ବ୍ରହ୍ମପୁର : ରାଜ୍ୟର ଅନ୍ୟତମ ବୃହତ୍ତମ ଜିଲ୍ଲା ଗଞ୍ଜାମ। ସାଂଗଠନିକ ସଂରଚନା ଦୃଷ୍ଟିରୁ ଜିଲ୍ଲାକୁ ଦୁଇଟି ପୁଲିସ ଜିଲ୍ଲା (ବ୍ରହ୍ମପୁର ଓ ଗଞ୍ଜାମ)ରେ ବିଭକ୍ତ କରାଯାଇଛି। ଦୁଇ ପୁଲିସ ଜିଲ୍ଲାରେ ୨୦୨୧ ପ୍ରଥମ ମାସରେ ୧୪ଟି ହତ୍ୟାକାଣ୍ଡ ଘଟିଛି। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୫ ଏବଂ ଗଞ୍ଜାମ ପୁଲିସ ଜିଲ୍ଲାରେ ୯ଟି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। କିନ୍ତୁ ଏହି ମାସରେ ଘଟିଥିବା ସବୁ ହତ୍ୟାକାଣ୍ଡରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ପ୍ରାୟତଃ ସକ୍ଷମ ହୋଇଛି। ତେବେ ସବୁଠାରୁ ଛାତିଥରା ଏବଂ ହାଇପ୍ରୋଫାଇଲ୍‌ ଘଟଣା ଥିଲା ୨୦ ତାରିଖରେ।

ବେଗୁନିଆପଡ଼ା ବ୍ଲକ୍‌ ପ୍ରାକ୍ତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା। ଘଟଣାରେ ଦୁଇ ଦିନ ପରେ ପୁଲିସକୁ ସଫଳତା ମିଳିଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ ସମେତ ୫ଜଣଙ୍କୁ ଗିରଫ ସହ ୩ଟି ବନ୍ଧୁକ ଜବତ କରିଥିଲା। ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲାର ଏକ ସମ୍ବେଦନଶୀଳ ଘଟଣା ଗତ ୨୮ ତାରିଖରେ ସୋରଳ ଗ୍ରାମରେ ଘଟିଛି, ଯାହା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତୃତୀୟ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଦୁଇଜଣ ଅଭିଯୁକ୍ତ ଗଣଦୁର୍ଷ୍କମ ପରେ ଗଳାକାଟି ହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଗ୍ରାମବାସୀ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଆଜି ସେମାନଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଜଗନ୍ନାଥପ୍ରସାଦ ଥାନା ଇଲକାରୁ ଗତ ଡିସେମ୍ବର ୨ତାରିଖରେ ପୂଜା ନାମ୍ନୀ ଜଣେ ଯୁବତୀଙ୍କ ଶବ ଉଦ୍ଧାର ହୋଇଥିଲା। ଭୁବନେଶ୍ବରର ଏକ ଦମ୍ପତି ତାଙ୍କୁ ହତ୍ୟା କରି ଓଲା କାର୍‌ରେ ଆଣି ଜଗନ୍ନାଥପ୍ରସାଦ ଇଲାକାରେ ଫୋପାଡ଼ି ଦେଇଥିଲେ। ପୁଲିସ ଦମ୍ପତିଙ୍କୁ ଗିରଫ କରିଥିଲା।

ନୂଆ ବର୍ଷ ପାଦ ଦେବା ପୂର୍ବରୁ ଜିରୋ ନାଇଟ୍‌ରେ ଗଞ୍ଜାମ ଜିଲ୍ଲାରେ ଗଡ଼ିଥିଲା ପ୍ରଥମ ମୁଣ୍ଡ। ବ୍ରହ୍ମପୁର ସଦର ଥାନା ମସିହାଖାଲି ଗ୍ରାମରେ କୈଳାସ ଦାସ ନାମକ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହାର ଠିକ୍‌ ପରଦିନ ପାତ୍ରପୁର ବ୍ଲକ ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧୀନ ପୁହୁଣ୍ଡି ଗ୍ରାମର ଲକ୍ଷ୍ମୀ ଦେବୀ(୩୭) ନାମ୍ନୀ ମହିଳାଙ୍କୁ ହତ୍ୟା କରି ପ୍ରେମିକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲା।

ଗତ ୬ ତାରିଖରେ କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ନିକଟ ସୁନାପଲ୍ଲୀ ଗ୍ରାମରେ ଚୋର ଭାବି ଦୁଇ ଜଣ ଯୁବକଙ୍କୁ ଗ୍ରାମବାସୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ପୋଲସରା ବ୍ଲକ୍‌ ରାଣୀପଡ଼ା ଗ୍ରାମର ଗଙ୍ଗା କାଣ୍ଡିଙ୍କର ମୃତ୍ୟୁ ଘଟିଥିଲା। ଗତ ୧୦ ତାରିଖରେ ବ୍ରହ୍ମପୁର ସଦର ଥାନା ବୋରିଗାଁରେ ‌ପ୍ରମିଳା ଦାସ ନାମ୍ନୀ ଜଣେ ମହିଳାଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣା ସମୟରେ ଘରେ ଉପସ୍ଥିତ ଥିବା ପ୍ରମିଳାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ୧୧ ତାରିଖରେ ପାତ୍ରପୁର ବ୍ଲକ ଜରଡ଼ା ଥାନା ମହାଦେଇପୁର ଗ୍ରାମର ମୁକ୍ତା ପ୍ରଧାନ ନାମ୍ନୀ ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଦୁର୍ବୃତ୍ତ ମାନେ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣାରେ ଜରଡ଼ା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଗତ ୧୩ ତାରିଖରେ ବ୍ରହ୍ମପୁର ସଦର ଥାନା ମହୁରିକାଳୁଆ ଛକ ନିକଟରୁ ଡେଙ୍ଗାପଦର ଗ୍ରାମର ରବି ପ୍ରଧାନ ନାମକ ଯୁବକଙ୍କ ଶବ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ କରିଥିଲା। ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

