କପ୍ତିପଦା/ଶାଳଚୁଆ : ଗୁଣିଗାରେଡ଼ି ସନ୍ଦେହରେ ଗାଁ ଦାଣ୍ଡରେ ମହିଳାଙ୍କୁ ହାଣିଦେଲେ। ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଳମଗଡ଼ିଆ ପଞ୍ଚାୟତ ଶାରୀଶୁଆ ଗ୍ରାମରେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଦୁଇଭାଇ ଫେରାର ହୋଇ ଯାଇଛନ୍ତି।

ଶାରୀଶୁଆ ଗ୍ରାମର ଅନୀଲ ମହାନ୍ତଙ୍କ ପତ୍ନୀ ଦୀର୍ଘବର୍ଷ ହେଲା ମାଆ ହୋଇ ପାରୁନଥିଲେ। ସେହି ଗ୍ରାମର ମଧୁ ମହାନ୍ତଙ୍କ ପତ୍ନୀ ଖଇରୀ ମହାନ୍ତ (୪୫) ଗୁଣିଗାରେଡ଼ି କରୁଥିବାରୁ ତାଙ୍କର ପିଲାପିଲି ହେଉ ନାହିଁ ବୋଲି ଅନୀଲଙ୍କ ମନରେ ସନ୍ଦେହ ବସା ବାନ୍ଧିଥିଲା। ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଗଣ୍ତଗୋଳ ଲାଗି ରହୁଥିଲା। ଗତକାଲି ସନ୍ଧ୍ୟା ୫ଟାରେ ଅନୀଲ ଓ ତାଙ୍କ ଭାଇ ବଳରାମ ଏକ ମଟରସାଇକେଲ୍‌ରେ ଆସି ଗାଁ ଦାଣ୍ଡରେ ଖଇରୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ପଳାଇ ଯାଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ଖଇରୀଙ୍କର ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ମଧୁ ଓ ଗ୍ରାମବାସୀ ଶରତ ଥାନାକୁ ଖବର ଦେବା ପରେ ଥାନା ଆଇଆଇସି ରୀନା ବକ୍ସଲା ଗାଁରେ ପହଞ୍ଚି ଶବ ଜବତ କରିଥିଲେ। ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଆଜି କପ୍ତିପଦା ଉପଖଣ୍ତ ଏସ୍‌ଡିପିଓ କେଦାରନାଥ ସାହୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଅନୀଲ ଓ ବଳରାମ ଫେରାର୍‌ ଥିବା ବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

The post ଗୁଣିଗାରେଡ଼ି ସନ୍ଦେହ : ଗାଁ ଦାଣ୍ଡରେ ମହିଳାଙ୍କୁ ହାଣିଦେଲେ first appeared on Sambad.



from ଜିଲ୍ଲା – Sambad https://ift.tt/3rCeKax