍ରଶାସନ ଚାହିଁଥିଲେ ସେବାୟତଙ୍କ ଭଳି ୱାର୍ଡ଼ବାସୀଙ୍କୁ ଦର୍ଶନ ସୁଯୋଗ ଦେଇପାରିଥାନ୍ତା। ସେଭଳି କିଛି କରାଗଲାନି। ଯେଉଁପାଇଁ ଅନେକ ଅନାଗ୍ରହ ପ୍ରକାଶ କରିଛନ୍ତି। ମନଉଣା କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇନାହାନ୍ତି। ଏ ସଂପର୍କରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, କଟକଣାଯୁକ୍ତ କାଳିଆ ଦର୍ଶନକୁ ପୁରୀବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଶ୍ରୀମନ୍ଦିରର ବିକାଶ ପାଇଁ ତ୍ୟାଗ ଓ ସହଯୋଗ କରିଥିବା ପୁରୀବାସୀଙ୍କୁ ଏପରି କରି ଅଣଦେଖା କରାଯାଇଛି। ବ୍ରିଟିସ ଶାସନ ସମୟରେ ବି ଏଭଳି ଦିନ କେବେ ଆସିନଥିଲା, ଯାହା ଆଜି ଦେଖିବାକୁ ମିଳିଛି। ଦୀପ, ଧୂପ, ଫୁଲ, ନୈବେଦ୍ୟକୁ ଶ୍ରୀମନ୍ଦିରକୁ ବାରଣ କରି ହିନ୍ଦୁ ଦେବାଦେବୀଙ୍କୁ ପରୋକ୍ଷରେ ଅପମାନିତ କରାଯାଇଛି। ଏପରି କରି ସନାତନ ଧର୍ମକୁ ଲୋପର ଷଡ଼୍ଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି। ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି, ଆଜି ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିଛନ୍ତି। ସକାଳେ ଦୁଇଟି ୱାର୍ଡ଼ର ପ୍ରାୟ ଦୁଇଶହ ଲୋକ ଦର୍ଶନ କରି ଫେରିଛନ୍ତି। ସବୁକିଛି ଶୃଙ୍ଖଳିତ ଚାଲିଛି ବୋଲି ସେ କହିଛନ୍ତି।
The post ଶ୍ରୀମନ୍ଦିରକୁ ଆସିଲେ ହାତଗଣତି ଭକ୍ତକଟକଣାଯୁକ୍ତ ଦର୍ଶନକୁ ନାପସନ୍ଦ first appeared on Sambad.
from ଜିଲ୍ଲା – Sambad https://ift.tt/3pDbMAP
0 Comments