
ନବରଙ୍ଗପୁର, : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିକାରୀଗୁଡ଼ା-ଚିକଲପଦର ରାସ୍ତାରେ ପତ୍ନୀକୁ ହତ୍ୟା ଘଟଣାରେ ରାଜନୈତିକ ସଂପୃକ୍ତ ରହିଥିବା ନେଇ ଆଜି କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାରେ ଗୋଟିଏ ଅଡିଓ ଗଣମାଧ୍ୟମ ସାମ୍ନାକୁ ଆଣି ନବରଙ୍ଗପୁର ସାଂସଦ, ଉମରକୋଟ ବିଧାୟକ, ଉମରକୋଟ ଥାନା ଆଇଆଇସି ଏବଂ ଏସଡିପିଓଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି। ଯାହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିବା ବେଳେ ନୂଆ ମୋଡ଼ ଦେଇଛି ପୂରା ଘଟଣା।
ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଥିଲେ ଯେ, ୫ତାରିଖ ଦିନ ବଡ଼କୁମାରୀ ଗାଁର ବିପ୍ଳବ ବିଶ୍ବାସ ନିଜ ପତ୍ନୀ ଚୁମୁକି ବିଶ୍ବାସଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିଲେ। ତେବେ ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ବିପ୍ଳବ ନିଜ ମାଙ୍କ ସହ ବହୁ ସମୟ ଧରି କଥାବାର୍ତ୍ତା କରିଥିଲେ। ପୂରା କଲ୍ ମୋବାଇଲରେ ରେକର୍ଡ ହୋଇଥିବାବେଳେ କୌଶଳ କରି ତାହାକୁ ଚୁମୁକି ନିଜ ମାଙ୍କ ନିକଟକୁ ପଠାଇ ଦେଇଥିଲେ। ଚୁମୁକିଙ୍କ ମାଙ୍କ ଠାରୁ କଂଗ୍ରେସ ସେ ଅଡିଓ ସଂଗ୍ରହ କରିଥିବା ଶ୍ରୀ ମାଝୀ ପ୍ରକାଶ କରିଥିଲେ। ଦମ୍ପତିଙ୍କ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗି ରହିଥିଲା। ଶେଷରେ ଭଦ୍ରବ୍ୟକ୍ତିଙ୍କ ନିଷ୍ପତ୍ତି ଅନୁଯାୟୀ ଚୁମୁକିଙ୍କୁ ତାଙ୍କ ବାପାଙ୍କ ଘରେ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ତେଣୁ ୫ତାରିଖ ଦିନ ଚୁମୁକିଙ୍କୁ ନେଇ ବିପ୍ଳବ ଘରୁ ବାହାରିଥିବା ବେଳେ ରାସ୍ତାରେ ହତ୍ୟା କରିବା ପରେ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲା ନେଇ କଂଗ୍ରେସ ଅଭିଯୋଗ କରିଛି।
ସେହିପରି ଉକ୍ତ ଅଡିଓ ଟେପ୍ରେ ବିପ୍ଳବ ଜଣେ ବନ୍ଧୁ ସହ କଥାବର୍ତ୍ତା ସମୟରେ ଉମରକୋଟ ଏସ୍ଡିପିଓ ଓ ଆଇଆଇସି ବିଷୟରେ ଅନେକ କିଛି କହିଥିଲା। ତେଣୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏପରିକି ସାଂସଦ ରମେଶ ମାଝୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଜରିଆରେ ସାଂସଦଙ୍କ ସହ ବିପ୍ଳବ କଥା ହୋଇଥିବା ବିପ୍ଳବ ଉକ୍ତ ଅଡିଓରେ କହୁଛି। ସାଂସଦ ତାକୁ ୧୨ଦିନ ଭିତରେ ଜେଲରୁ ମୁକୁଳାଇ ଦେବେ ବୋଲି ଅଭିଯୁକ୍ତ କହୁଛି। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଅଭିଯୁକ୍ତ କଥା ହୋଇଥିବା ଜଣାପଡ଼ିଛି। ତେଣୁ ବିପ୍ଳବର ମୋବାଇଲର କଲ ରେକର୍ଡକୁ ଯାଞ୍ଚ କରାଯିବ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟା ପଦାକୁ ଆସିବ ବୋଲି କଂଗ୍ରେସ କହିଛି। ଏହା ବ୍ୟତୀତ ଉମରକୋଟର ଏକ ହୋଟେଲରେ ଅଭିଯୁକ୍ତ କିଛି ଆଇନଜୀବୀ ଓ ରାଜନେତାଙ୍କୁ ଖାଇବାକୁ ଦେଇଥିଲା। ଉକ୍ତ ହୋଟେଲର ସିସି କ୍ୟାମେରା ଫୁଟେଜକୁ ବି ତଦନ୍ତ ପରିସରଭୁକ୍ତ କରାଯାଉ। ପୁଲିସ କର୍ମଚାରୀ ଓ ରାଜନେତାଙ୍କ ନାମ ଅଡିଓରେ ଶୁଣିବାକୁ ମିଳୁଥିବାରୁ ଏସଆଇଟି ତଦନ୍ତ ପାଇଁ ପୂର୍ବତନ ସାଂସଦ ଶ୍ରୀ ମାଝୀ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଦିଲ୍ଲୀପ କୁମାର ବେହେରା, ଅଖିଳ ଭତ୍ରା, ତାଜ ଇମ୍ରାନ ସରିଫ, କୁନା ପାଢ଼ୀ, ବୃନ୍ଦା ତ୍ରିପାଠୀ, ସୁମିତ ପୂଜାରୀ, ସଂଜୀବ ବିଷୋୟୀ, ବାସୁଦେବ ତ୍ରପାଠୀ, ଅବଦୁଲ ଫିରୋଜ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏନେଇ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଯୋଗାଯୋଗ କରିବାରୁ ଅଡିଓର ବୈଧତାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଯେ କୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର ସମସ୍ତ ଅଭିଯୋଗକୁ ଖଣ୍ଡନ କରି ମନଗଢ଼ା ବୋଲି କହିଛନ୍ତି। ଏ ନେଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
The post ପତ୍ନୀକୁ ପିଟି ପିଟି ମାରିଦେବା ଘଟଣା : ଅଡିଓ ଜାରି କଲା କଂଗ୍ରେସ first appeared on Sambad.
from ଜିଲ୍ଲା – Sambad https://ift.tt/35sPCJK
0 Comments