ଭଦ୍ରକ : ଭଦ୍ରକରେ ସରକାରୀ ମେଡିକାଲ୍‌ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସଫଳ ହୋଇଛି।

ଆଜି ସକାଳ ୬ଟାରୁ ବନ୍ଦ ପାଳନ ହୋଇଥିଲା। ସହରର ଦୋକାନ ବଜାର ସହ ସରକାରୀ ଅଫିସ, କୋର୍ଟ, କଚେରି ଆଦି ବନ୍ଦ ରହିଥିଲା। ବନ୍ତଛକ, ପୁରୁଣାବଜାର, ଚରମ୍ପା ଛକ, ଚରମ୍ପା ଷ୍ଟେସନ ବଜାର, ଅପର୍ତ୍ତିବନ୍ଧାଠାରେ ଆନ୍ଦୋଳନ କରାଯାଇଥିଲା। ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ ହେବାରୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା। ସହରର ଉଭୟ ପ୍ରାନ୍ତ ମୁଖ୍ୟ ରାସ୍ତାରେ ହଜାର ହଜାର ଗାଡ଼ି ଠିଆ ହୋଇ ରହିଥିଲା। ଏହି ବନ୍ଦରେ ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ସହ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ତଥା ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଥିଲେ। କଂଗ୍ରେସର ଜିଲ୍ଲା ସଭାପତି ସୁବ୍ରତ ଦାସ, କଂଗ୍ରେସ ନେତା ମୁକିତ ଖାଁ, ନଳିନୀକାନ୍ତ ମହାନ୍ତି, ନାରାୟଣ ଚନ୍ଦ୍ର ପାଢ଼ୀ, ରାଜକିଶୋର ସ୍ବାଇଁ, ଅସରଫ ଅଲ୍ଲୀ ଖାଁ, ସେକ୍ ସମଧାନୀ, ପୀତବାସ ସ୍ବାଇଁ, ଆଇନଜୀବୀ ନିଶିକାନ୍ତ ନାୟକ, ଆଇନଜୀବୀ ପ୍ରଫୁଲ୍ଲ ସାମଲ, ଆଇନଜୀବୀ ଅନନ୍ତ ଗୋପାଳ ଦାସ, ମୀର୍ଜା ଏକ୍ରାମ ବେଗ, ସେକ୍ ଜଫିର ଉଦ୍ଦିନ, ଇଲିଆସ ଖାଁ, ସେକ୍ ଜିତୁ, ଇଣ୍ଡିଆନ ମେଡିକାଲ୍‌ ଆସୋସିଏସନ୍‌ର ଭଦ୍ରକ ଜିଲ୍ଲା ସଂପାଦକ ଡା. ହରେକୃଷ୍ଣ ନାୟକ, ସଂଗ୍ରାମ ସେନାର ମୁଖ୍ୟ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବୈଲୋଚନ ବେହୁରିଆ, କିଷାନ ମଜଦୁର ସଂଘର ନେତା ଭବେନ୍ଦ୍ର ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଜିଲ୍ଲାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ନେଇ ବିଜେଡି ବିଧାୟକମାନେ ପାଟି ଖୋଲୁ ନଥିବାରୁ ଏହି ଅବସରରେ ସେମାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

The post ମେଡିକାଲ୍‌ କଲେଜ ପ୍ରତିଷ୍ଠା ଦାବି : ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ first appeared on Sambad.



from ଜିଲ୍ଲା – Sambad https://ift.tt/3a1Flr8