
ଜୟପୁର : କଳାଜିରା ଧାନର ଉତ୍ପତି ସ୍ଥଳି କୁହାଯାଉଥିବା କୋରାପୁଟ ଜିଲ୍ଲାର ଜୟପୁର ଅଂଚଳରୁ ଏବେ ଏହି ଦେଶୀ ଔଷଧୀୟ ଧାନ ଗାୟବ। ଧାନ ଆମ ରାଜ୍ୟର ଏକ ମୁଖ୍ୟ ଫସଲ । ଚାଷ ହେଉଥିବା ଧାନ ସବୁ ମୋଟା, ସରୁ, ମଧ୍ୟମ କିସମର ଏବଂ କମ୍ ବା ଅଧିକ ଅବଧିଯୁକ୍ତ । ଦେଶୀୟ ବାସନା ଧାନର ଚାହିଦା ଅନ୍ୟ ଧାନ ତୁଳନାରେ ଅଧିକ ରହିଥିବା ବେଳେ ଏହାର ଅମଳ ଖୁବ୍ କମ ହୋଇଥାଏ । ତେଣୁ କାଁଭାଁ କିଛି ହାତ ଗଣତି ଚାଷୀଙ୍କୁ ବାଦ୍ ଦେଲେ କଳାଜିରା ଚାଷ କରିବାକୁ ଆଉ ଚାଷୀ ଚାହୁଁ ନାହାନ୍ତି। ୧୪୦ରୁ ୧୫୦ଦିନରେ ଅମଳ ହେଉଥିବା ଏହି ଧାନ କମ ପରିମାଣର ଅମଳ ହୁଏ। ଏହା ମୁଖ୍ୟତଃ ଖାଲ ଜମିରେ ହିଁ ଚାଷ ହୋଇଥାଏ।
ଏବେ ବେଶି ଚାଷୀଙ୍କର ପ୍ରଥମ ପସନ୍ଦ ଅଧିକା ଅମଳକ୍ଷମ ହାଇବ୍ରୀଡ ଧାନ । ଅଧିକା ଧାନ ଅମଳକୁ ଲକ୍ଷ୍ୟରେ ରଖି ଚାଷୀମାନେ ହାଇବ୍ରୀଡ ଧାନର ଚାଷକୁ ପ୍ରଥମ ଓ ବିହନ ନିଗମ ଦ୍ବାରା ବିକ୍ରୀ ହେଉଥିବା ଅଧିକ ଅମଳକ୍ଷମ ଧାନର ବିହନକୁ ଦ୍ବିତୀୟରେ ରଖି ଚାଷ କରୁଛନ୍ତି। ଶତ ପ୍ରତିଶତ ଚାଷୀଙ୍କ ମଧ୍ୟରୁ ଜଣେ କି ଦୁଇ ଜଣ ଚାଷୀ ହିଁ ଦେଶୀ ଧାନ ଚାଷ କରୁଛନ୍ତି। ଏହି କଳାଜିରା ଧାନ ସହ ଅନ୍ୟ ଦେଶି ଧାନକୁ ସଂରକ୍ଷିତ ରଖି ପୁରସ୍କୃତ ହୋଇଥିବା ପଦ୍ମଶ୍ରୀ କମଳା ପୁଜାରୀ, ତାଙ୍କ ପୁଅ ଟଙ୍କ , ଝିଅ ରାଇମତି, ଚାଷୀ ନେତ୍ରାନନ୍ଦ ଲେଙ୍କା, ମନୋଜ ପାତ୍ର ଆଦିଙ୍କ ସହ ଅଳ୍ପ କିଛି ହାତ ଗଣତି ଚାଷୀ ହିଁ ଏହି ଦେଶି ଧାନ ଚାଷ କରୁଛନ୍ତି। ଏହା ଚିନ୍ତା ଜନକ ବିଷୟ ବୋଲି କହିଛନ୍ତି ମୁରଲୀ ଅଧିକାରୀ। ଏହି ଧାନର ଔଷଧୀୟ ଗୁଣ ରହିଥିବା ବେଳେ ଡାଇବେଟିସ୍ ରୋଗୀଙ୍କ ବିଶେଷ ଲାଭ ମିଳୁଥିବା ସୂଚନା ମିଳିଛି।

ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୪୦ରୁ ୧୫୫ଦିନରେ ଏହା ଚାଷ ହେଉଛି। ଅନ୍ୟ ପକ୍ଷରେ ହାଇବ୍ରୀଡ ଓ ବିହନ ନିଗମ ଦ୍ବାରା ବିକ୍ରୀ ହେଉଥିବା ଅଧିକା ଅମଳକ୍ଷମ ଧାନ ବି ଚାଷୀ ଚାଷ କରୁଛନ୍ତି। ଦେଶୀ ଧାନ ଏହି ସ୍ଥିତିରେ ସଂପ୍ରତି ସମ୍ପୂର୍ଣ୍ଣ ରୁପେ ଗାୟବ ହୋଇଛି। ଅଧିକା ଧାନ ଅମଳ ଆଶାରେ ହାଇବ୍ରୀଡ ଓ ଅଧିକା ଅମଳକ୍ଷମ ଧାନ ଚାଷୀ ମାନେ ଚାଷ କରିବା ସହ ଅଧିକ ରାସାୟନିକ ସାର୍ ଓ କୀଟନାଶକ ଔଷଧ ପକାଉଛନ୍ତି। ଦେଶୀ ଧାନକୁ କିଭଳି ସଂରକ୍ଷିତ କରି ରଖାଯିବା ସହ ଅଂଚଳର ମାଟିର ମୃତ୍ତିକା ଓ ଜୈବବିବିଧତାକୁ ବଂଚା ଯାଇହେବ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ। ସେଭଳି ଯେଉଁ ଧାନକୁ ନେଇ ଜୟପୁରର ପରିଚୟ ସୃଷ୍ଟି ହୋଇଥିଲା ସେହି ଧାନ କିଭଳି ବଂଚିବ ଏବଂ ପ୍ରତିବର୍ଷ ଅଧିକାରୁ ଅଧିକା ଚାଷୀ ଏହାକୁ ଚାଷ କରିବେ ସେ ଦିଗରେ ପ୍ରଶାସନିକ ଭାବେ ପ୍ରୟାସ କରାଯିବାର ଆବଶ୍ୟକତା ନିହାତି ରୁପେ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
The post ଜୟପୁରକୁ ପରିଚୟ ଦେଇଥିବା ‘କଳାଜିରା’ ଧାନ ଗାୟବ first appeared on Sambad.
from ଜିଲ୍ଲା – Sambad https://ift.tt/3qL6N2e
0 Comments