
କଟକ: ଗ୍ରାମାଞ୍ଚଳରେ ପୁଣି ଚିନ୍ତା ବଢାଇଲାଣି କରୋନା। ଆଠଗଡ଼ ପରେ ଏବେ କଣ୍ଟାପଡା ବ୍ଲକ୍ର ଖଣ୍ଡସାଇଲୋ ଗ୍ରାମରେ ଗୋଟିଏ ପରିବାରର ୧୧ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଯାହାକୁ ନେଇ ସେହି ଅଂଚଳ ତଥା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ଯୋଜନା ଆରମ୍ଭ କରିଛି ପ୍ରଶାସନ। ଏ ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କଣ୍ଟାପଡା ବିଡିଓଙ୍କୁ ସ୍ଥାନ ଚିହ୍ନଟ ଓ କଣ୍ଟେନମେଣ୍ଟ ଜୋନ କେଉଁ କେଉଁ ଅଂଚଳକୁ ଘୋଷଣା କରାଯିବ, ସେ ସଂପର୍କରେ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, କରୋନା ଆକ୍ରାନ୍ତ ହୋଇଥିବା ପରିବାରର ଜଣେ ସଦସ୍ୟ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରନ୍ତି। ପ୍ରାୟ ୧୦ ଦିନ ତଳେ ତାଙ୍କର ଲକ୍ଷଣ ଦେଖାଦେବା ସହ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରିବାର ଅନ୍ୟ ସଦସ୍ୟମାନଙ୍କଠାରେ ମଧ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ପରିବାରର ୧୪ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୧ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସେଥିରେ ୯୦ବର୍ଷର ବୃଦ୍ଧ ଓ ଛୋଟ ଶିଶୁ ବି ରହିଥିବା ଜଣାପଡିଛି। ଏହି ରିପୋର୍ଟ ଆସିବା ପରେ ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବା ସହ ଜିଲ୍ଲାର କରୋନା ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା। କରୋନା ପ୍ରକୋପ ଦିନକୁ ଦିନ ହ୍ରାସ ପାଉଥିବାବେଳେ ଏବେ ପୁଣି ବ୍ରିଟେନ୍ରେ ନୂଆ ଭାଇରସ୍ ଓ ରାଜ୍ୟରେ ଜଣେ ବ୍ରିଟେନ୍ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସରକାର ପୁଣି ଥରେ ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ଯଦିଓ ରାଜ୍ୟରେ କରୋନାର ୨ୟ ଲହର ଆସିବା ସମ୍ଭାବନା କମ୍ ରହିଥିବା ବିଶେଷଜ୍ଞ କମିଟି ମତପୋଷଣ କରୁଛନ୍ତି କିନ୍ତୁ ଗତକାଲି ଆଠଗଡ଼ ବ୍ଲକ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମରୁ ୯ଜଣ କରୋନା ଚିହ୍ନଟ ହେବା ପରେ ସେହି ଅଂଚଳକୁ ଗତକାଲିଠାରୁ ୫ ଦିନ ପାଇଁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି। ଏବେ ପୁଣି କଣ୍ଟାପଡା ବ୍ଲକ୍ର ଖଣ୍ଡସାଇଲୋ ଗାଁକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ପ୍ରଶାସନ ଯୋଜନା କରୁଥିବା ସଂପର୍କରେ ବିଡିଓଙ୍କୁ ଆସିଷ୍ଟାଣ୍ଟ କଲେକ୍ଟର ଅଲକା ରାଣୀ ଦେବତା ସୂଚନା ଦେଇଛନ୍ତି।
The post ଆଠଗଡ଼ ପରେ ଚିନ୍ତା ବଢାଇଲା କଣ୍ଟାପଡ଼ା: ଗୋଟିଏ ପରିବାରର ୧୧ ଆକ୍ରାନ୍ତ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/3aTqsHV
0 Comments