ରାଉରକେଲା : ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ। ଯାହାକୁ ପ୍ରମାଣିତ କରି ପାରିଛନ୍ତି ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଛୁଟିଛି ପ୍ରଶଂସାର ସୁଅ। ଓଡ଼ିଶାର କଳା, ସଂସ୍କୃ୍ତିକୁ ପଟ୍ଟଚିତ୍ର ମାଧ୍ୟମରେ ଆଙ୍କି ପାଇଛନ୍ତି ବେଶ୍‌ ସଫଳତା। ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ୍ୟଶ୍ରୀଙ୍କ ସଫଳତାକୁ ସ୍ଥାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହିତ କଥାହୋଇ ପ୍ରଶଂସା କରିଛନ୍ତି।

ଭାଗ୍ୟଶ୍ରୀ କିଛିଦିନ ତଳେ ନେତାଜୀ ସୁବାଷ ଚନ୍ଦ୍ରଙ୍କର ଏକ ଚିତ୍ର ଆଙ୍କିଥିଲେ। କଲେଜ ଯିବାବାଟରେ ସଫ୍ଟ ଷ୍ଟୋନ୍‌ ସଂଗ୍ରହ କରି ଦିନକୁ ଦୁଇ ଘଣ୍ଟା ସମୟ ଦେଇ ପଟ୍ଟଚିତ୍ର ଆଙ୍କୁଥିଲେ। ଏହି ଚିତ୍ରସବୁକୁ ସାଙ୍ଗମାନଙ୍କୁ ଉପହାର ଦିଅନ୍ତି। ଲଲ୍‌ଡାଉନ୍‌ରେ କଲେଜ ଛୁଟି ଥିବାରୁ ସମୟର ସଦ୍‌ଉପଯୋଗ କରି ବୋତଲରେ ଅନେକ ‌ଚିତ୍ର କରୁଥିଲେ।ଏହା ସମସ୍ତଙ୍କ ମନ ଜିଣିଥିଲା ଏବଂ ଭାଗ୍ୟଶ୍ରୀ ଏହି ପାରଦର୍ଶିତାକୁ ସମ‌ସ୍ତେ ଉଚ୍ଚପ୍ରଶଂସା କରିଥିଲେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କି ବାତ୍‌‌’ରେ ଭାଗ୍ୟଶ୍ରୀଙ୍କ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏହି ପ୍ରଚେଷ୍ଟା ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଭାଗ୍ୟଶ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାଗ୍ୟଶ୍ରୀଙ୍କ ଉଚ୍ଚପ୍ରଶଂସା କରିଛନ୍ତି। ଫୋନ୍‌ରେ କଥା ହୋଇ ଭାଗ୍ୟଶ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ‘ ତୁମେ କେବଳ ରାଉରକେଲା ନୁହେଁ ଓଡ଼ିଶା ପାଇଁ ଗର୍ବ ଓ ଗୌରବ,’ ବୋଲି କହିଛନ୍ତି।

ରାଉରକେଲା ସେକ୍ଟର-୧୯ ପିଡବ୍ଲ୍ୟୁଡି-୧୦ରେ ଭାଗଶ୍ରୀ ସାହୁ ପରିବାର ସହ ରହନ୍ତି। ପିତା କାର୍ତ୍ତିକ ଚନ୍ଦ୍ର ସାହୁ ରାଉରକେଲା ଛେଣ୍ଡ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି।ଲକ୍‌ଡାଉନ୍‌ ସମୟରେ କଲେଜ ଛୁଟି ଥିବାରୁ ଘରେ ରହି ଦିନକୁ ୩ରୁ ୪ ଘଣ୍ଟା ପଟ୍ଟଚିତ୍ର ଆଙ୍କୁଥିଲେ। ବିଶେଷକରି ମହାପ୍ରଭୁଙ୍କ ୩୨ ବେଶ୍‌, ଶିବ ପାବର୍ତୀ, ରାଧାକୃଷ୍ଣ ଆଦି ଚିତ୍ର ଆଙ୍କିବାକୁ ତାଙ୍କୁ ବେଶ୍‌ ଭଲ ଲାଗେ। ଅଦକାରୀ କାଠ, ବୋତଲ୍‌, ସଫ୍ଟ ପଥର, ପଥର ସମେତ କାନ୍‌ଭାସ୍‌ ଉପରେ ତାଙ୍କର ଏସବୁ ପଟ୍ଟଚିତ୍ର ବେଶ୍‌ ଆକର୍ଷଣୀୟ ହୋଇଛି। ବୋତଲ୍‌ ଉପରେ ଚିତ୍ରିତ ପଟ୍ଟଚିତ୍ର ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍‌ ଚାହିଦା ରହିଛି । ଗତ ପ୍ରାୟ ୩ ମାସ ମଧ୍ୟରେ ୨୦ରୁ ଅଧିକ ପଟ୍ଟଚିତ୍ର ଅନ୍‌ଲାଇନ୍‌ରେ ରାଜ୍ୟ ବାହାରେ ବିକ୍ରି କରି ସାରିଛନ୍ତି। ଭବିଷ୍ୟତରେ ଏହି କଳାକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ଭାଗ୍ୟଶ୍ରୀ।

The post ପଟ୍ଟଚିତ୍ର ଆଣିଦେଲା ସଫଳତା : ଭାଗ୍ୟଶ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା first appeared on Sambad.



from ଜିଲ୍ଲା – Sambad https://ift.tt/39C0KpW