କଟକ : ଫନି ପାଣ୍ଠି ଖର୍ଚ୍ଚ କେତେ କରିଛ? ଯାହା ଖର୍ଚ୍ଚ କରିଛ ତା’ର ବିନିଯୋଗ ପ୍ରମାଣପତ୍ର ଦାଖଲ କର। କାମ ସଂପର୍କରେ ଅଗ୍ରଗତି ରିପୋର୍ଟ ଦିଅ। ଯଦି ପାଣ୍ଠି ଖର୍ଚ୍ଚରେ ବିଲମ୍ବ ହୋଇଛି ବା କାମ କେତେ ଦୂର ସରିଛି ତାର ରିପୋର୍ଟ ଦେବା ପାଇଁ ରାଜ୍ୟର ୧୪୫ଟି କଲେଜକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ଏପରିକି ‌ଚିଠିରେ କଡା ତାଗିଦ୍‌ ମଧ୍ୟ କରାଯାଇ ଲେଖାଯାଇଛି ଯେ, ଯଦି ପାଣ୍ଠି ଖର୍ଚ୍ଚ ସଂପର୍କିତ ବିବରଣୀ ଦେବାରେ ବ୍ୟତିକ୍ରମ ହୁଏ ତାହେଲେ ସଂପୃକ୍ତ କଲେଜକୁ ପରବର୍ତ୍ତୀ ଅନୁଦାନ ଦିଆଯିବ ନାହିଁ।

ସୂଚନା ଅନୁସାରେ, ଉପକୂଳ ଓଡିଶାରେ ‘ଫନି ଦ୍ବାରା ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସ୍କୁଲ କଲେଜ ଗୁଡିକର ବିଦ୍ୟୁତ ସରବାରହ ଓ ଜଳ ଯୋଗାଣ ଉତ୍ସ ସବୁ ଭାଙ୍ଗି ଯାଇଥିଲା। ଉଚ୍ଚଶିକ୍ଷା ବିଭାଗ କ୍ଷତିଗ୍ରସ୍ତ କଲେଜର କ୍ଷୟକ୍ଷତି ଆକଳନ କରିବା ପରେ ରାଜ୍ୟ ସରକାର ୧୪୫ଗୋଟି କଲେଜକୁ ଆର୍ଥିକ ଅନୁଦାନ ଦେଇଥିଲେ। କିଛି କଲେଜକୁ ୨୮ଲକ୍ଷ, କିଛିକୁ ୨୩ଲକ୍ଷ ଓ କମ୍ କ୍ଷତିଗ୍ରସ୍ତ କଲେଜଗୁଡିକୁ ୧୮ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଥିଲା। କ୍ଷୟକ୍ଷତି ବାବଦକୁ ୨୯କୋଟି ୯୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ୧୪୫ଟି କଲେଜକୁ ଦିଆଯାଇଥିଲା। କ୍ଷତିଗ୍ରସ୍ତ ଗୃହର ମରାମତି, ବିଜୁଳି ଲାଇନ୍ ମରାମତି, ପାଣି ପାଇପ ଜଳଯୋଗାଣ ଉତ୍ସର ମରାମତି ପାଇଁ ସେହି ସବୁ ଅନୁଦାନ ଅର୍ଥକୁ ବ୍ୟୟ କରାଯିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଥିଲା। ଯଦି ଗୃହଗୁଡିକ ଭାଙ୍ଗିଯାଇଥିବ ତଥା ମରାମତି ଅବସ୍ଥାରେ ନଥିବ, ତେବେ ସେହି ଅନୁଦାନରେ ନୂଆଘର ନିର୍ମାଣ କରିହେବ ବୋଲି କୁହାଯାଇଥିଲା। ଡିସେମ୍ବର ୨୦୨୦ ସୁଦ୍ଧା ଏହି ଅର୍ଥ କେବଳ ସରକାରୀ ସଂସ୍ଥା ଦ୍ବାରା, ସରକାରୀ ନିୟମ ଅନୁଯାୟୀ ଖର୍ଚ୍ଚ କରି ଅଧ୍ୟକ୍ଷମାନଙ୍କୁ ବିନିଯୋଗ ପ୍ରମାଣପତ୍ର ଦେବାକୁ ଉଚ୍ଚଶିକ୍ଷା ବିଭାଗ ତାଗିଦ କରିଥିଲା।

କେବଳ ପିଡବ୍ଲୁଡି, ଆର୍‌ଡି ଓ ବିଡିଓ ତଥା ସରକାରଙ୍କ ସଂସ୍ଥା ଦ୍ବାରା ଏହି ନିର୍ମାଣ କାର୍ଯ୍ୟ ଚିଠିରେ ଉଲ୍ଲେଖ ରହିଥିଲା। ଅନେକ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ନିଜ ଷ୍ଟାଫ୍‌ମାନଙ୍କୁ ଲଗାଇ ସେହି ଟଙ୍କା ବ୍ୟୟ କରିବାକୁ ମସୁଧା କରିଛନ୍ତି। ଅନେକ ବିଡିଓ ସେମାନଙ୍କ ଇଞ୍ଜିନିୟରମାନଙ୍କୁ ମୌଖିକ ଭାବେ କାର୍ଯ୍ୟାଦେଶ ଦେଇ ମନଇଚ୍ଛା ବିଲ୍ କରିବା ଚକ୍କରରେ ଅଛନ୍ତି। ସେହି ଇଞ୍ଜିନିୟରମାନେ ବିନା ଟେଣ୍ଡର୍‌ରେ କଲେଜ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ଏଷ୍ଟିମେଟ୍‌ ନ କରି ଫନି ଗ୍ରାଣ୍ଟ୍‌କୁ ତୋଷରପାତ କରିବା ଲକ୍ଷ୍ୟରେ ଅଛନ୍ତି। କିଛି ଜନପ୍ରତିନିଧି ଓ ଠିକାଦାର କରୁଥିବା ଅଧ୍ୟାପକ ମିଳିମିଶି ଫନି ଗ୍ରାଣ୍ଟ୍‌କୁ ହେରଫେର କରିବାରେ ଲାଗିଛନ୍ତି। ଏସବୁ ଅବ୍ୟବସ୍ଥାକୁ ନେଇ ସମାଜସେବୀ ଶୁଭେନ୍ଦୁ ମହାନ୍ତି ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅର୍ଥ କିପରି ଡିସେମ୍ବର ମାସ ସୁଦ୍ଧା ସଦୁପଯୋଗ ହେବ ଓ କ୍ଷତିଗ୍ରସ୍ତ କଲେଜମାନଙ୍କର ଭିତ୍ତିଭୂମିର ବିକାଶ ହେବ, ସେ ନେଇ ଓଡ଼ିଶା ପ୍ରଗତି ମଞ୍ଚ ତରଫରୁ ଶାସନ ସଚିବଙ୍କ ସହଯୋଗ ଲୋଡ଼ିଥିଲେ। ଏଭଳି ଚିଠି ପରେ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିବା ସହିତ କାର୍ଯ୍ୟର ତଦାରଖ ପାଇଁ ଅଗ୍ରଗତି ରିପୋର୍ଟ ମାଗିଥିବା ଜଣାପଡ଼ିଛି।

The post ଫନି ପାଣ୍ଠି ଖର୍ଚ୍ଚ ସଂପର୍କରେ ଚେତିଲା ଉଚ୍ଚଶିକ୍ଷା ବିଭାଗ : ୧୪୫ କଲେଜକୁ ରିପୋର୍ଟ ତଲବ first appeared on Sambad.



from ଜିଲ୍ଲା – Sambad https://ift.tt/3a9M8yW