
ପଟ୍ଟାମୁଣ୍ତାଇ: ହାଇଦ୍ରବାଦରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ। ଦି ପଇସା ରୋଜଗାର କରି ଘରକୁ ପଠାଉଥିଲେ। ପରିବାର ଲୋକେ କଷ୍ଟେମଷ୍ଟେ ଚଳି ଯାଉଥିଲେ। କରୋନା ମୁଣ୍ତରେ ଚଡକ ପକାଇ ଦେଲା। ଛଡ଼ାଇ ନେଲା ରୋଜଗାର ପନ୍ଥା। ବଦଳାଇ ଦେଲା ପରିବାରର ଭାଗ୍ୟ। ଏମିତି ସମସ୍ୟାରେ ସଢୁଛନ୍ତି ପଟ୍ଟାମୁଣ୍ଡାଇ ପୌରପରିଷଦ ୬ ନଂ. ୱାର୍ଡ କଷଣଅଂଟା ଗ୍ରାମର ହେମନ୍ତ କୁମାର ମଲ୍ଲିକ। ବୟସ ୪୪ ଛୁଇଁଛି। ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ହାଇଦ୍ରବାଦରେ ପାଣି ପାଇପ କରିଗର ଭାବେ କାମ କରୁଥିଲେ। ଘରେ ପତ୍ନୀ, ୫ ପିଲା ଓ ବୁଢି ମା’। ମା ଶଯ୍ୟାଶାୟୀ। କରୋନା ଲକ୍ଡାଉନ ପାଇଁ କମ୍ପାନି ବନ୍ଦ ହୋଇଗଲା।
ସେ ହାଇଦ୍ରାବାଦ ଛାଡି ଘରକୁ ପଳାଇ ଆସିଲେ। ଏଠାରେ ବସି ରହିଲେ। କିଛି କାମଧନ୍ଦା ମିଳିଲାନି। ଶେଷକୁ କିଛି ବାଟ ନ ପାଇ ପାନ ଦୋକାନ କରିବାକୁ ମନ ବଳାଇଲେ। ପାଖରେ ସଂଚିତ ସ୍ବଳ୍ପ ଅର୍ଥ ଓ ସୁଧରେ ୪୦ ହଜାର ଟଙ୍କା ଆଣି ଘର ଆଗରେ ପାନ ଦୋକାନଟିଏ ଖୋଲିଛନ୍ତି। ଏହାକୁ ସାହା କରି ପରିବାର ଚଳାଉଛନ୍ତି। ଆଉ ବାହାରକୁ ଯିବେ ନାହିଁ ବୋଲି କହିଛନ୍ତି ସେ। ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେଲେ ସେ ତାଙ୍କ ରୋଜଗାରକୁ ବଢାଇପାରନ୍ତେ ବୋଲି ହେମନ୍ତ କହିଛନ୍ତି।
The post କରୋନା କାହାଣୀ; ଏବେ ସାହା ପାନ ଦୋକାନ first appeared on Sambad.
from ଜିଲ୍ଲା – Sambad https://ift.tt/2Mr8LoE
0 Comments