
କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଜଣେ ଟ୍ୟୁସନ୍ ଶିକ୍ଷକଙ୍କ ଅବୈଧ ସମ୍ପର୍କରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇ କନ୍ୟାସନ୍ତାନ ଜନ୍ମ ଦେବା ଘଟଣା ଉଦବେଗ ସୃଷ୍ଟି କରିଛି। ତେବେ ଛାତ୍ରୀ ଜଣକ ଲୋକ ଲଜ୍ଜାରୁ ନିସ୍ତାର ପାଇଁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେ ଆଜି ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଅଭିଯୋଗ ପାଇବା ପରେ କୁଜଙ୍ଗ ଥାନା ପୁଲିସ୍ ସଂପୃକ୍ତ ଟ୍ୟୁସନ୍ ଶିକ୍ଷକଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ଛାତ୍ରୀ ମାମୁ ଘରେ ରହି ଟ୍ୟୁସନ୍ ହେଉଥିଲେ। ଏହି ନବମ ଶ୍ରେଣୀର ଛାତ୍ରୀ ୯ମାସର ଗର୍ଭବତୀ ହୋଇଥିବାରୁ ପ୍ରସବକାଳୀନ ଯନ୍ତ୍ରଣାରେ ଛଟପଟ ହୋଇ ମେଡ଼ିକାଲକୁ ନଯାଇ ଜୀବନହାରିବା ପନ୍ଥା ବାଛି ନେଇଥିଲା। ତେବେ ନଈ ପାଖରେ କେତେକ ଯୁବକ ସନ୍ଦେହରେ ତାଙ୍କୁ ଅଟକାଇ ପଚରାଉଚୁରା କରିବା ସହ ଆମ୍ବୁଲାନ୍ସ ଡକାଇ ମେଡ଼ିକାଲକୁ ନେଇଥିଲେ। ସେଠାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିବା ବେଳେ ମା, ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।
କୁଜଙ୍ଗ ଥାନା ଅଧିକାରୀ ପାରାଓ ଟୁଡୁ ଅଭିଯୁକ୍ତ ଟ୍ୟୁସନ୍ ଶିକ୍ଷକଙ୍କୁ ଥାନାରେ ଅଟକ ରଖିଛନ୍ତି। ଏପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଏତଲା ହୋଇନାହିଁ। ନାବାଳିକାଙ୍କ ବୟାନ ଆଧାରରେ ସମ୍ପୃକ୍ତ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖାଯାଇଥିବା ପୁଲିସ୍ କହିଛି। ଆଜି ଅପରାହ୍ନରେ ଏହି ଛାତ୍ରୀଜଣକ ସାଇକେଲରେ ଜିଲ୍ଲାନାସୀ ପୋଲ ପାଖକୁ ଯାଇ ଜୟଶଙ୍ଖପୁର ଗ୍ରାମ ପାର୍ଶ୍ବ ମହାନଦୀକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ନଦୀରେ ମୂଳା ପରିବା ଧୋଉଥିବା ଛବି ବେହେରା, ରଞ୍ଜନ ବେହେରା ତାଙ୍କୁ ତୁରନ୍ତ ପାଣିରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପର ଗ୍ରାମରେ ଓ ସେ ମଙ୍ଗରାଜପୁରସ୍ଥିତ ମାମୁ ଘରେ ରହି ପାଠ ପଢୁଥିଲେ ବୋଲି ଜଣା ପଡିଥିଲା। ତେବେ ସେହି ଗ୍ରାମର ଟ୍ୟୁସନ ଶିକ୍ଷକ ରଞ୍ଜନ କୁମାର ରାଉତଙ୍କ ପାଖରେ ସେ ଟ୍ୟୁସନ ହେଉଥିବାବେଳେ ସେ ତାଙ୍କ ସହିତ ଅବୈଧ ସମ୍ପର୍କ ରଖିଥିବା କାରଣରୁ ସେ ଅନ୍ତସତ୍ବା ହୋଇଥିବା ସ୍ଥାନୀୟ ଲୋକଙ୍କ ସମେତ ପୁଲିସ ନିକଟରେ ପ୍ରକାଶ କରିଥିଲେ। ପରେ ଆମ୍ଭୁଲାନ୍ସରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହାର କିଛି ସମୟପରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ଜଣକ ଉଚ୍ଚଶିକ୍ଷିତ ଓ ବିବାହିତ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିଛି ବର୍ଷ ତଳେ ତାଙ୍କ ପତ୍ନୀଙ୍କର ମାନସିକ ବିକୃତି ହେବାରୁ ସେ କେଉଁଆଡେ ଚାଲି ଯାଇଛନ୍ତି। ଖବର ପାଇ କୁଜଙ୍ଗ ମହିଳା ଓ ଶିଶୁ ବିକାଶ ଅଧିକାରୀ ତନୁପ୍ରଭା ବେଉରା ମେଡ଼ିକାଲରେ ପହଞ୍ଚି ନାବାଳିକା ଓ ନବଜାତ ଶିଶୁଙ୍କୁ ଶୀତବସ୍ତ୍ର, ଶିଶୁ ଖାଦ୍ୟ ଓ ଆନୁସଙ୍ଗିକ ସାମଗ୍ରୀ ପ୍ରଦାନ କରିବା ସହିତ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନାବାଳିକା ଦଳିତ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ସାମାଜିକ ସୁରକ୍ଷା, ଉଚିତ କ୍ଷତିପୂରଣ ଓ ଅଭିଯୁକ୍ତ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମନୋଜ ପାତ୍ର ଦାବି କରିଛନ୍ତି।
The post ନାବାଳିକାକୁ ଗର୍ଭବତୀ କରି ଶିକ୍ଷକ ଅଟକ; ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ବେଳେ ଛାତ୍ରୀ ଉଦ୍ଧାର first appeared on Sambad.
from ଜିଲ୍ଲା – Sambad https://ift.tt/3mJAMEg
0 Comments