ରାଜନଗର: ପ୍ରକୃତିର ଗନ୍ତାଘର ଦେଶ ବିଦେଶର ପକ୍ଷୀଙ୍କ ତୀର୍ଥ ଭାବେ ପରିଚିତ ଭିତରକନିକା ଏବେ ମୁଖରିତ ହେଉଛି ରଂଗ ବେରଂଗର ପକ୍ଷୀଙ୍କ କାକଳୀରେ। ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ବିଦେଶାଗତ ପକ୍ଷୀମାନେ ଏବେ ଭିଡ଼ ଜମାଇଛନ୍ତି ଏଠାକାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ। ପକ୍ଷୀମାନଙ୍କର ଆଗମନ, ନୀଳ ଆକାଶରେ ଦଳ ଦଳ ହୋଇ ଉଡିବା, ଆର୍ଦ୍ରଭୂମିରେ ଜଳକ୍ରୀଡା କରିବା ସହିତ ଖାଦ୍ୟ ସଂଗ୍ରହ କରିବାର ଅପୂର୍ବ ଦୃଶ୍ୟ ପ୍ରକୃତିର ଶୋଭାକୁ ଦ୍ବିଗୁଣିତ କରିଛି। ଭିତରକନିକାରେ ପ୍ରାୟ ୮୦ ହଜାରରୁ ଅଧିକ ପକ୍ଷୀଙ୍କ ସମାଗମ ହୋଇଛି।

ଆଗନ୍ତୁକ ପକ୍ଷୀଙ୍କ ମଧ୍ୟରେ ସାଇବେରୀୟ ବତକ, ସମୁଦ୍ର କାଉ, ଚାମଚ ଥଂଟିଆ, ଏରା, ଲାଲମୁଣ୍ତିଆ ବତକ, ପାତି ହଂସ, ନୀଳ ମୁଣ୍ତିଆ ସାରସ, ଧଳା ଲମ୍ବା ଚୁଚୁଦରି, ପେଂଟସ, ଫ୍ଲାଇକେଚର, କୋଟସ ଫିଂଟାଲିନ, ସୋଭେଲର, ଉଇଗେନ ହ୍ବାଇଟ, କରମୋରାଂଟ ବ୍ରାହିନୀ ଟି, ବାଡ ହେଡେଡ ଖୁସି, ହ୍ବାଇଟ ବିଲିଭ୍ ସି ପ୍ରଭୃତି ପ୍ରଜାତିର ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଛି। ପ୍ରଚଣ୍ତ ଶୀତ ଦାୟରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ସମେତ ବିଦେଶରୁ ଆସିଥିବା ଏହି ପକ୍ଷୀମାନେ ଏବେ ସାତଭାୟା ଘେରି, ରାଇପାଟିଆ, ଅଗରନାସୀ ଦ୍ବୀପ, ବରୁଣେଇ ମୁହାଣ ପ୍ରଭୃତି ସ୍ଥାନରେ ଦୃଶ୍ୟମାନ ହେଉଛନ୍ତି। ଆସନ୍ତା ୬ ତାରିଖ ଠାରୁ ଆଗନ୍ତୁକ ବିଦେଶାଗତ ପକ୍ଷୀଙ୍କ ଗଣନା କାର୍ଯ୍ୟ କରାଯିବ ବୋଲି ରାଜନଗର ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

The post ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ଭିତରକନିକା first appeared on Sambad.



from ଜିଲ୍ଲା – Sambad https://ift.tt/3rcQf3k