
ସମ୍ବଲପୁର: ଚାକିରି ଜୀବନରୁ ଅବସର ଗ୍ରହଣ ପରେ ସାଧାରଣ ଲୋକ ଯେଉଁଠି ଘରେ ଆରାମରେ ପେନ୍ସନ୍ ଅର୍ଥରେ ଅବଶିଷ୍ଟ ଜୀବନ କାଟିଦେବାକୁ ପସନ୍ଦ କରନ୍ତି; ସେଠି ଜନସେବା ଲକ୍ଷ୍ୟ ନେଇ ଡାକ୍ତରୀ ପାଠପଢ଼ା ଆରମ୍ଭ କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ। ୬୪ ବର୍ଷ ବୟସରେ ସେ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଯେକୌଣସି ବ୍ୟକ୍ତି ନିଜ ଅଭୀଷ୍ଟ ଲକ୍ଷ୍ୟରେ ପହଞ୍ଚିପାରିବ। ଉତ୍ତୀର୍ଣ୍ଣ ବୟସରେ ସେ ଡାକ୍ତରୀପାଠ ଆରମ୍ଭ କରିବାର ଅଭିପ୍ରାୟ ଜାଣିବା ପାଇଁ ‘ସମ୍ବାଦ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ ସହ କଥାବାର୍ତ୍ତାର କିୟଦଂଶ-
ଏତେ ବୟସରେ ଡାକ୍ତରୀ ପାଠ ପାଇଁ ଇଚ୍ଛା କେମିତି ହେଲା?
ପାଠ ପଢ଼ା ପାଇଁ କୌଣସି ବୟସ ନଥାଏ। ଡାକ୍ତରୀ ପାଠ ପଢ଼ି ଜଣେ ଡାକ୍ତର ହେବାକୁ ପିଲା ଦିନୁ ଇଚ୍ଛା ରହିଥିଲା। କିନ୍ତୁ ପ୍ରଥମଥର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନପାରିବାରୁ ଆଉ ପରୀକ୍ଷା ଦେଇନଥିଲି। ନିଟ୍ ପରୀକ୍ଷା ଦେବା ପାଇଁ ସର୍ବାଧିକ ବୟସ ସୀମା ଉଠିଯିବା ପରେ ଏହା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଲା। ପରୀକ୍ଷା ଦେଲି ଓ ଉତ୍ତୀର୍ଣ୍ଣ ବି ହେଲି।
ଡାକ୍ତର କାହିଁକି ହେବେ?
୧୯୮୨ ମସିହାରେ ବାପା ଅଲ୍ସର ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ଚିକିତ୍ସା ହେଲା, କିଛିଟା ସୁଧାର ଆସିଲା। ୧୯୮୭ ମସିହାରେ ଶେଷରେ ଅସ୍ତ୍ରୋପଚାର ହେଲା। ଏହା ପରଠାରୁ ବାପା ୨୦୧୦ ଯାଏ ବଞ୍ଚିଲେ। ମୋଟାମୋଟି ଭାବେ କହିବାକୁ ଗଲେ ଡାକ୍ତରଙ୍କ ପାଇଁ ହିଁ ବାପା ଆଉ ୩୦ ବର୍ଷ ଅଧିକ ବଞ୍ଚିଥିଲେ। ତେଣୁ ମୁଁ ବି ଦିନେ ଡାକ୍ତର ହୋଇ ଲୋକଙ୍କ ଜୀବନ ବଞ୍ଚାଇବି ବୋଲି ନିଷ୍ପତ୍ତି ନେଇଥିଲି।
ଡାକ୍ତରୀ ପାଠରେ ବାପଠାରୁ ଝିଅ ବର୍ଷେ ବଡ଼, କେମିତି ଦେଖିବେ ଏହାକୁ?
ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ଆଜି ନାମ ଲେଖାଇଲି। ଏବେ ମୁଁ ପ୍ରଥମ ବର୍ଷର ଛାତ୍ର। ଯଦିଓ ଝିଅ ଡାକ୍ତରୀ ପାଠ(ବିଡିଏସ୍) ଦ୍ବିତୀୟ ବର୍ଷରେ ପଢ଼ୁଛି ତଥାପି ମୁଁ ନିଜକୁ ପ୍ରଥମ ବର୍ଷର ଛାତ୍ର ଭାବେ ହିଁ ଗ୍ରହଣ କରିବି। ଝିଅଠାରୁ ବି ଅନେକ ପାଠ ଶିଖିବାର ଅଛି। ପାଠ ପଢ଼ାରେ ସେଭଳି କିଛି ବଡ଼ ସାନ ଭାବିବାର ନାହିଁ।
ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କେତେ କଷ୍ଟ ଥିଲା?
୨୦୧୬ ମସିହାରେ ଚାକିରିରୁ ଅବସର ଗ୍ରହଣ କରିବା ବେଳକୁ ଝିଅ ଡାକ୍ତରୀ ପ୍ରବେଶିକା ପାଇଁ ପ୍ରସ୍ତୁତି କରୁଥିଲା। ତାକୁ ଗାଇଡ୍ କରିବା ବେଳକୁ ମୁଁ ବି ସେ ବହିଗୁଡ଼ିକ ପଢ଼ୁଥିଲି। ୨୦୧୯ ମସିହାରେ ନିଟ୍ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେବା ପରେ ଦିନକୁ ୧୦-୧୨ ଘଣ୍ଟା ପାଠ ପଢ଼ିଲି। ଏନ୍ସିଇଆର୍ଟିର ସିଲାବସ୍ ଶେଷ କରିବା ପରେ ପ୍ରିପାରେସନ୍ ବହି ମଧ୍ୟ ପଢ଼ୁଥିଲି। ତେଣୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସେତେ କଷ୍ଟକର ନଥିଲା।
ଅନ୍ୟମାନଙ୍କ ପାଇଁ କଣ ବାର୍ତ୍ତା ଦେବେ?
ପ୍ରତିଟି ଯୁବକ ଯଦି ନିଜ ଭିତରେ ଥିବା ଇଚ୍ଛାଶକ୍ତିକୁ ଦୃଢ଼ କରିବେ, ନିଜର ଲକ୍ଷ୍ୟକୁ ସ୍ଥିର କରିବେ ତେବେ ସଫଳତା ହାସଲ କରିବାରେ ସେମାନଙ୍କୁ କେହି ରୋକି ପାରିବେନି। ପାଠ ପଢ଼ିବାର କିଛି ବୟସ ନଥାଏ। ତେଣୁ ଯେତେବେଳେ ବି ସମୟ ମିଳୁଛି କିଛି ନା କିଛି ପଢ଼ିବାର ଆବଶ୍ୟକତା ରହିଛି।
The post ‘ପାଠପଢ଼ାରେ ସାନବଡ଼ ଭାବିବା କଥା ନୁହେଁ’ first appeared on Sambad.
from ଜିଲ୍ଲା – Sambad https://ift.tt/3mRTCcp
0 Comments