
ସମ୍ବଲପୁର : ସମ୍ବଲପୁର ବନବିଭାଗରେ ଦୁର୍ନୀତିର ଚେର ବେଶ୍ ଗଭୀର। ଲଗାତାର କିଛି ଦିନ ଧରି ଏହି ଦୁର୍ନୀତି ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଆସୁଛି। ତେବେ ଶନିବାର ଏହି ଘଟଣାକୁ ନେଇ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି। ବନସୁରକ୍ଷା ସମିତିର ମେମ୍ବର ସେକ୍ରେଟାରି ଥିବା ଜଣେ ଫରେଷ୍ଟ ଗାର୍ଡ ପ୍ରକଳ୍ପ ଟଙ୍କାକୁ ଚଳୁ କରିଦେବାକୁ ବସିଥିବା ସମୟରେ ଅନ୍ୟ ସଦସ୍ୟମାନେ ଏହାକୁ ବିରୋଧ କରୁଥିବାର ଏକ ଅଡିଓ କ୍ଲିପିଂ ‘ସମ୍ବାଦ’ ହାତରେ ଲାଗିଛି। ଏହି ଅଡିଓରେ ବନବିଭାଗରେ ଦୁର୍ନୀତି ସମ୍ପର୍କିତ ଅନେକ ଗୂଢ଼ ରହସ୍ୟ ଉକ୍ତ ଗାର୍ଡ ଖୋଲି ଦେଉଛନ୍ତି। କୌଣସି ବି ପ୍ରକଳ୍ପରୁ ଟଙ୍କା ବଳିଲେ ତାକୁ ସମସ୍ତେ ଭାଗବାଣ୍ଟି ନେଇଥାନ୍ତି ବୋଲି ଉକ୍ତ ଫରେଷ୍ଟ ଗାର୍ଡ କହୁଥିବା ସମୟରେ ଏଥିରେ ତଳୁ ଉପର ଯାଏ ସବୁ ଅଧିକାରୀଙ୍କର ଭାଗ ରହିଥିବା ବି ସେ କହିଛନ୍ତି। ଏନେଇ ସମ୍ବଲପୁର ଡିଏଫ୍ଓ ଡ. ସଞ୍ଜିତ କୁମାରଙ୍କୁ ପଚାରିବାରେ, ଅନେକ ଭିଏସ୍ଏସ୍ରେ ଦୁର୍ନୀତିରେ ହେଉଥିବା କଥା ସତ ବୋଲି କହିଛନ୍ତି। ଫରେଷ୍ଟଗାର୍ଡରୁ ନେଇ ଡିଏଫ୍ଓଙ୍କ ଯାଏ ପିସି ନେବା ପ୍ରସଙ୍ଗରେ ଉତ୍ତର ଦେଇ କିଏ କ’ଣ ଅଭିଯୋଗ କରିବ ସେଥିରେ ତାଙ୍କର ନିୟନ୍ତ୍ରଣ ନାହିଁ ବୋଲି କହିଥିଲେ। ତେବେ ଦୁର୍ନୀତି ନେଇ ଅଭିଯୋଗ ହେବା ପରେ ଅନେକ ଭିଏସ୍ଏସ୍ର ଅନୁଦାନ ଟଙ୍କାକୁ ବନ୍ଦ କରିଦିଆଯାଇଥିବା ଡ.କୁମାର କହିଥିଲେ।
୨୦୧୯-୨୦୨୦ ବର୍ଷରେ ଧମା ରେଞ୍ଜ ଅନ୍ତର୍ଗତ ସାହଜଖୁଲିଆ ବନସୁରକ୍ଷା ସମିତି ଅନ୍ତର୍ଗତ ୪୦ ହେକ୍ଟର ଜମିରେ ଏଏନ୍ଆର୍ ଅପରେସନ୍ ଯୋଜନାରେ ୪୦ ହେକ୍ଟର ଜମିରେ ବନୀକରଣ ପାଇଁ ୧,୯୨,୮୮୦ ଟଙ୍କା ଆସିଥିଲା। ଏହାବାଦ୍ ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ ପାଇଁ ଗାତ ଖୋଳା ଓ ଏଲ୍ବିସିଡିରେ ପଥର ପ୍ୟାଚିଂ କାମ ମଧ୍ୟ ହୋଇଥିଲା। ତେବେ ଏହି ସମୟରେ ବନସୁରକ୍ଷା ସମିତିକୁ ଆସିଥିବା ଟଙ୍କା ବଳିଯିବାରୁ ଟଙ୍କା ଫେରସ୍ତ ଦେବାକୁ ସମିତିର ମେମ୍ବର ସେକ୍ରେଟାରି ଥିବା ଫରେଷ୍ଟ ଗାର୍ଡ ଭିଏସ୍ଏସ୍ ସଦସ୍ୟଙ୍କ ଉପରେ ଚାପ ପକାଇଥିଲେ। କ୍ୟାସ୍ବୁକ୍ କ୍ଲିୟର ନଥିବାରୁ ଡିଏଫ୍ଓ ଗାଳି କରୁଥିବା ଯୋଗୁ ତୁରନ୍ତ ଏହି ଟଙ୍କାର ସମାଧାନ କରିବାକୁ ଉକ୍ତ ଫରେଷ୍ଟ ଗାର୍ଡ ଚାହିଁଥିଲେ। ତେବେ କାମ ନହୋଇ ଓ ଯେଉଁ କାମ ଆରମ୍ଭ ହୋଇଛି ତାହା ଶେଷ ହୋଇନହୋଇ ଟଙ୍କା କିଭଳି ଫେରାଇ ଦିଆଯିବ ବୋଲି ବନସୁରକ୍ଷା ସମିତିର ସଦସ୍ୟମାନେ ପଚାରିଥିଲେ। ତେବେ ଗୋଟିଏ ପ୍ରକଳ୍ପର ଯେଉଁ ୬୦ ଟି ମଜୁରି ବଳି ଯାଇଛି ତାକୁ ପ୍ରାଥମିକ ଅବସ୍ଥାରେ କ୍ଲିୟର କରିବା ପାଇଁ ଫରେଷ୍ଟ ଗାର୍ଡ ସମିତିର ଅନ୍ୟ ସଦସ୍ୟଙ୍କ ଉପରେ ଚାପ ପକାଇଥିଲେ। ‘କୌଣସି ବି ପ୍ରକଳ୍ପ ଶେଷ ହୁଏନି କି କାମ ପାଇଁ ଯେତିକି ଟଙ୍କା ଆସିଥାଏ ତାହା ମଧ୍ୟ ଶେଷ ହୁଏନି ଏବଂ ଏକଥା ସମସ୍ତେ ଜାଣନ୍ତି’ ବୋଲି ଉକ୍ତ ଫରେଷ୍ଟ ଗାର୍ଡ କହୁଥିବା ଅଡିଓ କ୍ଲିପ୍ରେ ରହିଛି। ‘ଯାହା ଟଙ୍କା ବଳିଯାଏ ତାକୁ ସମସ୍ତେ ଭାଗବାଣ୍ଟି ନେଇଥାନ୍ତି। କେବଳ ସେ ନୁହନ୍ତି ବରଂ ରେଞ୍ଜରଙ୍କଠାରୁ ନେଇ ଡିଏଫ୍ଓଙ୍କ ଯାଏ ସମସ୍ତଙ୍କର ଏଥିରେ ପିସି ରହିଛି’ ବୋଲି ଉକ୍ତ ଫରେଷ୍ଟ ଗାର୍ଡ ଅଡିଓ କ୍ଲିପିଂରେ କହିଛନ୍ତି। ତେବେ ପ୍ରତିଉତ୍ତରରେ ଅନ୍ୟ ସଦସ୍ୟମାନେ ଫରେଷ୍ଟଗାର୍ଡଙ୍କୁ ବିରୋଧ କରି ସେମାନେ ଟଙ୍କା ନେବେନି କି କାହାକୁ ନେବାକୁ ବି ଦେବେନି ବୋଲି ଠୋକ୍ଠୋକ୍ କହୁଥିବା ଶୁଣିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଲକ୍ଡାଉନ୍ ସମୟରେ ସାହାଜଖୁଳିଆ ଗ୍ରାମରେ ଏହି ଦୁର୍ନୀତି ହୋଇଥିଲା। ଏଲ୍ବିଡିସି ଯୋଜନାରେ ଧମା ରେଞ୍ଜରେ ହୋଇଥିବା ପ୍ରାୟ ସମସ୍ତ କାର୍ଯ୍ୟରେ ପଥର ପ୍ୟାଚିଂରେ ଘୋର ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। କିଛି ସ୍ଥାନରେ ଜଙ୍ଗଲରେ ଥିବା ନାଳଗୁଡ଼ିକରେ ପଥର ପ୍ୟାଚିଂ କରାନଯାଇ ଟଙ୍କା ଉଠାଣ ହୋଇଥିବା ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଥିଲା। ତେବେ ସାହାଜଖୁଲିଆର ଏହି ଘଟଣା ବିଭାଗୀୟସ୍ତରରେ ଜଣାପଡ଼ିବା ପରେ ଉକ୍ତ ଫରେଷ୍ଟ ଗାର୍ଡଙ୍କୁ ଧମା ରେଞ୍ଜରୁ ସଦର ରେଞ୍ଜକୁ ବଦଳି କରି ନିଆଯାଇଥିବା ଜଣାପଡ଼ିଛି।
The post ‘ସମସ୍ତେ ଜାଣନ୍ତି, ଉପରିସ୍ଥ ଅଧିକାରୀ ପିସି ନିଅନ୍ତି’ : ସମ୍ବାଦ ହାତରେ ଫରେଷ୍ଟ ଗାର୍ଡଙ୍କ ଅଡିଓ କ୍ଲିପିଂ first appeared on Sambad.
from ଜିଲ୍ଲା – Sambad https://ift.tt/3gNYnCz
0 Comments