
ଭୁବନେଶ୍ବର: ୨୦୧୯/୨୦ବର୍ଷ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘କାୟାକଳ୍ପ’ ପୁରସ୍କାର ଘୋଷଣା କରାଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓଡ଼ିଶା ପାଇଁ ‘କାୟାକଳ୍ପ’ ପୁରସ୍କାର ବିଜୟୀ ହୋଇଛି। ଏହାସହ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରନର୍ସ ଅପ୍ ହୋଇଛି। ସେହିପରି ଉପଖଣ୍ଡସ୍ତରୀୟ ହସ୍ପିଟାଲ ବା ଏସଡିଏଚ୍ ବର୍ଗରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ୨୦୧୯/୨୦ବର୍ଷ ପାଇଁ ପ୍ରଥମ ସ୍ଥାନ ହାସଲ କରିପାରିଛି। ରାଜ୍ୟର ସମୁଦାୟ ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭୮ଟି ଉପଖଣ୍ଡ ହସ୍ପିଟାଲ/ସିଏଚ୍ସି, ୬୬ଟି ସହରାଞ୍ଚଳ ପିଏଚ୍ସି, ୧୫୬ଟି ପିଏଚ୍ସି ଓ ୧୮ଟି ଏଚ୍ଡବ୍ଲୁସି ସବ୍ ସେଣ୍ଟର ‘କାୟାକଳ୍ପ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ଅପରପକ୍ଷରେ ଏମ୍ସ ଭୁବନେଶ୍ବର ମଧ୍ୟ କାୟାକଳ୍ପର ‘ବି’ ବର୍ଗରେ ବିଜୟୀ ହୋଇଛି। ହସ୍ପିଟାଲକୁ ସଫାସୁତରା ଓ ରୋଗୀଙ୍କୁ ଉପଯୁକ୍ତ ପରିବେଶ ଯୋଗାଇ ଦେଇଥିବାରୁ ଏମ୍ସ ଭୁବନେଶ୍ବର ଏହି ପୁରସ୍କାର ହାସଲ କରିଛି। ପୁରସ୍କାର ବାବଦରେ ସ୍ବାସ୍ଥ୍ୟାନୁଷ୍ଠାନକୁ ୨କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଗୋଟିଏ ସ୍ବାସ୍ଥ୍ୟାନୁଷ୍ଠାନର ଭିତ୍ତିଭୂମିକୁ ନେଇ ବର୍ଗ ‘ଏ’ ଓ ‘ବି’ରେ ବିଭକ୍ତ କରାଯାଇଛି। ଲଗାତାର ୩ବର୍ଷ ପାଇଁ ଏମ୍ସ ଭୁବନେଶ୍ବର ଏହି ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇପାରିଛି। ଏଥିପାଇଁ ନିର୍ଦେଶକ ଡା.ଗୀତାଞ୍ଜଳି ବି. ଅଧୀକ୍ଷକ ଡା.ସଚିଦାନନ୍ଦ ମହାନ୍ତି, ଡିଡିଏ ଡା.ପି.କେ ରାୟ, ଡା.ଜୱାହର ପିଲାଇ ଓ ଅନ୍ୟମାନେ ଖୁସିବ୍ୟକ୍ତ କରିଛନ୍ତି। ପୁରସ୍କାର ବାବଦରେ ମିଳିଥିବା ଅର୍ଥକୁ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
The post ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ‘କାୟାକଳ୍ପ’ ପୁରସ୍କାର first appeared on Sambad.
from ଜିଲ୍ଲା – Sambad https://ift.tt/38EynHy
0 Comments