କଟକ: ମାଟ୍ରିକ ପରୀକ୍ଷାରେ ‌ପାସ୍‌ ହାର ଶତପ୍ରତିଶତ କରିବା ପାଇଁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଦ୍ବାରା ଦୁର୍ବଳ ପିଲାଙ୍କୁ ସଶକ୍ତ କରିବା ପାଇଁ ‘ମିସନ ଜିରୋ-ଏଫ୍‌’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ଏହି ଯୋଜନା‌ ଏବେ‘ସ୍କଚ୍‌ ସ୍ବର୍ଣ୍ଣ ଆୱାର୍ଡ’ ପାଇବା ପାଇଁ ମନୋନୀତ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଶିକ୍ଷା କ୍ଷେତ୍ରରେ ଓଡିଶାର ମିସନ ଜିରୋ ଏଫ୍‌ କାର୍ଯ୍ୟକ୍ରମକୁ ଏହି ସଫଳତା ମିଳିଥିବାରୁ ଜିଲ୍ଲାପାଳ ଏହାର ଶ୍ରେୟ ଜିଲ୍ଲାବାସୀଙ୍କୁ ଦେବା ସହ ଏଥିପାଇଁ ସମସ୍ତଙ୍କ ସହଯୋଗ ଫଳ‌ରେ ଏହି ଯୋଜନାର ସୁଫଳ ଦୁର୍ବଳ ପିଲାମାନେ ପାଇପାରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଆଜି ଭର୍ଚୁଆଲ ମିଟ୍‌ରେ ଜିଲ୍ଲାପାଳଙ୍କୁ ଏହି ପୁରସ୍କାର ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଛି।

‘ମିସନ ଜିରୋ ଏଫ୍‌’ ୩ଟି ପର୍ଯ୍ୟାୟରେ ଏହା ମନୋନୀତ ହୋଇସାରିଥିବା ବେଳେ ଏବେ ଅନଲାଇନ୍‌ ଭୋଟିଂ ମଧ୍ୟ କରାଯାଇଥିଲା। ଏଥିରେ ସଫଳତା ତଥା ଭୋଟିଂ ଅଧିକ ମିଳିବା ପରେ ଆୱାର୍ଡର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲା। ଶେଷରେ ‘ସ୍କଚ୍‌ ସ୍ବର୍ଣ୍ଣ ଆୱାର୍ଡ’ ମିସନ ଜିରୋ ଏଫ୍‌ ଯୋଜନାକୁ ମିଳିପାରିଛି। ଶିକ୍ଷା କ୍ଷେତ୍ରରେ କେବଳ ଏହି ଗୋଟିଏ ଯୋଜନା ଏହି ଆୱାର୍ଡ ପାଇଥିବା ଜଣାପଡିଛି। ଯୋଜନାରେ ପ୍ରତି ବିଦ୍ୟାଳୟରେ ଦୁର୍ବଳ ପିଲାଙ୍କୁ ଚିହ୍ନଟ କରାଯାଇ ମାଟ୍ରିକ ପରୀକ୍ଷା ପାଇଁ ପାଠ ପଢାଯିବ। ଅକ୍ଟୋବର ୨୦୧୯ରେ ଏହି ଯୋଜନା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ଜିଲ୍ଲାର ୪୫୭ ହାଇସ୍କୁଲର ୭୫୦୦ ମେଣ୍ଟରଙ୍କ ସହାୟତାରେ ୯୭୫୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପାସ୍‌ କରିଥିଲେ।

ଆନ୍ତର୍ଜାତିକ ସଂସ୍ଥା ‘ସ୍କଚ୍‌’ ବିଭିନ୍ନ ନୂତନତ୍ବ ଥିବା ପ୍ରକଳ୍ପଗୁଡିକୁ ଚିହ୍ନଟ କରି ସେଗୁଡିକୁ ନେଇ ସ୍କଚ୍‌ ଆୱାର୍ଡ ପ୍ରଦାନ କରିଥାଏ। କଟକ ଜିଲ୍ଲାପାଳଙ୍କ ଏହି ମିସନ ଜିରୋ ଏଫ୍‌ ଯୋଜନା ଏଭଳି ଆୱାର୍ଡ ପାଇବା କଟକ ଓ ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏଭଳି ଏକ ଯୋଜନାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ପୂର୍ବରୁ ପ୍ରସଂଶା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଶିକ୍ଷକ ଓ ସ୍ବେଚ୍ଛାସେବୀ ସାମିଲ ହୋଇ ପିଲାଙ୍କୁ ପାଠପଢାଇବା ଓ ‌ଯୋଜନାକୁ ସଫଳ କରିବା ପାଇଁ ଉଦ୍ୟମ କରିଥିଲେ।

The post ରାଜ୍ୟ ପାଇଁ ଗୌରବ ଆଣିଲା କଟକ; ମିସନ ଜିରୋ ଏଫ୍‌କୁ ମିଳିଲା ‘ସ୍କଚ୍‌ ସ୍ବର୍ଣ୍ଣ ଆୱାର୍ଡ’ first appeared on Sambad.



from ଜିଲ୍ଲା – Sambad https://ift.tt/37IvKUz