
କୁଜଙ୍ଗ: କୁଜଙ୍ଗଥାନା ମଙ୍ଗରାଜପୁର ଗ୍ରାମର ସଢୁଙ୍କ ଘରକୁ ପତ୍ନୀଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ବାଲିକୁଦା ଥାନା ବାଗୁଣ୍ତି ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ପୁତ୍ର ଅମର(୩୦) ନିଜ ଗଳାକାଟି ଗୁରୁତର ହେବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ଆହତ ଅମରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ଟ୍ୟୁସନ ଶିକ୍ଷକଙ୍କ ଦ୍ବାରା ନବମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ ଚର୍ଚ୍ଚା ଥମିନଥିବାବେଳେ ସେହି ମଙ୍ଗରାଜପୁର ଗ୍ରାମ ପୁଣି ଚର୍ଚ୍ଚାକୁ ଆସିଛି।
ଘଟଣାରୁ ପ୍ରକାଶଯେ, ଗତକାଲି ରାତି ପ୍ରାୟ ଦଶଟାରେ ନିଜ ପତ୍ନୀଙ୍କୁ ଆଣି ଅମର ମଙ୍ଗରାଜପୁର ସ୍ଥିତ ସଢୁ ସନ୍ତୋଷ ବେହେରାଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେତେବେଳେ ସେ ଅତ୍ୟଧିକ ମଦ୍ୟପାନକରି ନିଶାସକ୍ତ ଅବସ୍ଥାରେ ସେହି ରାତିରେ ନିଜଘରକୁ ଫେରିଯିବାକୁ ପତ୍ନୀଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ଏତେ ରାତିରେ ପତ୍ନୀ ତାଙ୍କ ସହିତ ଯିବାପାଇଁ ରାଜି ହୋଇନଥିଲେ। ଫଳରେ ପ୍ରତିକ୍ରିୟାଶୀଳ ହୋଇ ଅମର ଘରୁ ବାହାରକୁ ଚାଲିଯାଇ ଅଧିକ ମଦ୍ୟପାନ କରିଥିଲେ।
ସାରାରାତି ମଦ୍ୟପାନ କରି ମଙ୍ଗରାଜପୁର ଗ୍ରାମର ପଞ୍ଚାୟତ ମାର୍କେଟ କ˚ପ୍ଲେକ୍ସ ବାରଣ୍ତାରେ ଶୋଇ ରହିଥିଲେ। ସକାଳେ ନିକଟସ୍ଥ ଏକ ଦୋକାନରୁ ବ୍ଲେଡ କିଣି ନିଜର ଗଳାକୁ କାଟି ଦେଇଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁର କେତେକ ଯୁବକ ତୁରନ୍ତ ଆମ୍ବୁଲାନ୍ସ ଡକାଇ ନିକଟସ୍ଥ କୁଜଙ୍ଗ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଆହତ ଅମର ଏକ ଯାତ୍ରାପାର୍ଟିରେ ଡ୍ୟାନ୍ସର ଭାବେ ଜୀବିକା ନିର୍ବାହ କରିଥାନ୍ତି। ଲକ୍ଡାଉନ ଫଳରେ ସେ ବେକାର ହୋଇ ନିଜ ଘରେ ରହିଛନ୍ତି। ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲେ ହେଁ କୌଣସି ଲିଖିତ ଅଭିଯୋଗ କରାଯାଇନଥିବା ଜଣାପଡ଼ିଛି।
The post ସଢୁଙ୍କ ଘରକୁ ଆସି ଅଭାବନୀୟ କାଣ୍ତ; ପତ୍ନୀଙ୍କ ଉପରେ ଅଭିମାନ କରି ନିଜ ଗଳା କାଟିଦେଲେ ଯୁବକ first appeared on Sambad.
from ଜିଲ୍ଲା – Sambad https://ift.tt/3mRZum6
0 Comments