ପାଠକ ପରିବାରର ବୀରମହାରାଜପୁର ଲିଙ୍କ୍‌ : ଝିଅ ଘରେ ନାବାଳିକାଙ୍କୁ ଖଟାଉଥିଲେ!

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାରୁ ପାଠକ ପରିବାର ନାମରେ ସାଂଘାତିକ ଅଭିଯୋଗ ଆସିଛି। ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଭଲ ରୋଜଗାରର ପ୍ରଲୋଭନ ଦେଖାଇ ପାଠକ ପରିବାର ଘରେ କାମ କରାଉଥିଲେ ଏବଂ ସେମାନଙ୍କ ମଧ୍ୟରୁ ଯୁବତୀଜଣଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି। ଏମିତିକି ନାବାଳିକା ଝିଅକୁ ଶିଶୁ ଶ୍ରମିକ ଭାବେ ପାଠକ ପରିବାର ନିଜ ଝିଅ, ଜ୍ବାଇଁଙ୍କ ଘରେ ଖଟାଇଥିବାର ମଧ୍ୟ ଅଭିଯୋଗ ହୋଇଛି। ଗଣମାଧ୍ୟମକୁ ଝିଅ ଘର ଲୋକେ ଏ ବିଷୟରେ ସୂଚନା ଦେବା ପରେ ଘଟଣା ଏବେ ଚର୍ଚ୍ଚାକୁ ଆସିଛି।

ଜିଲ୍ଲା ଡୁମ୍ବାଳ ଯୁବ ସମାଜ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଉଲୁଣ୍ଡା ବ୍ଲକ୍‌ କାଦୋଦର ଗାଁର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ପାଠକ ପରିବାର ନିଜ ଘର କାମ ପାଇଁ ନେଇଥିଲେ। ନିଜ ଘରେ କିଛିଦିନ କାମ କରାଇବା ପରେ ବିହାରର ପାଟଣା ସହରରେ ଥିବା ନିଜ ଝିଅ ଓ ଜ୍ବାଇଁଙ୍କ ଘରକୁ ପଠାଇ ଦେଇଥିଲେ। ଏହା ପୂର୍ବରୁ ବି ପାଠକଙ୍କ ଝିଅ, ଜ୍ବାଇଁଙ୍କ ଘରେ ବୀରମହାରାଜପୁର ବ୍ଲକ୍‌ର ଲୁମୁରଜୁନା ଗାଁର ଅନ୍ୟ ଜଣେ ଯୁବତୀ କାମ କରୁଥିଲେ। ଯୁବତୀଜଣକ ନିଜ ଘରକୁ ଆସିବା ପାଇଁ ପାଟଣାରୁ ଟ୍ରେନ୍‌ ଯୋଗେ ଭୁବନେଶ୍ବର ବାହାରିଥିଲେ। କିନ୍ତୁ ଭୁବନେଶ୍ବରରେ ପହଞ୍ଚିବା ବେଳକୁ ଉକ୍ତ ଯୁବତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇ ଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଯୁବତୀଙ୍କ କେବେ ମୃତ୍ୟୁ ହୋଇଛି ସେ ବିଷୟରେ ପରିବାର ଲୋକେ ସବିଶେଷ ସୂଚନା ଦେଇପାରୁନାହାନ୍ତି। ଯୁବତୀଙ୍କ ମୃତ୍ୟୁ ପରେ ବନ ବିଭାଗ ଗାଡ଼ିରେ ପରିବାର ଲୋକଙ୍କୁ ଡକାଯାଇ ଆର୍ଥିକ ପ୍ରଲୋଭନ ଦିଆ ଯାଇଥିବା ନେଇ ମଧ୍ୟ ଜିଲ୍ଲା ଡୁମ୍ବାଳ ଯୁବ ସମାଜ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ବିଧିବଦ୍ଧ ତଦନ୍ତ ପାଇଁ ଦାବି କରାଯାଇଛି। ତେବେ ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧୀରଜ ଚୋପଦାରଙ୍କୁ ପଚାରିବାରୁ, ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ସେ କହିଛନ୍ତି।

The post ପାଠକ ପରିବାରର ବୀରମହାରାଜପୁର ଲିଙ୍କ୍‌ : ଝିଅ ଘରେ ନାବାଳିକାଙ୍କୁ ଖଟାଉଥିଲେ! first appeared on Sambad.



from ଜିଲ୍ଲା – Sambad https://ift.tt/2JPxwKu

Post a Comment

0 Comments