
କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ପୁଣିଥରେ ଘନେଇବାରେ ଲାଗିଛି। ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଛି କଟକ ପୁରୀଘାଟ ଥାନା ପୁଲିସ୍। ଏଥିସହିତ, ଆଜି ସନ୍ଧ୍ୟାରେ ବର୍ଷାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଭାଇରାଲ୍ ଅଡିଓର ତଦନ୍ତ ପାଇଁ ଅନୁଭବ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ପତ୍ର ଲେଖିଛନ୍ତି। ଅନୁଭବ ଓ ବର୍ଷାଙ୍କ ବିବାଦକୁ ନେଇ ବେଶ୍ କିଛି ମାସ ଧରି ଚର୍ଚ୍ଚା ଲାଗିରହିଛି। ଅଦାଲତରେ ପରସ୍ପର ବିରୋଧରେ ରହିଥିବା ମାମଲାର ଅଗ୍ରଗତିକୁ ନେଇ ମଧ୍ୟ ଖବର ସାମ୍ନାକୁ ଆସୁଥିଲା। ଗତ ଶୁକ୍ରବାର ରାତିଠାରୁ ପୁଣିଥରେ ଉଭୟଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଛି। ସେହି ରାତିରେ ବର୍ଷା କୌଣସି କାମରେ ବାହାରକୁ ଯାଇ ଘରେ ପହଞ୍ଚିଲାବେଳକୁ ଗେଟ୍ରେ ତାଲା ଝୁଲୁଥିଲା। ଅନେକ ଡାକ ପକାଇଥିଲେ ବି କେହି ଖୋଲି ନଥିଲେ। ତେଣୁ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଅନେକ ବିଳମ୍ବରେ ଗେଟ୍ ଖୋଲାଯିବା ପରେ ବର୍ଷା ଘର ଭିତରକୁ ଯାଇଥିଲେ। ହେଲେ, ଏଭଳି କାର୍ଯ୍ୟ ଦ୍ବାରା ତାଙ୍କୁ ନିର୍ଯାତନା ଦିଆଯାଉଥିବା ସଂକ୍ରାନ୍ତରେ ବର୍ଷା ପୁରୀଘାଟ ଥାନାରେ ଆଉ ଏକ ଏତଲା ଦେଇଥିଲେ। ଗତକାଲି ଡିସିପିଙ୍କ ସହିତ ପାରିବାରିକ କଳହ ବିଷୟରେ ଆଲୋଚନା କରିବା ପରେ ଏହି ମାମଲାକୁ ରୁଜୁ କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, କିଛିଦିନ ତଳେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଭିଡିଓ ଭାଇରାଲ ହେବା ପରେ ବର୍ଷା ଏହା ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଆଜି ଅନୁଭବ ଏକ ଅଡିଓ ଭାଇରାଲ୍ ହେବା କଥା ଉଠାଇଛନ୍ତି। ଏହି ଭାଇରାଲ୍ ଅଡିଓର ତଦନ୍ତ ନେଇ ଡିଜିପିଙ୍କୁ ପତ୍ର ଲେଖିଛନ୍ତି। ଅନୁଭବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦୁଇମାସ ହେବ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରାଲ୍ ହୋଇଛି। ଏହି ଅଡିଓରେ ସେ ନିଜେ, ବର୍ଷା ଓ ତାଙ୍କ ପରିବାର ଲୋକ ବର୍ତ୍ତାଳାପ କରୁଥିବା ଶୁଣିବାକୁ ମିଳିଛି। ଯେଉଁଥିରେ ବର୍ଷା ଓ ତାଙ୍କ ପରିବାର ଯୋଜନାବଦ୍ଧ ଷଡ଼ଯନ୍ତ୍ର କରୁଥିବା ଉକ୍ତ ଅଡିଓରେ ଶୁଣିବାକୁ ମିଳିଛି। ‘ବର୍ଷା ଏବେ ଆମ ଘରେ ପରିବାର ସହ ରହୁଛନ୍ତି। ତେଣୁ ମୋ ପରିବାର ପ୍ରତି ଏହା ବିପଦ ସୃଷ୍ଟି କରିପାରେ’। ଏଥିସହିତ ଏହି ଅଡିଓ ବର୍ଷା ଓ ତାଙ୍କ ପରିବାରର ନା ଏହାକୁ କେହି ପ୍ରସ୍ତୁତ କରି ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି, ତାହାର ତଦନ୍ତ ପାଇଁ ଦାବି କରିଛନ୍ତି।
ଅନୁଭବ ତାଙ୍କ ସାଂସଦ ପ୍ୟାଡ୍ରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ବିଜୁ ଜନତା ଦଳରୁ ପ୍ରଥମେ ରାଜ୍ୟସଭା, ପରେ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଏକ ଜାତୀୟ ରାଜନୈତିକ ଦଳର ଉପ-ସଭାପତିଙ୍କୁ ହରାଇ ସାଂସଦ ହୋଇଛନ୍ତି। ଲୋକଙ୍କ ସ୍ବାର୍ଥ ଲାଗି ନିୟମିତ ବ୍ୟବଧାନରେ କାର୍ଯ୍ୟରେ ବହୁବାର ଦିଲ୍ଲୀ ଯିବାକୁ ପଡୁଛି। ହେଲେ ଏପରି କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ବଦନାମ କରାଯିବାକୁ ଚେଷ୍ଟା କରାଯାଉଛି। ଏଥିସହ ତାଙ୍କ ପରିବାର ପ୍ରତି ମଧ୍ୟ ବିପଦ ରହିଛି। ତେଣୁ ଏହାକୁ ଗୁରୁତ୍ବର ଭାବେ ଗ୍ରହଣ କରି ଏହାର ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଡିଜିପିଙ୍କୁ ପତ୍ର ମାଧ୍ୟମରେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଶୁକ୍ରବାରର ଘଟଣା ପରେ ବର୍ଷା ପୁରୀଘାଟ ଥାନାରେ ଯେଉଁ ଲିଖିତ ଅଭିଯୋଗ କରିଥିଲେ, ତାହାକୁ ଆଜି ବସ୍ତୃତ ଭାବେ ପୁଲିସ୍ ନିକଟରେ ଜଣାଇଛନ୍ତି। ସଂଧ୍ୟାବେଳେ ଥାନାକୁ ଆସି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ୍ ପକ୍ଷରୁ ୧୬୧ରେ ତାଙ୍କର ଅଭିଯୋଗ ଓ ବୟାନକୁ ରେକର୍ଡ କରାଯାଇଛି। ଗତକାଲି ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିଟ୍ ଟିମ୍ ନନ୍ଦୀସାହିସ୍ଥିତ ଘରକୁ ଯାଇ ବର୍ଷା ଓ ଅନୁଭବଙ୍କ ସହିତ ଉକ୍ତ ଘଟଣା ବିଷୟରେ ଆଲୋଚନା କରିଥିଲେ।
The post ତେଜିଲା ବର୍ଷା-ଅନୁଭବ ବିବାଦ: ଅନୁଭବଙ୍କ ବିରୋଧରେ ମାମଲା, ବର୍ଷାଙ୍କ ବୟାନ ରେକର୍ଡ first appeared on Sambad.
from ଜିଲ୍ଲା – Sambad https://ift.tt/3mGosVj
0 Comments