
ଆସିକା: ମାର୍ଗଶିର ମାସ ଗୁରୁବାର ଦିନ ଖାଇବା ପାଇଁ ମା’କୁ ଅଣ୍ଡା ଭଜା ମାଗିଲା ପୁଅ। ପବିତ୍ର ମାଣବସା ପରି ଦିନରେ ଅଣ୍ଡା ଭଜା କୁଆଡ଼ୁ ଆଣି ଦେବି କହି ମା ପୁଅକୁ ମନା କରିଦେଲା। ହେଲେ ଅଣ୍ଡା ଭଜା ଖାଇବା ଜିଦରେ ଅଟଳ ଥିବା ପୁଅ ଏଥିରେ ନିରାଶ ହୋଇ ଶେଷରେ ଆତ୍ମହତ୍ୟା କରି ବସିଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆସିକା ଥାନା ଲାଲାଶାସନ ଗ୍ରାମରେ।
ଗ୍ରାମର ମୁନା ନାୟକ(୨୦) ମାଣବସା ଗୁରୁବାର ଦିନ ତାର ମା’ ଗୋଲାପ ନାୟକଙ୍କୁ ଖାଇବା ପାଇଁ ଅଣ୍ଡା ଭଜା ମାଗିଥିଲା। ହେଲେ ଗୁରୁବାର ହୋଇଥିବାରୁ ଅଣ୍ଡା ଭଜା ଦେବା ପାଇଁ ମାଆ ମୁନାକୁ ମନା କରି ଦେଇଥିଲେ। ଏଥିରେ ମୁନା ରାଗିଯାଇ ଘର ସମ୍ମୁଖରେ ଥିବା କୋଠଘରକୁ ଚାଲି ଯାଇଥିଲା। ବହୁ ସମୟ ପର୍ଯ୍ୟନ୍ତ କୋଠଘରୁ ନଆସିବାରୁ ଗୋଲାପ ତାଙ୍କ ସାନ ପୁଅ ବିଚିତ୍ରକୁ ଭାଇକୁ ଡାକିଆଣିବୁ ଯା କହି ପଠାଇଥିଲେ। ବିଚିତ୍ର କୋଠ ଘର କବାଟ ଖୋଲି ଦେଖିଲା ବେଳକୁ ମୁନା ବେକରେ ବିଦ୍ୟୁତ୍ ତାର ଲଗାଇ ଝୁଲି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଲାପଙ୍କ ଅଭିଯୋଗ ପରେ ପୁଲିସ କେସ୍ ନମ୍ବର ୨୭ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।
The post ମା' ଅଣ୍ଡା ଭଜା ନଦେବାରୁ ଜୀବନ ହାରିଲା ପୁଅ first appeared on Sambad.
from ଜିଲ୍ଲା – Sambad https://ift.tt/2WqB8oM
0 Comments