ନୟାଗଡ଼ : ବହୁଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ତ ମାମଲାରେ ବାବୁଲି ନାୟକକୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିଲା। ପୁଲିସ ତାଙ୍କୁ ପଚରାଉଚରା କରୁନଥିଲା ବୋଲି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ବେଳେ ପରୀର ବାପା-ମା’ ସାମ୍ନାରେ ଚିତ୍କାର କରିଥିଲେ। ଏପରିକି ସେ ଫେରାର ଥିବା କୁହାଯାଇଥିଲା।

ହେଲେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗତକାଲି ସରଜମିନ୍ ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ତଦନ୍ତ ଆରମ୍ଭ କରିଛନ୍ତି। ସବୁଠାରୁ ବଡ଼ ଖବର ହେଲା, ବହୁଚର୍ଚ୍ଚିତ ବାବୁଲି ନାୟକକୁ ଜେରାରୁ ହିଁ ଏହି ତଦନ୍ତ ଆରମ୍ଭ ହୋଇଛି। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପାଖାପାଖି ତିନି ଘଣ୍ଟା କାଳ ଏସ୍‌ଆଇଟି ଅଧିକାରୀମାନେ ତାକୁ ପ୍ରଶ୍ନବାଣରେ ଅତିଷ୍ଠ କରିପକାଇଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଏସ୍ଆଇଟି ତାଙ୍କୁ ପୁଣି ଜେରାପାଇଁ ଡାକିପାରେ। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସ୍ଥାନୀୟ ପୁଲିସ ପାଇଁ ଅପହଞ୍ଚ ଥିବା ବାବୁଲିକୁ କେମିତି ପ୍ରଥମ ଦିନରେ ତଦନ୍ତ ପରିସରକୁ ଟାଣି ହୋଇ ଆସିଲା, ତାହା ଆଜି ଆଲୋଚନାର ବିଷୟ ହୋଇଛି। ଏଥିସହିତ ସ୍ଥାନୀୟ ପୁଲିସ ବିରୋଧରେ ଥିବା ଅଭିଯୋଗ ଯେ ଅସତ୍ୟ ନଥିଲା, ତାହା ବି ସ୍ପଷ୍ଟ ହୋଇଯାଇଛି। ଏସ୍ଆଇଟି ପଚରାଉଚରା କରିବା ଲାଗି ଏକ ଲମ୍ବା ତାଲିକା କରିଛି। ଖୁବ୍ ଶୀଘ୍ର ଏ ସମସ୍ତେ ତଦନ୍ତ ପରିସରକୁ ଆସିବେ ଓ ଜେରା ହେବେ।

ଆଜି ସକାଳୁ ସକାଳୁ ଶ୍ରୀ ବୋଥ୍ରା ପରୀ ଗାଁ’ ଯଦୁପୁର ଯାଇଥିଲେ। ଯଦୁପୁରରେ ତାଙ୍କ ଟିମ୍ ପଇଁତରା ମାରିଥିଲା। ସମୁଦାୟ ଗ୍ରାମ ଆଜି ସକାଳୁ ସଞ୍ଜ ପର୍ଯ୍ୟନ୍ତ ପୁଲିସ ଛାଉଣିରେ ରହିଥିଲା। ହଠାତ୍ ଜଣାପଡ଼ିଲା ଯେ ଏସଆଇଟି ବାବୁଲିକୁ ଟାଉନ୍ ଥାନାରେ ଜେରା କରୁଛି। ଗୋଟିଏ ରୁମରେ ବାବୁଲିକୁ ଦୀର୍ଘ ତିନି ଘଣ୍ଟା କାଳ ପଚରାଉଚରା କରାଯାଇଥିଲା। କୌତୂହଳର କଥା ହେଲା, ଜେରା ସମୟରେ ଥାନାର କୌଣସି କର୍ମଚାରୀଙ୍କୁ ଭିତରକୁ ଛଡ଼ାଯାଇନଥିଲା। କିନ୍ତୁ ବାବୁଲି କଣ କହିଲା, ସେ ନେଇ ତଦନ୍ତକାରୀ ଅଧିକାରୀ କିଛି ବି କହିନାହାନ୍ତି। ଏହାବ୍ୟତୀତ ଆଉ କିଛି ବ୍ୟକ୍ତିଙ୍କୁ ବି ଏସ୍‌ଆଇଟି ଆଜି ଜେରା କରିଥିବା ଖବର ମିଳିଛି।

ପରୀ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଯଦୁପୁର ଗ୍ରାମର ବାବୁଲି ନାୟକ ବୋଲି ‘ପରୀ’ ବାପା ଅଶୋକ ସାହୁ ଓ ମା’ ସୌଦାମିନୀ ସାହୁ ଅଭିଯୋଗ କରି ଆସୁଥିଲେ। ସଦର ଥାନା ପୁଲିସ କିମ୍ବା ଜିଲ୍ଲା ପୁଲିସ ବାବୁଲିଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଆସୁଥିଲା। ବାବୁଲି ଶାସକ ବିଜେଡିର ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା। ସେ ମଧ୍ୟ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ। ବାବୁଲିଙ୍କ ପତ୍ନୀ ମଧ୍ୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା । ଫଳରେ ମନ୍ତ୍ରୀଙ୍କ ଚାପରେ ପୁଲିସ ବାବୁଲିଙ୍କୁ ଥାନାକୁ ଡାକୁନଥିବା ପରୀ ପରିବାର ଅଭି‌ଯୋଗ କରିଥିଲେ। ଆଜି ବାବୁଲିଙ୍କୁ ଏସ୍‌ଆଇଟି ଦ୍ବାରା ଜେରା କରାଯିବା ପରେ ଘଟଣା ନେଇ ‌ଅନେକ ରହସ୍ୟ ଖୋଲିବ ବୋଲି ଅନୁମାନ କରାଯାଉଛି। ପରୀ ଗାଁ’ ଦାଣ୍ଡରେ ଖେଳୁଥିବା ବେଳେ, ବାବୁଲି ତାଙ୍କର ଜଣେ ସମ୍ପର୍କୀୟ ଜରିଆରେ ପରୀକୁ ଉଠାଇ ନେଇଥିବା ଓ ଏହାପରେ ନେଇ ହତ୍ୟା କରିଥିବା ପରୀ ପରିବାର ଅଭିଯୋଗ ଆଣିଛନ୍ତି।

The post ପରୀ ହତ୍ୟାକାରୀକୁ ଧରିବାକୁ ତନାଘନା : ବାବୁଲିକୁ ଜେରାରୁ ତଦନ୍ତ ଆରମ୍ଭ first appeared on Sambad.



from ଜିଲ୍ଲା – Sambad https://ift.tt/3lCO2dj