
ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ମାଣିତରା ବିଟ୍ ଶଙ୍କରୁ ଗ୍ରାମ ବଡ଼ପଥର ପାହାଡ଼ରେ ଆଜି ବାର୍ହା ଶିକାର ପାଇଁ ବିଛାଯାଇଥିବା ଫାଶରେ ଏକ ବିରାଟକାୟ ଅଣ୍ଡିରା କଲରାପତରିଆ ବାଘ ପଡ଼ିଥିଲା। ତେବେ ୩ ଘଣ୍ଟା କାଳ ଅପରେସନ୍ ପରେ କଲରାପତରିଆ ବାଘଟିକୁ ବନ ବିଭାଗ କର୍ମଚାରୀମାନେ ଜାଲରୁ ଉଦ୍ଧାର କରି କିରିଆମ୍ବା ଜଙ୍ଗଲର ନୂଆପଲ୍ଲୀ ଠାରେ ଛାଡ଼ିଥିଲେ। ମାତ୍ର, ଉଦ୍ଧାର ହେବାର ୬ ଘଣ୍ଟାପରେ ଏହି କଲରାପତରିଆ ଆଖି ବୁଜିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟାରେ ମାଣିତରା ଫରେଷ୍ଟଗାର୍ଡ଼ ସରସ୍ବତୀ ନାୟକ କୌଣସି ପଥରକ୍ବାରିକୁ ଯାଇଥିଲେ। ଏହି ସମୟରେ ବଡ଼ପଥର ପାହାଡ଼ ପାଖରେ ଭୟଙ୍କର ଗର୍ଜନ ଶୁଭିଥିଲା। ନିକଟକୁ ଯାଇ ଦେଖିଲା ବେଳକୁ ବାର୍ହା ଶିକାର ପାଇଁ ପକାଯାଇଥିବା ଜାଲରେ କଲରାପତରିଆ ବାଘଟି ଫସି ଯାଇଥିଲା। ତାର ଅଣ୍ଟାରେ ଫାଶ ଲାଗି ଯାଇଥିଲା। ରେଞ୍ଜର୍ ଫକୀର ଚରଣ ବେହେରାଙ୍କ ନେତୃତ୍ବରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ଲଟାବୁଦା ଥିବାରୁ ବାଘଟିକୁ ଜାଲ ପକାଇ ଧରିବା କଷ୍ଟସାଧ୍ୟ ହୋଇଥିଲା। ୩ ଘଣ୍ଟା କାଳ ଟିମ୍କୁ କସରତ କରିବାକୁ ପଡ଼ିଥିଲା।
ଶେଷରେ ଜେସିବି ସାହାଯ୍ୟରେ ଲଟାବୁଦାକୁ ସଫା କରାଯାଇଥିଲା। ଆଉ ଅପରାହ୍ଣ ୩ଟାବେଳେ ଜାଲ ପକାଇ ଗ୍ରାମବାସୀଙ୍କ ସହଯୋଗରେ ବାଘଟିକୁ କାବୁ କରାଯାଇଥିଲା। ପରେ ତାକୁ ଦୋଳା କରି ଗାଡ଼ି ପାଖକୁ ଅଣା ଯାଉଥିବା ସମୟରେ ସେ ଦିଲ୍ଲୀପ କୁମାର ଦାଶଙ୍କ ଜଂଘକୁ କାମୁଡ଼ି ଦେଇଥିଲା। ଦିଲ୍ଲୀପଙ୍କୁ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ବାଘଟିକୁ ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯିବା ପରେ କିରିଆମ୍ବା ଜଙ୍ଗଲର ନୂଆପଲ୍ଲୀରେ ଛାଡ଼ିଦିଆଯାଇଲା। ମାତ୍ର, ୬ ଘଣ୍ଟା ପରେ ଏହା ପ୍ରାଣ ହରାଇଥିଲାବେଳେ ମୃତ୍ୟୁର କାରଣ ଜଣାପଡ଼ିନି। ତେବେ, ବାର୍ହା ଖାଇବାକୁ ଆସି ବାଘଟି ଫାଶରେ ପଡ଼ିଯାଇଥିବା ଜଣାପଡ଼ିଛି।
The post ବାର୍ହା ଫାଶରେ କଲରାପତରିଆ, ୬ ଘଣ୍ଟା ପରେ ଆଖିବୁଜିଲା first appeared on Sambad.
from ଜିଲ୍ଲା – Sambad https://ift.tt/3iVC27b
0 Comments