image source-india.com

ଗତ ୧୫ତାରିଖରେ ସୋରଡ଼ା ଥାନା ଯାତ୍ରାମା ଗାଁ ପୋଖରୀ ତୁଠରେ ଲକି ସାହୁ(୨୩) ନାମକ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିଲା। ଏନେଇ ସୋରଡ଼ା ଥାନାରେ ହତ୍ୟା ମକଦ୍ଦମା ରୁଜୁ ହୋଇଥିଲା। ପୁଲିସ ଉକ୍ତ ମହିଳାଙ୍କ ସ୍ବାମୀ ମନୋଜ ସାହୁଙ୍କୁ ଗିରଫ କରିଥିଲା। ଗତ ୧୬ ତାରିଖରେ ଖଲ୍ଲିକୋଟ ଥାନା ଅଧୀନ କହ୍ନେଇପୁରରେ ଅଧିକ ‌‌ଯୌତୁକ ଦାବି କରି କବିତା ମୁଦୁଲି(୨୫) ନାମ୍ନୀ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଖଲ୍ଲିକୋଟ ପୁଲିସ କବିତାଙ୍କ ସ୍ବାମୀ, ଶାଶୂ ଓ ଶ୍ବଶୁରଙ୍କୁ ଗିରଫ କରିଥିଲା। ୨୦ ତାରିଖରେ କବିସୂର୍ଯ୍ୟନଗର ଥାନା ପାଇକଯମୁନା ପଞ୍ଚାୟତ ବଣପଲ୍ଲୀ ଗ୍ରାମର ସରସ୍ବତୀ ପଲେଇଙ୍କୁ ତାଙ୍କ ନିଶାଶକ୍ତ ପୁଅ ସନ୍ନ୍ୟାସୀ ହତ୍ୟା କରିଥିଲା। ଏହି ଘଟଣାରେ ପୁଲିସ ସନ୍ନ୍ୟାସୀକୁ ଗିରଫ କରିଥିଲା। ଗତ ୨୪ ତାରିଖରେ ଘରୁ ପାଦ କାଢ଼ିବାରୁ ଝିଆରିକୁ ଛୁରି ଭୁସି ହତ୍ୟା କରିଥିଲା ଦାଦା। ପୁଲିସ ଅଭିଯୁକ୍ତ ଦାଦା ଧନୁ ନାଇକକୁ ଗିରଫ କରିଥିଲା। ଗତ ୨୭ତାରିଖରେ ପୁରୁଷୋତ୍ତମପୁର ଥାନା ଅଧୀନ ଶାଗୁଣାପଲ୍ଲୀ ଗାଁର ଏକ ନାରଶୁ ନାହାକ ନାମକ ଜଣେ ମହିଳାଙ୍କ କ୍ଷତାକ୍ତ ଶବ ମିଳିଥିଲା। ତାଙ୍କୁ ତାଙ୍କ ପ୍ରେମିକ ତଥା ଭାବନ୍ଧ ଗ୍ରାମର ଟ୍ରକ୍‌ ହେଲ୍‌ପର ବୁଦ୍ଧିଆ ଦାସ ହତ୍ୟା କରି କୂଅରେ ଫୋପାଡ଼ିଥିଲା। ପୁଲିସ ବୁଦ୍ଧିଆକୁ ଗିରଫ କରିଛି। ୨୮ତାରିଖରେ ଜମି ବିବାଦରୁ ପୋଲସରା ଥାନା ହୀରାପଲ୍ଲୀ ଗ୍ରାମରେ ପ୍ରଭାକର ଗୌଡ଼ ନାମକ ଯୁବକଙ୍କୁ ପିଟି ପଟି ହତ୍ୟା କରାଯାଇଥିଲା। ସେହିପରି ସରକାରୀ ଚାଉଳ ଭାଗବଣ୍ଟାକୁ କେନ୍ଦ୍ର କରି ପୋଲସରା ଥାନା କଳମ୍ବ ଗାଁରେ ବାପାର ମାଡ଼ରେ ଭିନ୍ନକ୍ଷମ ପୁଅ ଅନୀଲ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା।

The post ଗଞ୍ଜାମ : ମାସକରେ ୧୪ଟି ହତ୍ୟାକାଣ୍ଡ first appeared on Sambad.



from ଜିଲ୍ଲା – Sambad https://ift.tt/3owr0qh