କଟକ: ଆଇଆଇଏଫଏଲ୍‌ କେଳେଙ୍କାରୀରେ ଲାଲାବାଗ ଥାନା ପୁଲିସ ଆଜି ପ୍ରଥମ ଥର ପାଇଁ କିଶନଗର ବିଶ୍ବନାଥପୁରର ଚର୍ଚ୍ଚିତ ବାବା ବାପୁ ଓରଫ ରଞ୍ଜନ ବେହେରାକୁ ୬ ଦିନିଆ ରିମାଣ୍ତରେ ଆଣିଛି। ରଞ୍ଜନ ସମେତ କରିତକର୍ମା ଲାଲା ଅମୃତ ସାଗର ରାୟ ଏବ˚ ଡକାୟତି ଗ୍ୟାଙ୍ଗର ପ୍ରକାଶ କୁମାର ସାହୁକୁ ରିମାଣ୍ତରେ ଅଣାଯାଇଥିବା ବେଳେ ଆସନ୍ତା ୭ ତାରିଖ ସନ୍ଧ୍ୟାରେ କୋର୍ଟରେ ସମସ୍ତଙ୍କୁ ହାଜର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିକୁ ମିଶାଇ ଲାଲା ଓ ପ୍ରକାଶ ତୃତୀୟ ଥର ପାଇଁ ରିମାଣ୍ତରେ ଆସିଛନ୍ତି। ପୁଲିସ ବର୍ତ୍ତମାନ ସୁଦ୍ଧା ୧୩ କେଜି ଓଜନର ସୁନା ଅଳଙ୍କାର ଜବତ କରିଥିବା ବେଳେ ଆହୁରି ୨୬ କେଜି ସୁନା ଅଳଙ୍କାରର ପତ୍ତା ମିଳୁନଥିବା କୁହାଯାଉଛି। ୧୦ କୋଟି ଟଙ୍କା ହଡପ୍‌ ହୋଇଥିବା ବେଳେ ସବୁ ଟଙ୍କାର ବି ହିସାବ ମିଳିପାରୁ ନାହିଁ।

ସୂଚନା ଅନୁଯାୟୀ, ଆଇଆଇଏଫ୍‌ଏଲ୍‌ କେଳେଙ୍କାରୀରେ କରିତ୍‌କର୍ମା ଲାଲା ଅମୃତ ସାଗର ରାୟ ସମେତ ୧୪ ଜଣଙ୍କୁ ଲାଲବାଗ ଥାନା ପୁଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରିସାରିଛି। ଗଲା ନଭେମ୍ବର ୨୫ ତାରିଖରେ ଲାଲା ସମେତ ଡକାୟତି ଗ୍ୟାଙ୍ଗରେ ସାମିଲ ସନ୍ତୋଷ ଭୋଇ, ପବିତ୍ର କୁମାର ବେହେରା, ପ୍ରକାଶ କୁମାର ସାହୁ ଏବ˚ ରାଜକିଶୋର ସାହୁକୁ ୨୮ ତାରିଖ ଯାଏ ତିନି ଦିନିଆ ରିମାଣ୍ତରେ ନିଆଯାଇଥିଲା। ୨୮ ତାରିଖରେ ପୁଣି ଲାଲା ସମେତ ପ୍ରକାଶ ଓ ପବିତ୍ରଙ୍କୁ ୪ ଦିନିଆ ରିମାଣ୍ତରେ ନେଇଥିଲା। ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ପବିତ୍ରକୁ ବାଦ୍‌ ଦେଇ ଲାଲା ସମେତ ଲାଲାର ପିଲାଦିନର ବନ୍ଧୁ ତଥା ବାବା ରଞ୍ଜନ ଓ ପ୍ରକାଶକୁ ୬ ଦିନିଆ ରିମାଣ୍ତରେ ଅଣାଯାଇଛି। ପବିତ୍ରକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ବିଶ୍ବଜିତ ବରାଳ କଟକ ସଦର ଏସଡିଜେମ୍‌ ଅଦାଲତରେ ମାମଲା ପରିଚାଳନା କରିଥିଲେ।

The post ଆଇଆଇଏଫ୍‌ଏଲ୍‌ କେଳେଙ୍କାରୀ; ଲାଲା ସମେତ ୩ ଜଣଙ୍କୁ ୬ ଦିନିଆ ରିମାଣ୍ତ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/3qmvTEq