
ବରଗଡ଼ : ବରଗଡ଼ ଜିଲ୍ଲାରେ ଧାନକିଣା ନୀତି ସଂପୂର୍ଣ୍ଣ ଫେଲ୍ ମାରିଛି। ଧାନବିକ୍ରି ପାଇଁ ଭିତ୍ତିଭୂମି ସୃଷ୍ଟି ହେବା ତ ଦୂରର କଥା, ଠିକଣା ଭାବେ ଧାନବିକ୍ରି ମଧ୍ୟ ହେଉନାହିଁ। ଯଦ୍ବାରା ଚାଷୀଙ୍କୁ ଜାଣିଶୁଣି ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଉଛି। ମିଲର୍ସମାନେ ଧାନକିଣାରେ ମନମାନୀ କରୁଥିବା ବେଳେ ଏହାକୁ ପ୍ରାଶାସନିକ ସ୍ତରରେ ପ୍ରଶ୍ରୟ ଦିଆଯାଉଛି। ଧାନକିଣା ଆରମ୍ଭ ହେବା ଦିନଠୁ ଜିଲ୍ଲାର ସବୁ ମଣ୍ଡି ଏବଂ କ୍ରୟକେନ୍ଦ୍ରଗୁଡ଼ିକରେ ଅଚଳାବସ୍ଥା ଲାଗି ରହିଛି। କୌଣସି ସ୍ଥାନରେ ଧାର୍ଯ୍ୟ ମୁତାବକ ଧାନ ଖରିଦ ହୋଇନାହିଁ। ଯଦି ମଣ୍ଡିରୁ ଧାନ ଉଠୁନି, ତେବେ ମିଲ୍ଗୁଡ଼ିକରେ ପ୍ରତିଦିନ ଶହଶହ ଗାଡ଼ି କେଉଁଠୁ ଆସୁଛି, ତାହା ତଦନ୍ତ ସାପେକ୍ଷ।
ଗୋଟିଏ ତଥ୍ୟ ସ୍ପଷ୍ଟ ଯେ, ଛତିଶଗଡ଼ରୁ ପ୍ରତିଦିନ ଶହ ଶହ କ୍ବିଣ୍ଟାଲ ଧାନ ଓଡ଼ିଶାକୁ ପ୍ରବେଶ କରୁଛି। ସୋହେଲା, ପଦ୍ମପୁର ଏବଂ ଅମ୍ବାଭୋନା ଦେଇ ନିୟମିତ ଧାନ ବୋଝେଇ ଟ୍ରକ୍ ସୀମା ଲଂଘି ଓଡ଼ିଶାକୁ ଆସୁଛି। ସୀମାନ୍ତବର୍ତୀ ମିଲ୍ଗୁଡ଼ିକରେ ଧାନ ଗଚ୍ଛିତ ରହୁଛି। ଛତିଶଗଡ଼ରେ ଏଥର ବିଳମ୍ବରେ ଧାନକିଣା ଆରମ୍ଭ ହୋଇଛି। ଡିସେମ୍ବର ୧ ତାରିଖରୁ ସେଠାରେ ପ୍ରାୟ ୨ହଜାର ମଣ୍ଡିରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଛତିଶଗଡ଼ରେ ଗତ ଦୁଇ ବର୍ଷ ହେଲା ପ୍ରାୟ ୯୦ ପ୍ରତିଶତ ଚାଷୀ ଧାନ ବିକୁଥିବା ସରକାରୀ ପରିସଂଖ୍ୟାନ କହୁଛି। କିନ୍ତୁ ସେଠାରେ ବି ବହୁ ଚାଷୀ ଧାନ ବିକ୍ରି କରିନପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ତେଣୁ ଅତିକମ୍ ଦରରେ ଛତିଶଗଡ଼ର ଚାଷୀମାନେ ଧାନବିକ୍ରି କରୁଛନ୍ତି। ସେଥିରୁ ପ୍ରଚୁର ମୁନାଫା ଉଠାଇବା ପାଇଁ ଓଡ଼ିଶାର ମିଲର୍ସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି।
ବରଗଡ଼ ଜିଲ୍ଲାରୁ ଧାନ ଉଠୁନଥିବାରୁ ମଣ୍ଡିରେ ଧାନର ପାହାଡ଼ ଛିଡ଼ା ହେଲାଣି। ବରଗଡ଼ ବ୍ଲକ ସମେତ ପଦ୍ମପୁର, ଝାରବନ୍ଧ ସମେତ ବିଭିନ୍ନ ବ୍ଲକରେ ସ୍ଥିତି ସଂଗିନ। ଜିଲ୍ଲା ଯୋଗାଣ ବିଭାଗ ହାତବାନ୍ଧି ବସିବା ସ୍ଥିତିକୁ ବିଗାଡ଼ି ଦେଇଛି। ମଣ୍ଡିରେ ଲକ୍ଷାଧିକ ବସ୍ତା ଧାନ ପଡ଼ିଛି, ଅଥଚ ମିଲର୍ସମାନେ ଟାର୍ଗେଟ ଛୁଇଁବା ପାଖାପାଖି ପହଂଚିଛି। ଏବେ କଥା ଉଠୁଛି, ଟାର୍ଗେଟ୍ ହାସଲ ହେଲା କିପରି? ଛତିଶଗଡ଼ର ଧାନରେ ଅଧିକାଂଶ ମିଲର୍ସ ଟାର୍ଗେଟ୍ ପୂରଣ କରୁଥିବା ଜଣାପଡ଼ିଛି। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୪୪ଲକ୍ଷ ୭୫ହଜାର କ୍ବିଣ୍ଟାଲ ଧାନ କିଣା ଟାର୍ଗେଟ୍ ଆସିଛି। ବର୍ତମାନ ଯାଏ ୩୪ଲକ୍ଷ ୨୮ହଜାର ୭୫୪ କ୍ବିଣ୍ଟାଲ ଧାନ କିଣା ସରିଛି। ଏଥର ଖରିଫ୍ରେ ଜିଲ୍ଲାେର ୧.୩୦ ଲକ୍ଷ ଚାଷୀ ଧାନ ବିକିବାକୁ ପଞ୍ଜୀକୃତ ହୋଇଛନ୍ତି। ହେଲେ ଏଯାଏ ୫୩,୮୬୨ ଜଣଙ୍କ ଧାନ ଉଠିଛି। ଯଦି ପାଖାପାଖି ୭୦ ହଜାର ଚାଷୀ ଧାନ ବିକି ନାହାନ୍ତି, ତେବେ ମିଲର୍ସମାନେ ଟାର୍ଗେଟ୍ ହାସଲ କରିବେ କିପରି? ପ୍ରତି ଧାନକିଣା ଋତୁରେ ଛତିଶଗଡ଼ର ଧାନରେ ହିଁ ମିଲର୍ସ ଟାର୍ଗେଟ ପୂରଣ କରୁଛନ୍ତି।
The post ବରଗଡ଼ : ଛତିଶଗଡ଼ ଧାନରେ ପୂରୁଛି ଟାର୍ଗେଟ୍ first appeared on Sambad.
from ଜିଲ୍ଲା – Sambad https://ift.tt/3qSuy8n
0 Comments