
ପଟାଙ୍ଗି : ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଥିବା ବିବାଦରେ ଆନ୍ଧ୍ରପ୍ରଦେଶ ସରକାର ଆଦୌ ସହଯୋଗ କରି ନ ଥିବା ଜଣାଯାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ଗ୍ରାମପଞ୍ଚାୟତର ସୁନାବେଢ଼ା ଗ୍ରାମରେ ସୀମାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଓଡ଼ିଶା ସୀମା ମଧ୍ୟରୁ ଆନ୍ଧ୍ର ଅନୁପ୍ରବେଶ କରିଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିବା ସହ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଭଳିକି ସୀମାନ୍ତର ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଲମ୍ବିଥିଲା। ଗତ ୩ ତାରିଖ ଦିନ କୋରାପୁଟ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଆନ୍ଧ୍ର ପ୍ରଦେଶ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୀମାକୁ ନେଇ ଆଲୋଚନା ହୋଇଥିଲା। ସୀମା ଚିହ୍ନଟ ନେଇ ଉଭୟ ପ୍ରଶାସନିକ ଅଧିକାରୀ ସହମତ ହେବା ପୂର୍ବର ରେକର୍ଡ ଅନୁଯାୟୀ ଚିହ୍ନଟ କରାଯିବ ବୋଲି ଚୁକ୍ତିନାମା କରାଯାଇଥିଲା । ଗତ ୬ ଦିନ ଧରି କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀ ସୀମା ଚିହ୍ନଟ ପ୍ରକ୍ରିୟାରେ ଯୋଗଦେଇ ସୀମା ଚିହ୍ନଟ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ କୌଣସି ଅଧିକାରୀଙ୍କ ଦେଖାଦର୍ଶନ ମିଳି ନ ଥିଲା।
ପୂର୍ବରୁ ଆନ୍ଧ୍ରପ୍ରଦେଶ କେବଳ ଗୁଗୁଲ୍ ମ୍ୟାପ୍ ଧରି ଓଡ଼ିଶା ଭିତରକୁ ଅନୁପ୍ରବେଶ କରି ଏହା ନିଜର ଅଞ୍ଚଳ ବୋଲି ଦାବି କରିଆସୁଥିବା ବେଳେ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ସ୍ପଷ୍ଟ ହୋଇଯାଇଛି । ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାର ପ୍ରାୟ ୧୫୦ ମିଟର ଅଞ୍ଚଳର ପ୍ରାୟ ୧୦୦ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଯେଉଁ ମସୁଧା କରିଥିଲେ ତାହା ପଣ୍ଡ ହୋଇଛି। ସୀମା ଚିହ୍ନଟ ପ୍ରକ୍ରିୟାରେ ଡେ଼ପୁଟି କଲେକ୍ଟର ଅର୍ଚ୍ଚନା ଦାସ, ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ସମ୍ବାଇ ଆରଆଇ ସଭା ହରିଜନ , ଆଇଆଇସି ବିଜୟରାଜ ମାଝିଙ୍କ ସମେତ ବ୍ରହ୍ମପୁର ସେଟେଲମେଣ୍ଟ କାର୍ଯ୍ୟାଳୟରୁ ଆସିଥିବା ୩ ଜଣ ଅଧକାରୀ ଉପସ୍ଥିତ ରହିଥିଲେ। ଏହି ରିପୋର୍ଟ ପ୍ରଶାସନ ନିକଟରେ ଦାଖଲ କରାଯିବା ସହ ସରକାରଙ୍କୁ ଅବଗତ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
The post ସୀମା ବିବାଦ : ଧରାପଡ଼ିଲା ଆନ୍ଧ୍ରର କାରସାଦି first appeared on Sambad.
from ଜିଲ୍ଲା – Sambad https://ift.tt/3oJw76N
0 Comments