ସମ୍ବଲପୁର : ଉତ୍ତରାଞ୍ଚଳ ରେଞ୍ଜ ଓ ସମ୍ବଲପୁର ଜିଲ୍ଲା ପୁଲିସ୍‌ ମୁରବୀ ବିହୀନ ହୋଇ ପଡ଼ିଥିଲା‌ ବେଳେ ସହରରେ ପୁରୁଣା ଗ୍ୟାଙ୍ଗ୍‌ୱାର୍‌ ତେଜିବାରେ ଲାଗିଛି। ରବିବାର ସଂଧ୍ୟାରେ ପୁଣି ଏକ ହତ୍ୟାକାଣ୍ଡ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାକୁ ମିଶାଇ ୨ ମାସ ମଧ୍ୟରେ ସମ୍ବଲପୁର ସହରରେ ୪ଟି ଗ୍ୟାଙ୍ଗ୍‌ୱାର୍‌ ଜନିତ ହତ୍ୟାକାଣ୍ଡ ଘଟି ଯାଇଛି। ପୂର୍ବରୁ ହାଟପଡ଼ା, ବୁର୍ଲା (ଡବଲ୍‌ ମର୍ଡର) ଓ ସୁନାପାଲିରେ ପୁରୁଣା ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିଲାବେଳେ ରବିବାର ସନ୍ଧ୍ୟା ୮ଟା ୧୦ ମିନିଟ୍‌ରେ ଟାଉନ୍‌ ଥାନା ଅନ୍ତର୍ଗତ ସଞ୍ଜିବନୀ ନର୍ସିଂହୋମ୍‌ ନିକଟରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁଖ୍ୟାତ ଅପରାଧୀ ମିଟୁ ଓରଫ ଭୀମସେନ ଗୁରୁ (୪୫)ଙ୍କୁ ଭୁଜାଲି ମାଡ଼ କରି ହତ୍ୟା କରାଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମିଟୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମିଟୁଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍‌ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖାହେବା ଯାଏ ମିଟୁଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମିଳିପାରିନି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ମିଟୁ ବଡ଼ବଜାର ଛକରେ ଛିଡ଼ା ହୋଇଥିବା ସମୟରେ ଜଣେ ବନ୍ଧୁଙ୍କ ସହ ତାଙ୍କର ଭେଟ ହୋଇଥିଲା। ଏହାପରେ ଉଭୟ ସଞ୍ଜିବନୀ ନର୍ସିଂହୋମ୍‌ ନିକଟସ୍ଥ ଗୁଡ୍ଡୁ ଚା ଦୋକାନରେ ବସି ଚା ପିଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଏକ ଲୁହା ପାଇପ୍‌ରେ ମିଟୁ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲେ। ମିଟୁ ତଳେ ପଡ଼ିଯିବା ପରେ ତାଙ୍କ ଛାତି, ପେଟ ଓ ବେକମୁଣ୍ଡାରେ ଭୁଜାଲି ମାଡ଼ କରି ଦୁର୍ବୃତ୍ତମାନେ କ୍ଷେତରାଜପୁର ରେଳ ଷ୍ଟେସନ୍‌ ପଟକୁ ଫେରାର୍‌ ମାରିଥିଲେ। ଦୂରରେ ଥାଇ ଲୋକେ ଏହି ଘଟଣା‌ ଦେଖୁଥିଲେ ସୁଦ୍ଧା ଆକ୍ରମଣକାରୀ ମାରଣାସ୍ତ୍ର ଧରି ଥିବାରୁ କେହି ପାଖକୁ ଯିବାକୁ ସାହସ କରି ନ ଥିଲେ। ଶେଷରେ ସେମାନେ ଯିବା ପରେ କିଛି ଯୁବକ ରକ୍ତାକ୍ତ ଅବସ୍ଥାରେ ମିଟୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଗତ ୬ ତାରିଖରେ ସହରର ସୁନାପାଲିରେ ଜଣେ ଯୁବକକୁ ସଂଘବଦ୍ଧ ଭାବେ କଂକ୍ରିଟ୍‌ରେ ଛେଚି ହତ୍ୟା କରାଯିବା ଘଟଣା‌ରେ ପୁଲିସ୍‌ ଏଯାବତ୍‌ କୌଣସି ଅପରାଧୀଙ୍କୁ ଗିରଫ କରି ପାରିନି। ଟାଉନ୍‌ ଥାନା ଅଞ୍ଚଳରେ ୬ ଦିନ ତଳେ ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ବରଯାତ୍ରୀ ଯାଉଥିବା ସମୟରେ ତଅଁଲାପଡ଼ାର ଜଣେ ଯୁବକଙ୍କୁ ଭୁଜାଲିମାଡ଼ ହୋଇଥିଲା। ସେ କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏବେ ପୁଣିଥରେ ସେହି ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ସହରବାସୀଙ୍କୁ ଆତଙ୍କିତ କରିଦେଇଛି। ହତ୍ୟା, ପ୍ରାଣାନ୍ତକ ଆକ୍ରମଣ ଭଳି ୧୦ରୁ ଅଧିକ ସଙ୍ଗିନ୍‌ ମାମଲାରେ ଗିରଫ ହୋଇଥିବା ମିଟୁଙ୍କୁ ୧୧ ବର୍ଷ ତଳେ ସମ୍ବଲପୁର ପୁଲିସ୍‌ ଜାତୀୟ ସୁରକ୍ଷା ଆଇନ୍‌ ଜାରି କରିଥିଲା। ତେବେ ଜେଲ୍‌ରୁ ମୁକୁଳିବା ପରଠାରୁ ମିଟୁ୍ ସକ୍ରିୟ ଅପରାଧରୁ ଦୂରରେ ରହିଥିଲେ। ଏଭଳି ସ୍ଥଳେ ଏତେ ବର୍ଷ ପରେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ସମ୍ବଲପୁରରେ ପୁଣି ଗ୍ୟାଙ୍ଗ୍‌ୱାର୍‌ : ଭୁଜାଲି ମାଡ଼ରେ ମିଟୁ ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/3ntvuyh